/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732421293.jpg)
ଯାଜପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ବିବାଦ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଗିରଫ ଆଦି ଘଟଣାକୁ ନେଇ ଯାଜପୁରରେ ଆଇନ ଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସର ଫ୍ଲାଗମାର୍ଚ। ଏହିସବୁ ଘଟଣାକୁ ନେଇ ଗଲା ୪ ଦିନ ହେବ ରାଜନୈତିକ ଉଷ୍ମତା ଲାଗି ରହିଛି। ସେ ଦୃଷ୍ଟିରେ ଯାଜପୁରରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗମାର୍ଚ୍ କରାଯାଇଛି।
ଭାରପ୍ରାପ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ୟସ ପ୍ରତାପ ଶ୍ରୀମାଲ ପ୍ରମୁଖ ଶାନ୍ତି ବଜାୟ ରଖିବା ପାଇଁ ସଚେତନ କରିଛନ୍ତି। ସେପଟେ ଯାଜପୁର ଥାନା ଓ ବିରଜା ହାଟ ଅଞ୍ଚଳ ରେ ବିଏନଏସ ୧୬୩ ଜାରି ହୋଇଥିବା ବେଳେ ସହରରେ ଶାନ୍ତି ରକ୍ଷା ଲାଗି ୪୦ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ-ବିପକ୍ଷବାଦୀ; ଜାଣନ୍ତୁ କ’ଣ ଏହି ବିବାଦ...
ତେବେ କୁହାଯାଉଛି ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ? ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ। ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ପୁଣି ସାଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି। ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ବୋଲି ବି ଚେତାଇ ଦେଇଛନ୍ତି ହିମାଂଶୁ ।
ଏହାସହ ସେଦିନର ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଛନ୍ତି ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ ।
ହେଲେ କାହିଁକି ଆରମ୍ଭ ହେଲା ଏ ଗଣ୍ଡଗୋଳ ? ଯାଜପୁର ବିରଜା ହାଟ ପ୍ରସଙ୍ଗକୁ ନେଇ ହିଁ ଏତେ ନାଟ । କାରଣ ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠି ଭଲ ବ୍ୟବସାୟ ହେଉ ନଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ତିଆରି ହୋଇଯାଇ ଥିଲେ ଦୁଇ ଗୋଷ୍ଠୀ ।
ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରୁ ବୋଲି ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ । କୁହାଯାଉଛି ବିରୋଧ କରୁଥିବା ଗୋଷ୍ଠୀଙ୍କ ପଛରେ ରହିଛି ବବି ଦାସଙ୍କ ପ୍ରଚ୍ଛଦ ସମର୍ଥନ । ସେଇଥିପାଇଁ ଆଜି ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ବେଳେ ଘଟିଥିଲା ଏ ତୁମୁଳକାଣ୍ଡ । ଆଉ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରିବା ବେଳେ ହୋଇଥିଲା ମରଣାନ୍ତକ ଆକ୍ରମଣ ।
ଅନ୍ୟପଟେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଭୟଙ୍କର ଆକ୍ସନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, କିଛି ଲୋକଙ୍କର ଏପର୍ଯ୍ୟନ୍ତ ଦୋଷ ଛାଡ଼ିନି । ଆଜି ବି ସେୟା କରିବାକୁ ଚେଷ୍ଟ କରୁଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ଆମ ସରକାରକୁ ଜଣାଅଛି । କେବଳ ବିଧାୟକ ନୁହେଁ, ସାଧାରଣ ଲୋକଙ୍କ ଉପରେ ବି ଅତ୍ୟାଚାର କଲେ ଫଳ ଭୋଗିବେ । ଏଭଳି ଘଟଣା ଭବିଷ୍ୟତରେ ଯେଭଳି ନହେବ, ସେଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଶକ୍ତ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)