• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୧୮ରେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ୨୦୨୨ରେ ଜୀବନବ୍ୟାପି ସାଧନା ସମ୍ମାନ । ୨୦୧୮ରେ ଏୟାରପୋର୍ଟରୁ ନବୀନ ନୀବାସ ଯାଏଁ ପାଛୋଟି ନେବାକୁ ଯେମିତି ଭବ୍ୟ ଆୟୋଜନ ହୋଇଥିଲା, ଆଜି ବି ଠିକ୍ ସେମିତି । ୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍‌ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍‌ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।

କହିବାକୁ ଗଲେ ୨୦୧୯ର ପୁରା କପି ପେଷ୍ଟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଦେଖିଲେ ଲାଗୁଥିଲା ଆକ୍ସନ ରିପ୍ଲେ ଭଳି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କୃତ ହୋଇ ଫେରିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ଆଳରେ ଦମ୍ ଦେଖାଇଥିଲା ବିଜେଡି । କହିବାକୁ ଗଲେ ୨୦୨୪ ନିର୍ବାଚନ ପୂର୍ବରୁ ଦଳ ଏହାର ପତିଆରା ଜାହିର୍ କରିବାକୁ ପୁରା ପ୍ରଚେଷ୍ଟା କରିଛି ।

ପାରମ୍ପରିକ ବାଦ୍ୟର ତାଳେତାଳେ ନାଚଗୀତ ସହିତ ସ୍ଳୋଗାନ୍‌ରେ କଂପିଥିଲା ପରିବେଶ । ବିଧାୟକମାନଙ୍କ ନେତୃତ୍ୱରେ ଗୋଟିଏ ପରେ ଗୋଟିଏ ରାଲି ପହଞ୍ଚିଥିଲା ବିଜୁ ପଟ୍ଟନାୟକ ଛକରେ । ନବୀନ ବିମାନ ବନ୍ଦରରେ ପହଞ୍ଚିବା ବେଳକୁ ଜମିଥିଲା ଖଚାଖଚ୍ ଭିଡ଼ । ନବୀନ ଏହି ବସ୍‌ରେ ଚଢ଼ିବା ପରେ ଆରମ୍ଭ ହୋଇଥିଲା ବିଶାଳ ଶୋଭଯାତ୍ରା । ମଝିରେ ମଝିରେ ବସ୍ ଉପରକୁ ଉଠି ନେତା ଓ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ ନବୀନ । କହିଥିଲେ ଏହି ପୁରସ୍କାର ଓଡିଶାବାସୀଙ୍କ ପାଇଁ ଉତ୍ସଗୀକୃତ ।

କୁହାଯାଉଛି ଦଳୀୟ କର୍ମୀମାନଙ୍କୁ ସକ୍ରିୟ କରିବା, ନିର୍ବାଚନ ପାଇଁ ଏବେଠୁ ମାହୋଲ ବନେଇବା, ପୁରୁଣା ହୋଇ ଆସୁଥିବା ବ୍ରାଣ୍ଡ ନବୀନରେ ଚମକ ଆଣିବା ଏବଂ ବିଜେପିର ମିଶନ ଓଡ଼ିଶାକୁ କାଉଣ୍ଟର କରିବା ଥିଲା ଆଜିର କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।

ସେପଟେ ନବୀନଙ୍କୁ ମିଳିଥିବା ପୁରସ୍କାର ଓ ଏହାକୁ ନେଇ ବିଜେଡି କରିଥିବା ଭବ୍ୟ ଶୋଭାଯାତ୍ରାକୁ ନେଇ ବର୍ଷିଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ୍ ଅଭିଯୋଗ କରିଛନ୍ତି ଯେ, ନବୀନଙ୍କ ଲୋକପ୍ରିୟତା କମୁଥିବାରୁ ଏଭଳି କିଣା ପୁରସ୍କାରକୁ ନେଇ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଗଲା ।

ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱା ଥିବାରୁ ୨୦୨୪ରେ ନିର୍ବାଚନ ଜିତିବା ବିଜେଡି ପକ୍ଷରେ ସେତେଟା ସହଜ ହୋଇନପାରେ । ତେଣୁ ଏବେଠୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ନବୀନଙ୍କ ଭାବମୂର୍ତ୍ତିକୁ ଆୟୁଧ କରି ଦଳ ପ୍ରଚାର ପ୍ରସାର ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।