/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735226422.jpg)
ଆରବର୍ଷରୁ କଲେଜ୍ ଇଲେକ୍ସନ୍
ବନ୍ଦ କରିଥିଲେ ନବୀନ, ଆରମ୍ଭ କରିବେ ମୋହନ । ଆସନ୍ତାବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । କଟକ ଏବିଭିପି ରାଜ୍ୟ ଅଧିବେଶନରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ପୂର୍ବ ସରକାର ଏହାକୁ ବନ୍ଦ କରି ରଖିଥିଲେ । କିନ୍ତୁ ନୂଆ ସରକାର ନିର୍ବାଚନ କରିବା ନେଇ ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ୭ ବର୍ଷ ହେବ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବା ଆଶା ବଢିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।
ଏବର୍ଷ ସିନା ହେଲାନି, ଆସନ୍ତାବର୍ଷ ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ । କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାରେ ଉତ୍ସାହିତ ଛାତ୍ରଛାତ୍ରୀ । ଦୀର୍ଘ ୭ ବର୍ଷ ପରେ କ୍ୟାମ୍ପସକୁ ପୁଣି ନିର୍ବାଚନ ଫେରିବାର ସ୍ପଷ୍ଟ ସଂକେତ ସହ ପୂର୍ବ ସରକାରକୁ ବି ଧୋଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଗତ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲା। କିନ୍ତୁ ନୂଆ ସରକାର ସେହି ପରମ୍ପରାକୁ ଆରମ୍ଭ କରିବେ । ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବେ।
ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ
ଶେଷ ଥର ପାଇଁ ୨୦୧୭ରେ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କରେ ସରକାରୀ ବିରୋଧୀ ହାୱାକୁ ଦେଖି ପୂର୍ବରୁ ବିଜେଡି ସରକାର ୨୦୧୮ ମସିହାରୁ କେତେବେଳେ ବାତ୍ୟା, କେତେବେଳେ କୋଭିଡ୍ ତ ପୁଣି କେବେ କ୍ୟାମ୍ପସ ଉତ୍ତେଜନା ବାହାନାରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦେଇଥିଲେ । ଆଉ ଏଥିସହିତ ବନ୍ଦ ହୋଇଯାଇଥିଲା ନେତୃତ୍ବ ବିକାଶର ଏନ୍ତୁଡ଼ିଶାଳ । ବିଜେପି ବିରୋଧୀ ଦଳରେ ଥିବା ବେଳେ କ୍ୟାମ୍ପସ ଗୁଡିକରେ ଏହାକୁ ପ୍ରମୁଖ ମୁଦ୍ଦା କରିଥିଲା ।
ଏମିତି କି ରାଜରାସ୍ତାକୁ ଓହ୍ଲାଇବା ସହ ସେତେବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିଥିଲେ ବିଭିନ୍ନ ଛାତ୍ର ସଂଗଠନ । ଫଳରେ ଇଲେକ୍ସନ ବଦଳରେ କେବଳ କଲେଜଗୁଡିକରେ ବିଭିନ୍ନ ରାଜନୈତିକ ଦଳର କ୍ୟାମ୍ପସ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ବିଜେପିର ନିର୍ବାଚନ ପ୍ରତିଶ୍ରତିରେ ବି ଥିଲା ଛାତ୍ର ସଂସଦ ନିର୍ବାଚନ। ଯଦିଓ ଚଳିତ ବର୍ଷ ନିର୍ବାଚନ କରିବା ନେଇ ସରକାର ବିଚାର କରିଥିଲେ କିନ୍ତୁ ସମୟ ଅଭାବ ଯୋଗୁଁ ପ୍ରସ୍ତୁତି ହୋଇ ପାରିନଥିଲା । ଛାତ୍ର ସଂସଦ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା ପରେ, ଆଗକୁ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଇବାରେ କେତେ ସଫଳ ହେଉଛନ୍ତି ରାଜ୍ୟ ସରକାର ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)