Advertisment

BJD Politics: ସୌଭିକଙ୍କ ତେରଚ୍ଛା ବାଣ...ନବୀନଙ୍କ ଅନୁପସ୍ଥିତିରେ ବଦଳିଯିବ କି ପାଣିପାଗ ?

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ରାଜନୀତିରେ ଦୁଇଟି ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଥିବା ଦେଖା ଗଲା । ପୂର୍ବବତ୍ ନବୀନ ଥିଲେ ଏକ ଚୁମ୍ବକୀୟ କ୍ଷେତ୍ର ଏବଂ ନୂଆଟି ହେଲା ଭୈରବ କାର୍ତିକେୟନ ପାଣ୍ଡିଆନ ଚୁମ୍ବକୀୟ କ୍ଷେତ୍ର । ଏହି ଦୁଇଟି ଚୁମ୍ବକୀୟ କ୍ଷେତ୍ର ଚାରିକଡ଼େ ଇଲୋକ୍ଟ୍ରୋନ ଓ ପ୍ରୋଟନ୍ ଭଳି ବିଜେଡ଼ି ନେତାମାନେ ଘୂରି ବୁଲିଲେ ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ସୌଭିକଙ୍କ କ୍ଷୋଭ

ସୌଭିକଙ୍କ କ୍ଷୋଭ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର (ବିଜେଡି) ସଭାପତି ନବୀନ ପଟ୍ଟନାୟକ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ଏଥିପାଇଁ ସେ ଏବେ ମୁମ୍ବାଇର କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ତତ୍ୱାବଧାନରେ ଚିକିତ୍ସା ହେଉଛନ୍ତି । ଭଗବାନ ତାଙ୍କୁ ଖୁବ୍ ଶୀଘ୍ର ସୁସ୍ଥ କରିଦିଅନ୍ତୁ, ଏହାହିଁ ଓଡ଼ିଶା ରାଜ୍ୟବାସୀ କାମନା କରନ୍ତି । ୧୯୯୭ ମସିହାରୁ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ତାଙ୍କ ଚାରିକଡ଼ ଦେଇ ଏ ରାଜ୍ୟର ରାଜନୀତି ଘୂର୍ଣ୍ଣାୟମାନ ହୋଇଛି । ନବୀନଙ୍କ ଆଗମନ ପରେ ଓଡ଼ିଶା ରାଜନୀତିରେ ନୂତନ ତଥା ଅଭୂତର୍ପୂବ ତଥା ଅକଳ୍ପନୀୟ ଧାରା ପ୍ରବାହ ଦେଖାଯାଇଥିଲା । ଏହି ଧାରା ଏମିତି ଭାବରେ ଭିନ୍ନ ତଥା ଅଭୂତପୂର୍ବ ଥିଲା ଯେ ଯାହାକୁ ଦେଖି ଅନେକ ହତବାକ୍ ହୋଇଯାଇଥିଲେ ।

Advertisment

ପ୍ରଥମତଃ ନବୀନ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟମାନଙ୍କୁ ଗୋଟିଏ ପରେ ଗୋଟିଏ ଦଳରୁ ବିଦା କରି ନିଷ୍କଣ୍ଟକ ହେବା ପାଇଁ ପ୍ରୟାସ କଲେ । ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଦିଳ୍ଲୀପ ରାୟ, ବ୍ରଜ କିଶୋର ତ୍ରିପାଠୀ, ବୈଜୟନ୍ତ ପଣ୍ଡା ଓ ଅର୍ଜୁନ ସେଠୀ ପ୍ରଭୃତି ନେତାଙ୍କୁ ଦଳରୁ ବହିଷ୍କାର କରି ସେ ନିରଙ୍କୁଶ ଶାସନାଧୀଶ ଭାବେ ନିଜକୁ ଉପସ୍ଥାପିତ କରିପାରିଲେ । ଅନ୍ୟ ଗୋଟିଏ ଧାରା ହେଲା ଯେ ଦଳରୁ ସମସ୍ତ ତୁଙ୍ଗ ରାଜନୈତିକ ନେତାମାନଙ୍କୁ ବାହାର କରିସାରିଲା ପରେ ସେ ରାଜନୈତିକ ନେତାମାନଙ୍କ ବଦଳରେ ଅମଲା ବା ବ୍ୟୁରୋକ୍ରାଟ୍‌ଙ୍କ ସହାୟତାରେ ଶାସନ ପରିଚାଳନା କରିବାରେ ଲାଗିଲେ ।

