ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତଙ୍କ ବଡ ବୟାନ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ବିଜେଡି ରାଜନୀତିରେ ଷଡଯନ୍ତ୍ର କଥା ଉଠାଇ ଦେଇଥିବା ଭାଷଣର କଲେ ଡିକୋଡିଂ । ପ୍ରଦୀପ କହିଲେ, ପ୍ରଫୁଲ୍ଲ ଘଡେଇ ଯାହା କହିଛନ୍ତି ତାର ଅର୍ଥ ହେଲା ପ୍ରୀତିରଞ୍ଜନ ଘଡାଇ ଆଉ ସୁକିନ୍ଦାରେ ଜିତି ପାରିବେନି। ସେଥିପାଇଁ ତାଙ୍କୁ କୋରେଇ ପଠାଇବାକୁ ସେ ଯୋଜନା କରୁଛନ୍ତି । ଆଉ ନିଜେ ପ୍ରଫୁଲ୍ଲ ଘଡେଇ ସୁକିନ୍ଦାରୁ ପୁଣି ଲଢ଼ିବାକୁ ଇଚ୍ଛା ରଖିଛନ୍ତି । ୨୦୨୯ ବେଳକୁ ପ୍ରଫୁଲ୍ଲଙ୍କୁ ୯୦ ବର୍ଷ ହୋଇଥିବ । ସେଥିରେ ବି ସେ ଇଚ୍ଛା ରଖିଛନ୍ତି ସୁକିନ୍ଦାରୁ ପୁଣି ନିର୍ବାଚନ ଲଢିବାକୁ । ବିଜେଡ଼ି ବିଜେପି କିଛି ନୁହଁ ଯେଉଁଠୁ ମୌକା ପାଇବେ ପରିବାର ସାରା ଲଢିବେ। ଘଡାଇ ପରିବାରକୁ ଗୋଟିଏ କଣ ୪ଟି ଟିକେଟ ଦେଲେ ବି ସେ ନେବେ। ଏହା କହିଛନ୍ତି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଏମିତି କହି କଟାକ୍ଷ କରିଛନ୍ତି ପ୍ରଦୀପ ।
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଗତକାଲି ଏକ କାର୍ଯ୍ୟକ୍ରମରେ ପୁଅ ପ୍ରୀତିରଂଜନଙ୍କ ସଂପର୍କରେ ମନ୍ତବ୍ୟ ଦେବା ସହ ବିଜେଡିର ଖୋଲିଥିଲେ ପୋଲ୍। ଦଳରେ ଷଡ଼ଯନ୍ତ୍ର ଚାଲିଥିଲା, ଅହଂକାର ଯୋଗୁ ବିଜେଡିର ପରାଜୟ ହୋଇଛି ବୋଲି ସେ କହିଥିଲେ। ଯାହାର ଆଜି କଡ଼ା ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ଅଧିକ ପଢ଼ନ୍ତୁ : ନବୀନ ନିବାସରୁ ଫୋନ୍ ଆସିଲେ କାହିଁକି ହୁଏ ସନାଙ୍କ ଦେହ ଖରାପ ?
