• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତି ସମୀକରଣକୁ ନେଇ ସରଗରମ ପଦ୍ମପୁର ପଲିଟିକ୍ସ । ସବୁ ଦଳର ଫୋକସ୍‌ରେ ଜାତି ଭୋଟ୍ । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଂଝାଲ, ସହରା, କୁଲତା, ମେହେର ଓ ତେଲି ସମାଜର ରହିଛି ଅଧିକ ଭୋଟ୍ । ଏହାବାଦ୍ ବ୍ରାହ୍ମଣ, ଅଗରିଆ, ମାଳି, ଯାଦବ, କୁମ୍ଭାର ସଂପ୍ରଦାୟର ବି ଆଖିଦୃଶିଆ ଭୋଟ୍ ରହିଛି । ସୂଚନା ଅନୁସାରେ ବିଂଝାଲ ଓ ସହରା ସମାଜର ପ୍ରାୟ ୪୦ ହଜାର, କୁଲତା ସମାଜର ୩୦ ହଜାର, ତେଲି ସମାଜର ୨୮ ହଜାର ଓ ମେହେର ସମାଜର ପ୍ରାୟ ୨୦ ହଜାର ଭୋଟର୍ ଅଛନ୍ତି ।

ସେହିପରି  ବିଂଝାଲ ଓ ସହରା ସମେତ ଅନ୍ୟାନ୍ୟ ଆଦିବାସୀଙ୍କୁ ମିଶାଇ ରହିଛି ପ୍ରାୟ ୨୯ ପ୍ରତିଶତ ଭୋଟ୍ । ତେଣୁ କାଷ୍ଟ କାର୍ଡ ଖେଳି ସେହି ଭୋଟ୍ ହାତେଇବାକୁ ସମସ୍ତେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । ଆଉ ଏଥିରେ ଆଗରେ ରହିଛି ଶାସକ ବିଜେଡି । ତାର ପ୍ରମାଣ ହେଉଛି ଉପନିର୍ବାଚନ ଘୋଷଣା ପରେ ବିଂଝାଲ, କୁଲତା ଓ ମେହେର ସମାଜର ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ସେମାନଙ୍କର ଦାବି ଜଣାଇଛନ୍ତି । ରାଜ୍ୟ ସରକାର ବି ତ୍ୱରିତ ପଦକ୍ଷେପ ନେଇ ପୁରୀରେ କୁଲତା ସମାଜ ପାଇଁ ଧର୍ମଶାଳା ନିର୍ମାଣ ଲାଗି ଜମି ଓ ୩ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କୁ ନେଇ ଜୁଏଲଙ୍କ କଡ଼ା ମନ୍ତବ୍ୟ, ଶୁଣନ୍ତୁ...

ସେହିପରି ମେହେର ସମାଜକୁ ପ୍ରଭାବିତ କରିବା ଲାଗି ଭୁବନେଶ୍ୱର ରେ ଗଙ୍ଗାଧର ମେହେର ଭବନ ନିର୍ମାଣ ପାଇଁ ଜମି ଓ ୩ କୋଟି ଟଙ୍କା ଘୋଷଣା କରାଯାଇଛି । କେବଳ ସେତିକି ନୁହେଁ ବିଜେଡି ପ୍ରାର୍ଥୀ ଚୟନ ବେଳେ ବିଂଝାଲ ସମାଜରୁ ବର୍ଷା ସିଂ ବରିହାଙ୍କୁ ବଛା ଯାଇଥିଲା । ଅନ୍ୟପକ୍ଷରେ କୁଲତା ସମାଜର ନେତା ମହେନ୍ଦ୍ର ବଢେଇଙ୍କୁ ଦଳରେ ସାମିଲ କରାଯିବା ସହିତ ତାଙ୍କୁ ବିଜେଡି ମୁଖପାତ୍ର ବି ନିଯୁକ୍ତ କରାଯାଇଛି ।

ସେପଟେ ବିଜେପି ମଧ୍ୟ ସ୍ଥାନୀୟ ନେତାଙ୍କୁ ଧରି ଜାତି ଭୋଟ୍ ଟାଣିବାକୁ ଉଦ୍ୟମ କରୁଥିବା କୁହାଯାଉଛି । ତେବେ ବିଜେଡି ପଦ୍ମପୁରରେ ଜାତି ରାଜନୀତିର ମଞ୍ଜି ବୁଣୁଥିବା ଅଭିଯୋଗ ଆଣି ଟାର୍ଗେଟ୍ କରିଛନ୍ତି ବିରୋଧୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡା ସମାଲୋଚନା କରି କହିଛନ୍ତି ନିର୍ବାଚନ ବେଳେ ସରକାରଙ୍କର ମେହେର ଓ କୁଲତା ସମାଜ କଥା ମନେ ପଡେ । 

ବିଭିନ୍ନ ସମାଜର ବିଭିନ୍ନ ପ୍ରକାର ଦାବି ରହିଛି । ପୂର୍ବରୁ ସେ ସବୁ ବାରମ୍ବର ଉଠାଇଥିଲେ ବି ସେଥିପ୍ରତି କେହି ଧ୍ୟାନ ଦେଇନାହାନ୍ତି । ଏବେ ଭୋଟ୍ ବେଳରେ ଜାତି ବିକାଶ କଥା ମନେ ପଡିଲା କହି କଟାକ୍ଷ କରିବା ସହିତ ଯେଉଁମାନେ ସେମାନଙ୍କ ଦାବି ପୂରଣ କରିବେ ସେମାନଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

ପଦ୍ମପୁରରେ ଜାତି ଭୋଟ୍ ମ୍ୟାନେଜମେଣ୍ଟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଇନ୍‌ପୁଟ ସବ୍‌ସିଡି, ଫସଲ ବୀମା, ମଣ୍ଡି ଅବ୍ୟବସ୍ଥା, ଦାଦନ ସମସ୍ୟା, ରେଳ ପ୍ରକଳ୍ପ ଓ ସ୍ୱତନ୍ତ୍ର ଜିଲ୍ଲା ଗଠନ ଇସ୍ୟୁ ବି ସେତିକି ଗୁରୁତ୍ୱ ରଖୁଛି । ଦେଖିବାର କଥା ଭୋଟର୍ କାହା ଉପରେ ଭରସା କରୁଛନ୍ତି ।