କାହାଣୀଟି ଅନେକ ପୁରୁଣା କାଳର। ଯେଉଁ ସମୟରେ ସମାଜରେ ଧର୍ମକର୍ମ ଥିଲା, ଲୋକେ ପରସ୍ପରକୁ ବିଶ୍ୱାସ କରୁଥିଲେ, ସମ୍ମାନ ପ୍ରଦର୍ଶନ କରୁଥିଲେ। ଏହି ସମୟର ଇଏ କଥା। ଆମ ଧର୍ମ ପରମ୍ପରାରେ ଅର୍ଥ ଉଦିଆ ବୋଲି ବ୍ରତଟିଏ ରହିଛି, ଯାହା ସହ ଏହି ଗପଟି ଯୋଡ଼ି ହୋଇ ରହିଛି। ଏ ସଂପର୍କରେ ଧର୍ମ ଗବେଷକ ନିର୍ମଳ ମିଶ୍ର ତାଙ୍କ ପୁସ୍ତକରେ ଲେଖିଛନ୍ତି।
ଜଣେ ଚକୁଳିଆ ପଣ୍ଡା ନିଜ ସ୍ତ୍ରୀ ଓ ଦୁଇଝିଅଙ୍କ ସହ ରହୁଥାନ୍ତି। ତାଙ୍କର ମୁଖ୍ୟ ବେଉସା ହେଲା ଭିକ୍ଷା କରିବା। ଗାଁ ଗାଁରେ ଭିକ ମାଗି ଯାହା ରୋଜଗାର କରନ୍ତି ସେଇଥିରେ ତାଙ୍କ ପରିବାର ଚଳେ। ଝିଅ ଦୁଇଟି ବଣରୁ କାଠ ସଂଗ୍ରହ କରି ଆଣନ୍ତି। ଘରେ ଯାହା କାଠ ଜାଳ ପାଇଁ ବ୍ୟବହାର ହୁଏ, ବାକି କାଠତକ ବିକ୍ରି କରି ସେମାନେ ବି ସେଥିରୁ କିଛି ରୋଜଗାର କରନ୍ତି। ଏମିତି ଏମିତି ପରିବାରଟି ଦୁଃଖ କଷ୍ଟେ ଚଳି ଯାଏ। ଚାଳ ଚପର ମାଟି କୁଡ଼ିଆରେ ରୁହନ୍ତି। ପୂରା ପରିବାରଟି ଧର୍ମ କର୍ମରେ ବ୍ରତୀ। ଦିଅଁ ଦେବତା ପୂଜନରେ ସମସ୍ତେ ଖୁସି।
ଏହିପରି ଜୀବନ ଚାଲିଥିବା ବେଳେ, ଥରେ ମାଘ ମାସରେ ଝିଅ ଦୁଇଟି ସକାଳୁ ସକାଳୁ ଜଙ୍ଗଲକୁ ବାହାରିଲେ। ପ୍ରଥମେ ଗଡ଼ିଆରେ ମାଘ ବୁଡ଼ ପକାଇଲେ ତା ପରେ ବନ ପରିଭ୍ରମଣ କଲେ। ବୁଲାବୁଲି ଭିତରେ ଘସି ସଂଗ୍ରହ କରୁ କରୁ ଝିଅ ଦୁଇଟି ଏକ ନୂଆ କଥା ଦେଖିଲେ। ସ୍ୱର୍ଗର ଅଷ୍ଟକନ୍ୟା ଆଉ ମର୍ତ୍ତ୍ୟର ଅଷ୍ଟକନ୍ୟା ଓଷା ପୂଜୁଥିଲେ। ଏହା ଦେଖି ଝିଅ ଦୁଇଟି ସେଠାରେ କ୍ଷଣେ ଅଟକି ଗଲେ। ସୁନା ଚାଉଳ, ସୁନାଦୁବ, ସୁନାଗୁଆ, ଛେନାମଣ୍ଡା ୮ ଗୋଟି, ଖଣ୍ଡ ଛତି, ଖଣ୍ଡ ବତୀ, ଆଖୁ ବାଡ଼ି ଗୁଆଘିଅରେ ଦୀପ ଜାଳି ହୁଳହୁଳି ପକାଉଥାନ୍ତି।