ସେ କହିଛନ୍ତି, ପ୍ରଫୁଲ୍ଲ ଜାଣିଥିବେ କେଉଁଠି କିଏ ଷଡ଼ଯନ୍ତ୍ର କରିଥିଲା। ଆମେ ଜାଣିନୁ। ଦଳରେ କେଉଁ ଜାଗାରେ ଷଡ଼ଯନ୍ତ୍ର ଚାଲିନି। କୌଣସି ଜାଗାରେ ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ଚାଲିନି। ଆଗରୁ ହୋଇ ନଥିଲା କି ଏବେ ବି ହେଉନି। ଦଳ ଯେମିତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିଲା ସେମିତି ଚାଲିଛି।
ଦଳରେ କିଛି ଅହଂକାର ବଢିନି କି କାହାର ଅହଂକାର ବଢିନି। ଦଳ ଯେମିତି ଚାଲିବା କଥା ଚାଲିଛି। ପ୍ରଫୁଲ୍ଲ ଘଡେ଼ଇ କାହିଁକି କହୁଛନ୍ତି ତାଙ୍କୁ ପଚାରନ୍ତୁ। ଆଉ କିଏ ଷଡ଼ଯନ୍ତ୍ର କରିଥିଲା ତାଙ୍କୁ ପଚାରୁ ନାହାନ୍ତି କାହିଁକି ବୋଲି କହିଛନ୍ତି ପ୍ରମିଳା।
ଗତକାଲି ବିଜେଡିର ପୋଲ ଖୋଲି ପ୍ରଫୁଲ୍ଲ କହିଥିଲେ, ଦଳୀୟ ଚକ୍ରାନ୍ତର ଶିକାର ହୋଇ ପ୍ରୀତିରଞ୍ଜନଙ୍କୁ କୋରେଇ ଆସନ ଛାଡ଼ିବାକୁ ପଡିଥିଲା। ପ୍ରୀତିରଞ୍ଜନ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ଯିବାକୁ ପଡିଲା ସୁକିନ୍ଦା। ସେତେବେଳେ ସୁକିନ୍ଦା ପାଇଁ ନୋମିନେସନ ଫାଇଲ କରିବାକୁ ଯିବାବେଳେ ପ୍ରୀତିରଞ୍ଜନଙ୍କ ଆଖିରୁ ଲୁହ ଝରିପଡୁଥାଏ। କୋରେଇବାସୀ କହୁଥାନ୍ତି ଡାନି ଭାଇ ଆମ କୋରେଇ ପାଇଁ ନୋମିନେସନ କର, ସୁକିନ୍ଦା ପାଇଁ କର ନାହିଁ। ସେ ଦୃଶ୍ୟ ମୁଁ ଦେଖିଛି। ମୋ ଆଖିରୁ ମଧ୍ୟ ଲୁହ ଆସିଯାଉଥାଏ। ଦଳୀୟ ରାଜନୀତିର ଶିକାର ହୋଇ ସେଦିନ ଠାରୁ ମୁଁ ସକ୍ରିୟ ରାଜନୀତିରୁ ଦୂରେଇଯାଇଛି ବୋଲି କହିବା ସହ ବଡ଼ ମନ୍ତବ୍ୟ ଦେଇଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ।
ପ୍ରଫୁଲ୍ଲ ଆହୁରି କହିଛନ୍ତି, ପ୍ରୀତିରଞ୍ଜନ ତାର ଜନ୍ମମାଟି, ପ୍ରିୟମାଟି ଓ ବନ୍ଧୁ ବାନ୍ଧବଙ୍କୁ ଛାଡି ସୁକିନ୍ଦା ଯାଇଛି। ଅହଂକାରରେ ରାଜନୈତିକ ଦଳ ଭାଙ୍ଗିଯାଏ। ଗର୍ବ ଅହଙ୍କାର ଜୀବନର ବଡ଼ ଶତ୍ରୁ। ଅହଙ୍କାର ବହୁତ କ୍ଷତି କରେ। ଅହଂକାରରେ ବ୍ୟକ୍ତି ନଷ୍ଟ ହୋଇଯାଏ। ଅହଙ୍କାରରେ ସରକାର ଭାଙ୍ଗିଯାଏ। ଅହଙ୍କାରରେ ସମାଜ ବି ଓଲଟି ପଡେ ବୋଲି କୋରେଇ ନିର୍ବାଚନ ମଣ୍ଡଳୀ କରଦା ହରିହାଟ ମହୋତ୍ସବ ମଞ୍ଚରୁ ଏଭଳି ମନ୍ତବ୍ୟ ଦେଇଥିଲେ ପ୍ରଫୁଲ୍ଲ ଘଡ଼େଇ।
ଅଧିକ ପଢ଼ନ୍ତୁ : ସନାଙ୍କୁ ତାଗିଦ୍ କଲେ ନବୀନ;ଏମିତି କହିଲେ ଜୟନାରାୟଣ ମିଶ୍ର
- Reported by:
- JAGDISH DAS