Budget Session: ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ, ଗୃହରେ ଶୃଙ୍ଖଳା ବନ୍ଧ ଡେଇଁଲେ ହେବ କଡ଼ା ଆକ୍ସନ

ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ । ଏଥର ଆଉ ବରଦାସ୍ତ କରାଯିବନି ବିଶୃଙ୍ଖଳା ! ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।

‘ଗୃହରେ ଗଣ୍ଡଗୋଳ କଲେ ଆକ୍ସନ’

ଆଉ ଚଳିବନି ବିଶୃଙ୍ଖଳା । ବିଧାନସଭାର ଶୃଙ୍ଖଳା ଗଣ୍ଡି ବାହାରକୁ ଗଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ବଜେଟ୍ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବିଶୃଙ୍ଖଳିତ ବିଧାୟକଙ୍କୁ ଏଭଳି ସତର୍କ ବାଣୀ ଶୁଣାଇଛନ୍ତି ବାଚସ୍ପତି । ଯାହାକୁ ନେଇ ତେଜିଛି ରାଜନୀତି । ବାଚସ୍ପତିଙ୍କ ନାଲି ଆଖିକୁ ଡର ନାହିଁ ବୋଲି ବିଜେଡିକଂଗ୍ରେସ କହିଥିବାବେଳେ ବିଜେପି କହିଛି, ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ । ଏଥର ଆଉ ବରଦାସ୍ତ କରାଯିବନି ବିଶୃଙ୍ଖଳା ! ବିରୋଧୀ ଦଳ ବିଧାୟକ ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଆସନ୍ତା ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ଆଉ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବିଧାୟକମାନଙ୍କୁ ଏଭଳି ରୋକ୍ ଠୋକ୍ ବାଣୀ ଶୁଣାଇ ସତର୍କ କରିଛନ୍ତି ବାଚସ୍ପତି । ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଏବେ ବିରୋଧୀ ଭୂମିକାରେ ଅଛି । ନୂଆ ସରକାରକୁ ଟାର୍ଗେଟ କରିବା ଲାଗି କିଛି ବିରୋଧୀ ବିଧାୟକ ବାରମ୍ବାର ଗୃହରେ ବିଶୃଙ୍ଖଳିତ ଆଚରଣ କରୁଥିବା ଦେଖିବାକୁ ମିଳୁଥିବାରୁ ବାଚସ୍ପତି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ’

କେତେବେଳେ ବିରୋଧୀ, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ଯାଉଛନ୍ତି ତ ଆଉ କେତେବେଳେ ଗୃହ ମଧ୍ୟ ଭାଗରେ ଫାଇଲ୍ ଫିଙ୍ଗୁଛନ୍ତି। ଫଳରେ ଗୃହ ବାରମ୍ବାର ଅଚଳ ହେଉଛି। ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କ ସହଯୋଗ ଲୋଡିଥାନ୍ତି । ଏହାସତ୍ତ୍ବେ ବି ବିରୋଧୀ ଗୃହରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରି ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ନୂଆ ସରକାର ଆସିବା ପରେ ବିଧାନସଭାର ପ୍ରଥମ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଓ ମାଧବ ଧଡାଙ୍କ ବିରୁଦ୍ଧରେ ୨୪ ଅଗଷ୍ଟ ୨୦୨୪ରେ ନିନ୍ଦା ପ୍ରସ୍ତାବ ଆଣିଥିଲା ସରକାରୀ ଦଳ ।

ସେହିପରି ଗତ ଅଧିବେଶନରେ ବି ଗୃହରେ ଆଚରଣ ଠିକ୍ ନରହିବାରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେଡିର ଦୁଇ ବିଧାୟକ ବ୍ରଜ ପ୍ରଧାନ ଏବଂ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆସିଥିଲା । ତେବେ ଗୃହ କାର୍ଯ୍ୟ ଶୃଙ୍ଖଳିତ କରିବାକୁ ବାଚସ୍ପତିଙ୍କ ତାଗିଦ ପରେ ବିଜେଡି ଓ କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନାଲି ଆଖି ଦେଖାଇ ଡରାଇ ପାରିବେ ନାହିଁ । ସେମାନେ ବିରୋଧୀରେ ଥିବାବେଳେ ଯାହା କରିଥିଲେ ଆମ ତାହା କରିବାକୁ ବାଧ୍ୟ କରନ୍ତୁନି । କଂଗ୍ରେସ କହିଛି ଚେତାବନୀକୁ ଖାତିର ନକରି ଲଢେଇ କରିବୁ । ସେପଟେ ବିଜେପି କହିଛି ବିଶୃଙ୍ଖଳିତଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି । ଏବେ ଦେଖିବାର କଥା, ବାଚସ୍ପତିଙ୍କ ଚେତାବନୀ ପରେ ଆଗାମୀ ବଜେଟ ଅଧିବେଶନରେ ବିରୋଧୀ ବିଧାୟକଙ୍କ ଆଚରଣ କିପରି ରହୁଛି ।

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?