Also Read
ଲତା ଉହାଡ଼ରୁ ଚକୁଳିଆ ପଣ୍ଡାର ଝିଅମାନେ ପୂଜା ଦେଖୁଥାନ୍ତି। ମଣିଷ ଗନ୍ଧ ବାରି ଓଷେଇତି ଦେବକନ୍ୟାମାନେ ସେମାନଙ୍କୁ ଖୋଜି ଆଣିଲେ। ଓଷା ପୂଜିବାକୁ ଥୋଇ ଉପଦେଶ ଦେଲେ। ଦୁହେଁ ସ୍ନାନ କଲେ। ଓଦାଲୁଗା ଚିପୁଡ଼ି ତଳେ ଥୋଇଲେ। ଏହି ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଯେମିତି ସେମାନେ ଓଦାଲୁଗା ଦୁଇଟି ଚିପୁଡ଼ି ତଳେ ଥୋଇଛନ୍ତି, ସେ ଦୁଇଟି ହଠାତ୍ ପାଟଲୁଗା ପାଲଟିଗଲା। ତାହାକୁ ସେମାନେ ପିନ୍ଧଲେ। ଦୁବ ଓ ବର ଓହଳ ସଂଗ୍ରହ କଲେ। ସେମାନଙ୍କୁ ଦେବକନ୍ୟାମାନେ ବ୍ରତ କରାଇଦେଲେ। କଥା ଶୁଣାଇଲେ। ମଣ୍ଡା ୮ ଗୋଟି, ବ୍ରତ, ଦୁବ ଦେଇ ଘରକୁ ପଠାଇଦେଲେ। କହିଲେ- ଝିଅମାନେ ତୁମ ମାଆଙ୍କୁ କହି ଏହିପରି ଆଉ ଦିନି ପାଳି ଓଷା ପୂଜିବ। ସେମାନେ ଦେଖିଲେ ଓଷା ପ୍ରଭାବରେ ସେମାନେ ସଂଗ୍ରହ କରି ରଖିଥିବା ଘଷିଗୁଡ଼କ ସୁନା ଘଷିରେ ପରିଣର ହୋଇଯାଇଅଛି। ସେ ଦୁହେଁ ମନ ଖୁସିରେ ଘରକୁ ଫେରିଲେ।
ଏଣେ ଝିଅ ମାନଙ୍କ ବିଳମ୍ବ ହେଉଥିବା ଦେଖି ଚକୁଳିଆ ପଣ୍ଡା ସେମାନଙ୍କୁ ଖୋଜି ବାହାରିଲେ। ଯାଉ ଯାଉ ଝିଅ ଦୁହିଁଙ୍କୁ ବାଟରେ ହିଁ ଭେଟିଲେ। ତାଙ୍କଠାରୁ ଜଙ୍ଗଲରେ ଘଟିଥିବା ପୂରା ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ତା ପରେ ଏକାଠି ଘରକୁ ଫେରିଲେ। ମାତ୍ର ତାଙ୍କ ଘରି ଦେଖିଲା ବେଳକୁ କୁଆଡ଼େ ଉଭେଇ ଯାଇଛି। ଆଉ ତା ଜାଗାରେ ଠିଆ ହୋଇଛି ଏକ ଦିବ୍ୟସୁନ୍ଦର ଉଆସ। ଆରେଃ ଇଏ କି ଆଶ୍ଚର୍ଯ୍ୟର କଥାନ !! ଘର ଧନଧାନ୍ୟରେ ଭର୍ତ୍ତି ହୋଇଯାଇଛି।
