/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726221741.jpg)
Woman begs for money
ଭାଇର ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୁଆରେ ତା’ ଦୁଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ କରୁଛି । ଆଉ ଆଖିଠାରି ଥଟ୍ଟା କରୁଛି... କହୁଛି, ଭାଇର ଶୁଦ୍ଧି ପାଇଁ ଭିକ ମାଗୁଛି ଭଉଣୀ । କ’ଣ ଆଉ କରିବ, ସେହି ଭାଇର ହାତରେ ଦିନେ ଏ ଭଉଣୀ ରାକ୍ଷୀ ବାନ୍ଧିଥିଲା । ଆଉ ଏଇ କିଛି ଦିନ ତଳେ ଟଙ୍କା ଅଭାବରୁ ଭାଇର ମୁହଁରେ ନିଆଁ ଦେବାକୁ କାଠ ଯୋଗାଡ଼ କରିନପାରି ମାଟି ଖୋଳି ପୋତି ଦେଇଛି । ତା’ରି କାମ ପାଇଁ ଏବେ କରୁଛି ଟଙ୍କା ଯୋଗାଡ଼ ।
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶୀଳା ଗାଁର ଇଏ ହେଉଛି ଗୋଟିଏ ଭଉଣୀର ଦୁଃଖ କାହାଣୀ । ଜନ୍ମରୁ ଗରିବୀ ନିଆଁରେ ଜଳିଜଳି ଭାଇ ରମେଶ ବିନ୍ଧାଣୀ ସିନା ଆଖି ବୁଜିଦେଲା, ହେଲେ ଏ ଭଉଣୀର ପିଛାଛାଡ଼ିନି ସେ ଗରିବୀ ରାକ୍ଷସ । ତା’କୁ ଆଜି ଭାଇର ଶୁଦ୍ଧିକ୍ରିୟା ପାଇଁ ପରଦୂଆରେ ଛିଡ଼ା କରିଦେଲା । ଆଉ ସେଇଥିପାଇଁ ଗାଁରୁ ଗାଁକୁ ବୁଲି ଭିକ ମାଗୁଛନ୍ତି ଭଉଣୀ ଜୁନ ବିନ୍ଧାଣୀ । ଟଙ୍କା ଯୋଗାଡ଼ ସରିଲେ ଭାଇର କର୍ମ କରାଯିବ ।
ସ୍ୱାମୀ ପାଖରେ ନାହାନ୍ତି । ଭାଇ ସାଜିଥିଲା ଏ ଭଉଣୀର ସାହାରା । ହେଲେ ସେ ଚାଲିଯିବା ପରେ ଆଜି ଏ ଭଉଣୀ ଭିକ୍ଷା ମାଗୁଛି । ସବୁ କିଛି ତା’ ପାଇଁ ଶେଷ ହୋଇଯାଇଛି । ଖାଲି ଅଛି ଯେମିତି ଏ ଦୁଇ ଆଖିର ଅସରନ୍ତି ଲୁହ । ଏପରି ସମୟରେ ଅସହାୟ ଜୁନ କେବଳ ସାହାଯ୍ୟର ଅପେକ୍ଷାରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)