ASO ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ଝଡ଼ । ଗତକାଲି ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ବାଣ ପରେ ଆଜି ବିଜେଡି ଗୃହରେ ହଟ୍ଟଗୋଳ କରିଛି । ଯାହାଫଳରେ ପ୍ରଥମାର୍ଦ୍ଧରେ ଗୃହ ଚାଲିପାରି ନଥିଲା । ବିଜେଡି ପ୍ରମାଣ ମାଗିଥିବା ବେଳେ ବିଜେପି ଆଜି ପୁଣି ବିଜେଡିକୁ ଟାର୍ଗେଟ୍ କରିଛି ।
Also Read
ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା । ଏହି ବିବୃତି ପରେ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲା ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ବିଜେଡି ବିଧାୟକମାନେ ଆସି ନାରାବାଜି କରିଥିଲେ । ଯଦି ASO ଚାକିରି ବିକ୍ରି ହୋଇଛି ତାହେଲେ ସରକାର ଗଠନକୁ ୬ ମାସ ବିତିଲାଣି, କି ପଦକ୍ଷେପମାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମାଣ ଦେଇ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି । କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଶାଇଛି । ସେପଟେ ବିଜେପି କହିଛି ଶିକ୍ଷାକୁ ବ୍ୟବସାୟ କରି କିଛି ବଣିକ, ବିଜେଡି ସରକାରର ଛତ୍ରଛାୟାରେ ଚାକିରି ବିକ୍ରି କରୁଥିଲେ । ଏପରିକି ଆଶାୟୀ UPI ଜରିଆରେ ଚାକିରି ପାଇଁ ଟଙ୍କା ଦେଇଥିବା ସାଂଘାତିକ ଅଭିଯୋଗ କରିଛି ବିଜେପି ।
ଅଧିକ ପଢ଼ନ୍ତୁ: ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ
ସେପଟେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସାରା ରାଜ୍ୟରେ ପଡ଼ିଛି ଚହଳ । ଯେଉଁମାନଙ୍କ ମନରେ ପରୀକ୍ଷା ଅନିୟମିତତା ନେଇ ସନ୍ଦେହ ଥିଲା ସେମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ସହ ସହମତି ପ୍ରକାଶ କଲେଣି । ଏପରିକି ମୋହନ ସରକାରଠୁ ଆଶା ରଖିଛନ୍ତି ଯେ ଯେଉଁମାନେ ବିଗତ ସରକାରରେ ଚାକିରି ବିକ୍ରି କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି । ଶିକ୍ଷାବିତ୍ଙ୍କ ଠାରୁ ଆରମ୍ଭ କରି ଆଶାୟୀଙ୍କ ଯାଏ ସମସ୍ତେ ଆଶା ରଖିଛନ୍ତି ମୋହନ ସରକାର ଆଣିଥିବା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ପରୀକ୍ଷାକୁ ସ୍ବଚ୍ଛ କରିବ ଓ ଯୋଗ୍ୟ ପ୍ରାର୍ଥୀ ଚାକିରି ପାଇବେ ।
କେବଳ ଯେ ASO ପରୀକ୍ଷାରେ ଅନିୟମିତତା ହୋଇଥିଲା ତା ନୁହଁ ୨୦୨୩ ଜେଇ ପରୀକ୍ଷାରେ ବି ବ୍ୟାପକ ଦୁର୍ନୀତି ହୋଇଥିବା ସାମନାକୁ ଆସିଛି । ଦେଖିବାର କଥା ମୋହନ ସରକାରଙ୍କ ଏଭଳି କଡ଼ା ପଦକ୍ଷେପ ଶିକ୍ଷା ଦଲାଲଙ୍କୁ କିପରି ସାବାଡ୍ କରୁଛି ।