ଫସର ଫାଟିଲା ଅରୁଣଙ୍କ ପ୍ଲାନ୍ । ଯେଉଁ ବାଣ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଥିବା ବିଜେଡିକୁ ଅସ୍ତବ୍ୟସ୍ତ କରିଥିଲା । ଯାହାକୁ ଅସ୍ତ୍ର କରି ବିଜେପି ଶାସନକୁ ଆସିଥିଲା । ସେହି ଅସ୍ତ୍ରକୁ ବିଜେପି ବିରୋଧରେ ପ୍ରୟୋଗ କରି ଶାସକ ଦଳକୁ ଘେରିବା ପାଇଁ ପ୍ଲାନ୍ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । କିନ୍ତୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦେଇଦେଲେ ଅରୁଣଙ୍କ ପ୍ରଶ୍ନର ଲିଖିତ ଉତ୍ତର ।
ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ପର୍କରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ । ଏହାପରେ ଲିଖିତ ଉତ୍ତର ରଖି ସ୍ପଷ୍ଟ ଭାବରେ ଅସ୍ମିତାର ଅର୍ଥ ବୁଝାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Also Read
ମନ୍ତ୍ରୀ ସୂର୍ଯ୍ୟବଂଶୀ ନିଜ ଲିଖିତ ଉତ୍ତରରେ ଲେଖିଛନ୍ତି, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଆ ସାହିତ୍ୟ ଏକାଡେ଼ମୀ ଦ୍ୱାରା ୨୦୧୭ ମସିହାରେ ପ୍ରକାଶିତ ଓ ୨୦୨୦ ମସିହାରେ ପୁନଃପ୍ରକାଶିତ ଚଳନ୍ତି ଓଡ଼ିଆ ଅଭିଧାନ ଅନୁଯାୟୀ ଅସ୍ମିତା ଶବ୍ଦର ଅର୍ଥ- ଅସ୍ମିତା ବି. ମୁଁ ପଣ, ଅହଂଜ୍ଞାନ, ମୁଁ ଭାବ, ମୁଁ ଅଛି-ଏହି ଭାବ, ଆତ୍ମ ପରିଚିତ ।
ଅଧିକ ପଢ଼ନ୍ତୁ : ଘଡେଇ ପରିବାରକୁ ଦରକାର ୪ ଟିକେଟ୍, କଟାକ୍ଷ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ତେବେ ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରୁଣ କହିଛନ୍ତି ମନ୍ତ୍ରୀଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । ମୁଁ ଉତ୍ତର ବୁଝି ନପାରିବାରୁ ପୁଣିଥରେ ପଚାରିଲି । ଅପରପକ୍ଷେ ଏହାକୁ କାଉଣ୍ଟର କରି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସେ ସମୟର ସରକାର 'ଅସ୍ମିତା' ଶବ୍ଦର ଅର୍ଥ ଯାହା ବୁଝିଥିଲେ ଆମେ ତାକୁ କେବଳ କୋଟ୍ କରିଛୁ । ନିର୍ବାଚନ ପୂର୍ବରୁ ବିଜେଡିକୁ ଅସ୍ତବ୍ୟସ୍ତ କରିଥିଲା 'ଅସ୍ମିତା' ଶବ୍ଦ । ତେବେ ବିଧାନସଭାରେ ପୁଣି ଅରୁଣ ପଚାରିଥିବା 'ଅସ୍ମିତା' ସମ୍ପର୍କିତ ପ୍ରଶ୍ନ କେଉଁ ଦିଗକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।
ଅନ୍ୟପଟେ ରାଜ୍ୟରେ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଚଳିତ ବିଧାନସଭାରେ ଶାସକ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲା ବିଜେଡି । ବିଜେଡି ବିଧାୟକମାନେ ଶଙ୍ଖ ଭବନରେ ବିରୋଧୀ ଦଳ ନେତା ନବୀନଙ୍କ ନେତୃତ୍ୱରେ ରଣନୀତି ସ୍ଥିର କରିଥିଲେ । ଧାନମଣ୍ଡି ଅବ୍ୟବସ୍ଥା, ବାରବାଟୀ କ୍ରିକେଟ ମ୍ୟାଚ୍ ବିଭ୍ରାଟ, ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସ୍ଥିର କରିଥିଲା ବିଜେଡି ।
ଅପରପକ୍ଷେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଥିଲା ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧୀଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଥିଲା ଶାସକ ଦଳ ।