• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ସ୍ୱାଗତ ସମ୍ବର୍ଦ୍ଧନା ଏକ ପ୍ରହସନ, ଏହା କିଣା ଆୱାର୍ଡ ’ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ଓ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଭୁବନେଶ୍ୱରରେ ସ୍ୱାଗତ ସମ୍ବର୍ଦ୍ଧନାକୁ ଏକ ପ୍ରହସନ ବୋଲି କଡ଼ା ସମାଲୋଚନା କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାନ୍ତି, ସିଏ ପୁଣି ଆଓ୍ୱାର୍ଡ ଦେଉଛନ୍ତି । ଯେଉଁ ସଂସ୍ଥା ବି ଏହି ଆଓ୍ୱାର୍ଡ ଦେଇଛନ୍ତି ତାର କ୍ରେଡିବିଲିଟି କ’ଣ ତା’ ବିଷୟରେ ମଧ୍ୟ ଜଣା ନାହିଁ ।

ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆଓ୍ୱାର୍ଡ କିଣନ୍ତି ବୋଲି କଟାକ୍ଷ କରିଛନ୍ତି ଜୟନାରାୟଣ । ଏଇଟା ନୂଆକଥା ନୁହେଁ, ଗତ ଥର ବି ମୁଖ୍ୟମନ୍ତ୍ରୀ ଏପରି ଏକ ପରୁସ୍କାର କିଣିଥିଲେ । ହେଲେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । ନବୀନ ବାବୁଙ୍କ ଏପରି ଡ୍ରାମାକୁ ଲୋକେ ବୁଝିଗଲେଣି । ତେବେ ଜୟନାରାୟଣଙ୍କ ଆକ୍ଷେପକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସେପଟେ ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପାଇ ଆଜି ପୂର୍ବାହ୍ନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏକ ଝଲକ ପାଇବାକୁ ତଥା ତାଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବିମାନବନ୍ଦର ବାହାରେ ଅସମ୍ଭବ ଭିଡ଼ ଜମିଥିଲା । ଏଥିନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି ଅବସରରେ ବିଜେଡି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲି ନାହିଁ ।

ତେବେ ମୁଖ୍ୟମନ୍ତ୍ରୀ ରାଜଧାନୀରେ ପହଞ୍ଚିବା ପୂର୍ବରୁ ପ୍ରମୁଖ ରାସ୍ତା ସବୁ ଘଣ୍ଟା ଘଣ୍ଟା ପାଇଁ ଜାମ୍‌ ହୋଇ ଯାଇଥିଲା । ରାଜଭବନରୁ ଏଜି ଛକରେ ଏକ ଆମ୍ବୁଲାନ୍ସ ପ୍ରାୟ ୪୫ ମିନିଟ୍‌ ପାଖାପାଖି ଅଟକି ରହିଥିଲା । ଆମ୍ବୁଲାନ୍ସଟି ଜଣେ ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ସହାୟତାରେ ଆଣିବାକୁ ରବି ଟକିଜ ଛକ ଯାଉଥିବା ବେଳେ ଏଜି ଛକରେ କିନ୍ତୁ ଅଟକି ରହିଥିଲା । ପୁଲିସ୍‌ ବି ସବୁ ଦେଖି ଚୁପ୍‌ ରହିଲା । ପ୍ରାୟ ୪୫ ମିନିଟ୍‌ ପରେ ଆମ୍ବୁଲାନ୍ସଟି ଏଜି ଛକ ପାର୍‌ କରି ରାଜମହଲ ଅଭିମୁଖେ ଯାଇଥିବା କୁହାଯାଇଛି ।