/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750431285.jpg)
ନବୀନଙ୍କ ଚିକିତ୍ସା ଗସ୍ତ ଓ ଭିଡ଼ ଚର୍ଚ୍ଚା
ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ଦୁଇ ଦିନ ପରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସର ଅସ୍ତ୍ରୋପଚାର ହେବ ବୋଲି ବିଜେଡି ଦଳର ନେତା ସୂଚନା ଦେଇଛନ୍ତି । ତେବେ ୨୪ବର୍ଷ କ୍ଷମତାରେ ଥିବାବେଳେ ସବୁବେଳେ ନିଜ ସ୍ବାସ୍ଥ୍ୟଗତ ସମସ୍ୟାକୁ ଲୁଚାଇ ଆସୁଥିବା ନବୀନ ନିଜେ ଅସୁସ୍ଥ ଥିବା ସୋସିଆଲ୍ ମିଡିଆରେ ଦର୍ଶାଇବା ଓ ମୁମ୍ବାଇ ଯିବା ପୂର୍ବରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଦାୟ ଦେବାକୁ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ନେତା ଓ କର୍ମୀ ଭିଡ଼ ଲଗାଇବା, ସାଧାରଣରେ ସୃଷ୍ଟି କରିଛି ଗୁଞ୍ଜରଣ ।
ଅଧିକ ପଢ଼ନ୍ତୁ: ବିଜେଡି-କଂଗ୍ରେସକୁ ମୋଦିଙ୍କ ଭର୍ତ୍ସନା; ଆଗରୁ ଭ୍ରଷ୍ଟାଚାରରେ ଓଡ଼ିଶା ବେହାଲ୍ ଥିଲା, ଗରିବଙ୍କୁ ହକ୍ ମିଳୁନଥିଲା
ନବୀନଙ୍କ ଦେହ ଭଲ ନାହିଁ, ମୁମ୍ବାଇ ଗଲେ ଚିକିତ୍ସା ପାଇଁ । ବିରୋଧୀ ଦଳ ନେତାଙ୍କୁ ବାଟେଇ ଦେବାକୁ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ଭିଡ଼ ଜମାଇଥିଲେ ଶଙ୍ଖ ଦଳର ନେତା, କର୍ମୀ ଓ ଫ୍ୟାନ୍ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ସର୍ଭାଇକାଲ୍ ଆର୍ଥ୍ରାଇଟିସରେ ଆକ୍ରାନ୍ତ । କିଛି ଦିନ ହେଲା ଅଧିକ ଯନ୍ତ୍ରଣା ପାଉଛନ୍ତି । ଆସନ୍ତା ୨୨ ତାରିଖରେ ମୁମ୍ବାଇସ୍ଥିତ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯିବ । ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ଏହାର ତତ୍ତ୍ବାବଧାନ କରୁଛନ୍ତି । ଚିକିତ୍ସା ପାଇଁ ଆଜି ନବୀନ ମୁମ୍ବାଇ ଯିବା ସମୟରେ ବିଦାୟ ଜଣାଇବାକୁ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ବିଜେଡି ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଥିଲା। ଯେହେତୁ ପୂର୍ବରୁ ନିଜେ ନବୀନ ତାଙ୍କ ଚିକିତ୍ସା ସମ୍ପର୍କରେ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ, ତେଣୁ ମୁମ୍ବାଇ ଯାଉଥିବା ଶୁଣି ନେତା ଓ ଶୁଭେଚ୍ଛୁ ତାଙ୍କୁ ଦେଖା କରିବାକୁ ଧାଇଁ ଆସିଥିଲେ। ମହିଳାମାନେ ହୁଳହୁଳି ଦେଇ ବିଦାୟ ଦେଇଥିଲେ।
ନବୀନ ଅସୁସ୍ଥ, ତାଙ୍କ ଶରୀରରେ ଅସ୍ତ୍ରୋପଚାର ହେବ- ଏକଥା ପ୍ରଥମ ଥର ପାଇଁ ଖୋଲାଖୋଲି ସାମ୍ନାକୁ ଆସିଛି । ୨୦୦୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ଯେଉଁ ନବୀନ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ସବୁବେଳେ ଗୋପନ ରଖିବାକୁ ପସନ୍ଦ କରି ଆସିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବା ପରେ ଏବଂ ଦଳ ହାରିବାର ବର୍ଷକ ପରେ ହଠାତ୍ ନିଜେ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଯାଉଥିବା କଥା ନବୀନ କହିବା ଗୁଞ୍ଜରଣ ସୃଷ୍ଟି କରିଛି । ଏମିତିକି ୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସେତେବେଳର ବିରୋଧୀଦଳ ଓ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହୋଇଥିଲା। ହେଲେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ସ୍ପଷ୍ଟୀକରଣ ଦେଇଥିଲେ। ଆଉ ଏବେ ଅସୁସ୍ଥ ଅଛନ୍ତି ବୋଲି ନିଜେ ନବୀନ ଦର୍ଶାଇବା ଓ ଦଳୀୟ ନେତା ଏବଂ କର୍ମୀଙ୍କ ଗହଣରେ ଏୟାରପୋର୍ଟ ଯାଏଁ ଯିବା ଦୃଶ୍ୟକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୀତି ସମୀକ୍ଷକ।
ନବୀନ ସର୍ଭିକାଲ ଆର୍ଥ୍ରାଇଟିସରେ ଆକ୍ରାନ୍ତ। ସର୍ଭିକାଲ ଆର୍ଥ୍ରାଇଟିସ ଯୋଗୁଁ ବେକ ଓ କାନ୍ଧରେ ଯନ୍ତ୍ରଣା ସହ ଶରୀରର ଗତିଶୀଳତାରେ ସମସ୍ୟା ଦେଖା ଦେଇଥାଏ। ଏହାର ଉପଶମ ପାଇଁ ଅସ୍ତ୍ରୋପଚାର ସହ ମେଡିସିନ୍ ଓ ଫିଜିଓଥେରାପିର ଆବଶ୍ୟକ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)