• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୁଖ୍ୟମନ୍ତ୍ରୀ ଜାପାନ୍‌ରେ, ଚର୍ଚ୍ଚା ଓଡ଼ିଶା ରେ । ରାଜ୍ୟ ବିରୋଧୀ ଦଳ ପାଇଁ ବର୍ତ୍ତମାନ ଏହା ହେଉଛି ମୁଖ୍ୟ ପ୍ରସଙ୍ଗ । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଡ଼ା ସମାଲୋଚନା କରିବା ସହିତ ମେକ୍ ଇନ୍ ଓଡ଼ିଶା ଓ ରାଜ୍ୟରେ ଶିଳ୍ପାୟନ ପ୍ରସଙ୍ଗରେ ମାରିଛନ୍ତି ପ୍ରଶ୍ନବାଣ । ବିଜେପି ଏହି ଗସ୍ତକୁ କେବଳ ଏକ ଧୂଆଁବାଣ କହି ସମାଲୋଚନା କରିଥିବା ବେଳେ ଶାସକ ଦଳର ଯୁକ୍ତି, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।

କାହିଁକି ରାଜ୍ୟକୁ ଆସୁନି ବିଦେଶୀ ପୁଞ୍ଜି? ମେକ୍ ଇନ୍ ଓଡ଼ିଶା ଆୟୋଜନ ଖର୍ଚ୍ଚଠୁ ବି ନିବେଶ କମ୍ । ଅବହେଳିତ ଓଡ଼ିଆ ନିବେଶକ ଆଉ ଶିଳ୍ପପତି । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଏଭଳି ଶାଣିତ ଆକ୍ରମଣ କରିଛନ୍ତି ।

ବିଦେଶୀ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ରେ ଥିବାବେଳେ ବିଜୟ, ସରକାରଙ୍କୁ ପଚାରିଛନ୍ତି ୧୦ ଟି ପ୍ରଶ୍ନ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ନାଁ ନେଇ କହିଛନ୍ତି ରାଜ୍ୟରେ ଶିଳ୍ପାୟନ ନଥିବାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଛି । RTI ତଥ୍ୟ ରଖି କହିଛନ୍ତି ଯେ ୨୦୧୬ରୁ ୨୨ ଯାଏ ରାଜ୍ୟକୁ ମାତ୍ର ୫ଟି ବିଦେଶୀ ନିବେଶକ ଆସିଛନ୍ତି । ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କି ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଥିବା ଜମି ଓ ମାର୍କେଟିଂ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି ସରକାର । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପ ପାଇଁ ବ୍ୟବସ୍ଥା ଓ ଷ୍ଟାର୍ଟ ଅପ୍ ଲାଗି ସରକାରୀ ସହାୟତା କାହିଁକି ଦିଆଯାଉନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ସେହିପରି ପିସିସି ସଭାପତି ଅଭିଯୋଗ ଆଣିଛନ୍ତି, ନିର୍ବାଚନ ଆସିଲେ ମେକ୍ ଇନ୍ ଓଡ଼ିଶା କଥା ସରକାରଙ୍କ ମନେପଡେ । ବିଜେପି ବି ମୁଖ୍ୟମନ୍ତ୍ରୀଙ୍କ ଜାପାନ୍ ଗସ୍ତକୁ ଧୁଆଁବାଣ ବୋଲି କହିଛି । ଜବାବରେ ବିଜେଡି କହିଛି, ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।

୧୦ ବର୍ଷ ହେଲା ବିଦେଶ ନାଁ ଧରୁ ନ ଥିବା ନବୀନ ବର୍ଷକ ଭିତରେ ଦୁଇ ଦୁଇ ଥର ଦେଶ ବାହାରକୁ ଗଲେଣି । ଗତବର୍ଷ ଜୁନ୍  ମାସରେ ନବୀନ ଦୁବାଇ ଓ ରୋମ୍ ଗସ୍ତରେ ଯାଇଥିବା ବେଳେ ଏବେ ଜାପାନ ଗସ୍ତରେ ଅଛନ୍ତି। କିନ୍ତୁ ଗସ୍ତ କାଳରେ ନବୀନ ନେଇଥିବା ଟିମ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ରାଜ୍ୟର ସର୍ବପୁରାତନ ଶିଳ୍ପ ସଂଘ ୟୁସିସିଆଇ ଅଭିଯୋଗ ଆଣିଛି ଯେ, ନିବେଶ ଆଣିବାକୁ ଜାପାନ ଯାଇଛନ୍ତି ମୁଖ୍ୟମନ୍ତ୍ରୀ କିନ୍ତୁ ଶିଳ୍ପ ସଂଘ କି ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ପ୍ରତିନିଧିଙ୍କୁ ନେଇନାହାଁନ୍ତି । ଯାହାଫଳରେ ପୁଞ୍ଜିନିବେଶ ବାଧାପ୍ରାପ୍ତ ହୋଇପାରେ ।

ଗୋଟିଏ ପଟେ ପୁଞ୍ଜିନିବେଶ ଓ ଅନ୍ୟପଟେ ବିଦେଶ ଗସ୍ତ । ଏହାରି ଭିତରେ ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ବାସ୍ତବିକତାରେ ପରିଣତ ହେବ ନା ରାଜନୀତି ପଶାପାଲିରେ କେବଳ ପ୍ରସଙ୍ଗ ହେବ ତାକୁ ନେଇ ଚର୍ଚ୍ଚା ଜୋର ।

(ରିପୋର୍ଟ- ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ, ହରିହର ଚାନ୍ଦ, ଜଗଦୀଶ ଦାସ)