ଏହା ଦେଖି ଗରିବ ଚକୁଳିଆ ପଣ୍ଡା ପରିବାରର ସମସ୍ତେ ଖୁସି ହେବା ସ୍ୱଭାବିକ ଥିଲା। ଅପ୍ସରା ମାନଙ୍କ ଉପଦେଶ ଅନୁସାରେ ଝିଅ ଦୁଇଟି ଆଉ ତିନିପାଳି ଓଷା ପୂଜିଲେ। ଶେଷ ପାଳିରେ ଅପସରାମାନେ ଦେଖା ଦେଇ, ଆସନ୍ତା ବର୍ଷକୁ ଘରେ ଓଷା ପୁଜିବାକୁ କହିଦେଇ ଗଲେ। ଓଷା ପୂଜିଲେ ଝିଅମାନଙ୍କୁ ‘ରାଜବର’ମିଳବ ବୋଲି ସୂଚନା ମଧ୍ୟ ଦେଲେ।
ପରବର୍ଷ ମାଘମାସ ବେଳକୁ ବିଧି ବିଧାନ ଅନୁସାରେ ପଣ୍ଡା ପରିବାର ‘ଅର୍ଥ ଉଦିଆ ରବିବାର ଓଷା’ ପୂଜିଲେ। ସତକୁ ସତ ଚତୁର୍ଥ ପାଳି ଓଷା ପୂଜା ବେଳକୁ ଝିଅ ଦୁହିଁଙ୍କ ପାଇଁ ‘ରାଜବର’ପ୍ରସ୍ତାବ ଆସିଲ। ଚକୁଳିଆ ପଣ୍ଡାଙ୍କ ବଡ଼ଝିଅ ରାଜ ଉଆସକୁ ରାଣୀ ହୋଇଗଲେ। ସାନଝିଅକୁ ମନ୍ତ୍ରୀ ବିବାହ କଲେ। ଦୁଇ ଭଉଣୀ ଭୋଗ ବିଳାସରେ ରହିଲେ। କିନ୍ତୁ ପ୍ରାଚୁର୍ଯ୍ୟ ଭିତରେ ରହିଲେ କିଛି କିଛି ଲୋକ ନିଜର ହିତାହତ ଜ୍ଞାନ ଭୁଲି ଯାଆନ୍ତି।
ଚକୁଳିଆ ପଣ୍ଡା ଦୁଇ ଝିଅଙ୍କ କ୍ଷେତ୍ରରେ ସେଇଆ ହିଁ ହେଲା। ଭୋଗ ବିଳାସ ଭିତରେ ରହି ସେମାନେ ସେ ବର୍ଷ ଓଷା କଥା ଭୁଲଗଲେ। ଫଳରେ ନାନା ଅଘଟଣ ଘଟିବା ଆରମ୍ଭ ହୋଇଯାଇଥିଲା। ଦିନେ ଶୋଇବା ବେଳେ ରାଜା ଲକ୍ଷ୍ୟ କଲେ, ରାଣୀଙ୍କ ପାଟିରୁ ନଆଁହୁଳା ବାହାରୁଛି। ସେ ଚମକି ପଡ଼ିଲେ ଓ ଭୟଭୀତ ହୋଇପଡ଼ିଲେ। ରାଣୀଙ୍କ ପାଟିରୁ ନିଆଁହୁଳା ବାହାରୁଥିବା ଦେଖି ସେ ତାଙ୍କୁ ଏକ ଡ଼ାହାଣୀ ବୋଲ ଭାବିଲେ। ଏହାପରେ ସେ ଗୁପ୍ତରେ ମନ୍ତ୍ରୀକୁ ଡକାଇ ସବୁକଥା କହିଲେ। ଏବଂ ରାଣୀଙ୍କୁ ଜଙ୍ଗଲରେ ହତ୍ୟା କରି ତାଙ୍କ ରକ୍ତ ଆଣି ଦେଖାଇବାକୁ ରାଜା ଆଦେଶ ଦେଲେ।