୨୦୦୨ ଠାରୁ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କ ସହୟତାରେ ସେ ଶାସନ କାର୍ଯ୍ୟ ତଥା ଦଳୀୟ କାର୍ଯ୍ୟ କଲେ । ସେବେ ଠାରୁ ରାଜନୈତିକ ନେତାମାନଙ୍କର ସ୍ଥିତି ଗୌଣ ହେବା ଆରମ୍ଭ ହେଲା ଏବଂ ଅମଲାମାନେ କ୍ରମଶଃ ଭୟଙ୍କର ଭାବେ କ୍ଷମତାଶାଳୀ ହୋଇ ଉଠିଲେ । ଶାସନ ପ୍ରକ୍ରିୟାରେ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କର ଭୂମିକା ହ୍ରାସ ପାଇବାରେ ଲାଗିଲା । ୨୦୧୨ରୁ ୧୪ ପର୍ଯ୍ୟନ୍ତ ବିଜୟ ପଟ୍ଟନାୟକ ରାଜ୍ୟ ଶାସନ ପରିଚାଳନାରେ ଦୃଢ ସହାୟକ ହେଲେ ଏବଂ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକଳାପ ଉପରେ ତାଙ୍କର ପ୍ରଭାବ ଅନୁଭୂତ ହେବା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ।

Advertisment

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ରାଜନୀତିରେ ଦୁଇଟି ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଥିବା ଦେଖା ଗଲା - ପୂର୍ବବତ୍ ନବୀନ ଥିଲେ ଏକ ଚୁମ୍ବକୀୟ କ୍ଷେତ୍ର ଏବଂ ନୂଆଟି ହେଲା ଭୈରବ କାର୍ତିକେୟନ ପାଣ୍ଡିଆନ ଚୁମ୍ବକୀୟ କ୍ଷେତ୍ର । ଏହି ଦୁଇଟି ଚୁମ୍ବକୀୟ କ୍ଷେତ୍ର ଚାରିକଡ଼େ ଇଲୋକ୍ଟ୍ରୋନ ଓ ପ୍ରୋଟନ୍ ଭଳି ବିଜେଡ଼ି ନେତାମାନେ ଘୂରି ବୁଲିଲେ । ଅତଏବ୍ ବିଜେଡ଼ିରେ ଆପଣା ଛାଏଁ ଦୁଇଟି ଗୋଷ୍ଠି ସୃଷ୍ଟି ହେଲେ - ନବୀନ ପନ୍ଥୀ ଓ ପାଣ୍ଡିୟାନ୍ ପନ୍ଥୀ । ଅପେକ୍ଷାକୃତ ଭାବେ ବୟସ୍କ ନେତାମାନେ ନବୀନଙ୍କ ଚୁମ୍ବକୀୟ ନାଭିକେନ୍ଦ୍ର ଚାରିକଡ଼େ ଚକ୍କର କାଟିବା ଦେଖାଯାଉଥିବା ବେଳେ ନୂଆ ପିଢିର ରାଜନେତା ଏବଂ ଟିକେଟ୍ ଆଶାୟୀ ଯୁବକ ଓ ଯୁବତୀମାନେ ପାଣ୍ଡିୟାନ୍‌ଙ୍କ ଛତ୍ରଛାୟା ତଳେ ବଢିବାକୁ ଲାଗିଲେ । ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଭଳି ମଧ୍ୟ ବୟସ୍କ ନେତାମାନେ ଉଭୟ ନବୀନ ଓ ପାଣ୍ଡିୟାନ ପନ୍ଥୀ ଗୋଷ୍ଠିରେ ସମସ୍ତ ତରକାରୀରେ ଯେପରି ଆଳୁ ମିଶିଯାଇପାରେ ସେହିପରି ଗ୍ରହଣୀୟତା ହାସଲ କରିବାରେ ସମର୍ଥ ହୋଇଥିଲେ ଏବଂ ସେମାନଙ୍କ ରାଜନୈତିକ ପତିଆରାକୁ ବଜାୟ ରଖିବାରେ ସମର୍ଥ ହୋଇଥିଲେ ।

ଉପରୋକ୍ତ ରାଜନୈତିକ ପୃଷ୍ଠଭୂମିକୁ ଏହି ନିବନ୍ଧରେ ଉପସ୍ଥାପନ କରିବାର ଏକ ନିଚ୍ଛକ କାରଣ ରହିଛି । ନିକଟରେ ପୁରୀ ଠାରେ ବିଜେଡ଼ିର ଯେଉଁ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ସେଠାରେ କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଏକ କ୍ଷୋଭୋକ୍ତି ଦେଖିବାକୁ ମିଳିଥିଲା । ଯେଉଁମାନେ ବିଜେଡ଼ି ଦଳକୁ ଅଧାର କରି ଯଥେଷ୍ଠ କ୍ଷମତା ଓ ଅର୍ଥ ଆହରଣ କରିଛନ୍ତି, ସେମାନେ ବର୍ତ୍ତମାନ ସାଇଡ୍ ହୁଅନ୍ତୁ ଏବଂ ଯେଉଁ ନେତା ଓ କର୍ମୀ ଦଳ ପାଇଁ ଶ୍ରମ, ସମୟ, ଝାଳ ଓ ରକ୍ତ ବୁହାଇଛନ୍ତି, ସେମାନଙ୍କୁ ଆଗକୁ ଅଣାଯାଉ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ । ତାଙ୍କର ଏହି ଉକ୍ତିକୁ ଉପସ୍ଥିତ ଯୁବ ବିଜେଡ଼ି ନେତା ଓ କର୍ମୀମାନେ କରତାଳି ଦେଇ ସମର୍ଥନ କରିବା ଦେଖାଯାଇଥିଲା ।

