• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରିଲାଣି ଧାମନଗର ଉପନିର୍ବାଚନ । ହେଲେ ସରୁନି ଆଲୋଚନା । ଏବେ ବି ନେତାଙ୍କ ମନରେ ରହିଯାଇଛି ଧାମନଗର ଭାଇବ୍‌ସ । କାରଣ ୨୦୦୯ ପରେ କେବେ ବି ଉପନିର୍ବାଚନ ହାରିନଥିବା ବିଜେଡି ଏଠାରେ ମାଟି କାମୁଡ଼ିଛି । ଏତେ ନେତାମନ୍ତ୍ରୀ ଧାମନଗରରେ ଡେରା ପକାଇବା ପରେ ବି ସେଠାରେ ବିଜେଡି କେମିତି ମାଟି କାମୁଡ଼ିଲା ? ସେନେଇ ଏବେ ନେତାଙ୍କୁ ଚିନ୍ତା ଘାରିଛି ।

ତେବେ ଏହାରି ଭିତରେ ଧାମନଗର ଉପନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ । ସେ କହିଛନ୍ତି ବିଜେଡିର କିଛି ନେତା ସ୍ୱାଧୀନ ପ୍ରାର୍ଥୀଙ୍କୁ ଫଣ୍ଡିଂ କରିବାରୁ କଂଗ୍ରେସକୁ ମିଳିବାକୁ ଥିବା ୮ରୁ ୧୦ ହଜାର ଭୋଟ କମିଗଲା । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ସବୁ ଉପନିର୍ବାଚନରେ ପଛରେ ରହିଯାଉଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ପଦ୍ମପୁରରେ କଂଗ୍ରେସର ଭଲ ପ୍ରାର୍ଥୀ ଅଛନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜିଠାରୁ ବିଧିବଦ୍ଧ ଭାବେ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ହୋଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ ଭୁବନେଶ୍ୱର ପାର୍ଟି ଅଫିସ ଯାଇଥିଲେ । ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଠାରେ ସେ କହିଥିଲେ, ତାଙ୍କ ବିଜୟ ହେଉଛି ଧାମନଗରବାସୀଙ୍କ ବିଜୟ ।

ଧାମନଗରବାସୀଙ୍କ ବିକାଶ ଓ ଦଳ ପାଇଁ ସେ ଗୁଣ୍ଡୁଚି ମୁଷା ଭଳି କାମ କରିବେ । ଧାମନଗର ଉପନିର୍ବାଚନରେ ୯ ହଜାରରୁ ଅଧିକ ଭୋଟରେ ସୂର୍ଯ୍ୟବଂଶୀ ବିଜୟୀ ହୋଇଛନ୍ତି । ତାଙ୍କ ବାପା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ଆସନ ଖାଲି ପଡ଼ିଥିଲା । ଆଗକୁ ପଦ୍ମପୁରରେ ହେବ ଉପନିର୍ବାଚନ । ଏଥିପାଇଁ ମଧ୍ୟ ସବୁ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।