ଏବେ ମନ୍ତ୍ରୀଙ୍କ ପାଖରେ ଆଉ ବା ଚାରା କଣ ଥାଇପାରେ। ଅନ୍ୟ ଉପାୟ ନପାଇ ସେ ରାଣୀଙ୍କୁ ଆପଣା ଘରକୁ ନେଇଗଲେ। ସେଠି ଦୁଇ ଭଉଣୀଙ୍କ ଭେଟ ହେଲା। ମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିର ହେଲା ଯେ, ରାଜାମାନେ ଅବୁଝା। ଏବେ ରାଣୀଙ୍କୁ ସେ ହାଣି ଦିଅ ବୋଲି କହିଛନ୍ତି। କିନ୍ତୁ ପୁଣି ସମୟ ଆସିଲେ ପୁଣି ତାଙ୍କୁ ଖୋଜି ଆଣି ଦିଅ ବୋଲି ଆଜ୍ଞାଦେବେ। ତେଣୁ କଥା ଛିଣ୍ଡିଲା, ରାଣୀଙ୍କୁ ମନ୍ତ୍ରୀ ମାରିବେ ନାହଁ। ସେ ତାଙ୍କ ଘରେ ରହିବେ। ମନ୍ତ୍ରୀ ଏକ ଚଢ଼େଇଟିଏ ମାରି ତା’ରକ୍ତ ନେଇ ରାଜାଙ୍କୁ ଦେଖାଇବେ। ସେଇ କଥା ହେଲା। ମନ୍ତ୍ରୀ ରାଜାଙ୍କୁ ନେଇ ଚଢ଼େଇ ମରା ରକ୍ତ ଦେଖାଇ ରାଣୀଙ୍କୁ ହତ୍ୟା କରି ରକ୍ତ ଆଣିଛନ୍ତି ବୋଲି କହିଲେ। ରାଜା ଏହା ସତ ଭାବି ଚୁପ୍ ରହିଲେ।
ବର୍ଷଟିଏ ଗଲା। ପୁଣି ମାଘ ମାସ ଆସିଲା। ଓଷା ପାଳି ପଡ଼ିଲା। ମନ୍ତ୍ରୀ ଉଆସରେ ଦୁଇ ଭଉଣୀ ବିଧି ମତେ ଓଷା ପୁଜା କଲେ। ଚତୁର୍ଥ ପାଳି ପୂଜା ଶେଷ ବେଳକୁ ରାଜାଙ୍କ ମନ ଉଚ୍ଛନ୍ନ ହେଲା। ସେ ନିଜର ଭୁଲ୍ ବୁଝି ପାରିଲେ। ରାଣୀଙ୍କୁ ଝୁରି ହେଲେ। ରାତିରେ ସ୍ଵପ୍ନାଦେଶ ପାଇଲେ ଯେ, ରାଣୀ ମନ୍ତ୍ରୀଙ୍କ ଘରେ ହିଁ ନିରାପଦରେ ଅଛନ୍ତି। ରାଜା ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଡ଼କାଇଲେ। ତାଙ୍କୁ ବହୁତ ପ୍ରଶଂସା କଲେ। ସ୍ଵପ୍ନାଦେଶ କଥା ତାଙ୍କ ଆଗରେ ପ୍ରକାଶ କଲେ। ମନ୍ତ୍ରୀ ରାଜି ହେଲେ। ରାଜା ନିଜେ ପାଲିଙ୍କି ପାଟଛତି ନେଇ ଶଙ୍ଖ ଭେରି ବଜାଇ ରାଣୀଙ୍କୁ ପାଛୋଟି ଆଣିଲେ। ରାଣୀ ଏଥର ନିୟମିତ ଓଷା ପୂଜା କଲେ। ଚାରି ପୁତ୍ରର ଜନନୀ ହୋଇ ସୁଖରେ ରହିଲେ। ଏଭଳି ଭାବରେ ଏହି ଓଷା ଚାରିଆଡ଼େ ପ୍ରସାରିତ ହେଲା।