ସୌଭିକ୍‌ଙ୍କ ଉକ୍ତି କାହା ଉଦ୍ଦ୍ୟେଶରେ ପ୍ରେରିତ ଥିଲା ବା ସେ କାହାକୁ ଇଙ୍ଗିତ କରି ତାଙ୍କର ତୀର୍ଯ୍ୟକ ବାଣ ମାରୁଥିଲେ, ସେ ନେଇ ସେଇଠାରେ ଆଲୋଚନା ଆରମ୍ଭ ହୋଇଯାଇଥିଲା । ପ୍ୟାରୀ ଓ ପାଣ୍ଡିୟାନ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଅକ୍ଳେଶରେ ପ୍ରବେଶ କରି ନିଜର ସ୍ଥିତ ରକ୍ଷା କରିପାରିଥିବା କିଛି ନେତାଙ୍କ ପ୍ରତି ସୌଭିକ୍‌ଙ୍କ ଉକ୍ତି ଅଭିପ୍ରେତ ଥିଲା ବୋଲି ଅନେକ ସମୀକ୍ଷକ ମନେକରନ୍ତି ।ଏହି ନେତାମାନେ କେବଳ କ୍ଷମତାଶାଳୀ ନଥିଲେ, ଅନେକ ଧନ ଓ ଐଶ୍ୱର୍ଯ୍ୟର ଅଧିକାରୀ ହୋଇପାରିଥିଲେ । ଏବେ ବି ଏହି ନେତାମାନେ ବିଜେଡ଼ିର ଭାଗ୍ୟଡୋରୀକୁ ନିଜ ହାତରେ ଧରି ରଖି ଆଗାମୀ ଦିନର ରାଜ୍ୟ ରାଜନୀତିର ମଙ୍ଗୁଆଳ ସାଜିବେ ବୋଲି ପ୍ରୟାସରତ ଅଛନ୍ତି । ଅନେକ ନୂଆ ପିଢିର ବିଜେଡ଼ି ସଦସ୍ୟ ମନେ କରନ୍ତି ଯେ ଏମାନଙ୍କ ଉଚ୍ଚାକାଂକ୍ଷା, ଗର୍ବ ଓ ଅହଙ୍କାର ଯୋଗୁ କେବଳ ସେମାନେ ନିଜ ନିବାର୍ଚନ କ୍ଷେତ୍ରରେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାକ୍ଷାତ ହେଲେ ତାହା ନୁହେଁ, ଦଳ ମଧ୍ୟ ଶାସନ କ୍ଷମତା ହରାଇଲା ।

ନବୀନ ଏବେ ମୁମ୍ବାଇରେ ଚିକିତ୍ସା ପ୍ରବାସରେ ରହିବେ । ଏହି ସମୟରେ ତାଙ୍କର ସବୁଠାରୁ ପ୍ରିୟ ଦେବୀ ପ୍ରସାଦ ମିଶ୍ର ଦଳ ଦାୟିତ୍ୱରେ ରହିବେ । କିଛି ଲୋକ ଆଶଙ୍କା କରୁଛନ୍ତି ଯେ ୨୦୧୨ରେ ନବୀନ ଲଣ୍ଡନ ଗସ୍ତ ସମୟରେ ଯେଉଁଭଳି ଭାବରେ ଏକ ବିଦ୍ରୋହର ସୂତ୍ରପାତ ହୋଇଥିଲା, ସେମିତି କିଛି ଅଘଟଣ ସୃଷ୍ଟି ହେବ ନାହିଁତ ? ଅସନ୍ତୁଷ୍ଠ ନେତାମାନଙ୍କ ଦ୍ୱାରା ଦଳ ବିଭାଜନ ଆଡ଼କୁ ଗତି କରିବ ନାହିଁତ ? ଯଦିଓ ଏହିସବୁ ପ୍ରଶ୍ନର ଉତ୍ତର ଏତେ ସହଜ ନୁହେଁ, ତେବେ ଗୋଟିଏ କଥା କୁହାଯାଇପାରେ ଯେ ବିଜେଡ଼ ଏବେ କ୍ଷମତା ବାହାରେ ଅଛି । ଆଗକୁ ଯେ ଦଳର ଭାଗ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିବ, ସେପରି କିଛି ସମ୍ଭାବନା ବର୍ତ୍ତମାନ ଦେଖାଯାଉ ନାହିଁ । ଏହାଛଡ଼ା ଦଳ ବିଭାଜନ ପାଇଁ ୫୧ ଜଣ ବିଧାୟକମାନଙ୍କ ମଧ୍ୟରୁ ଅନ୍ୟୁନ ୩୪ ଜଣଙ୍କର ସମର୍ଥନ ଦରକାର । ଦଳ ଚଳାଇବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ । ଏବେ ବି ନବୀନ ଏକ ବଡ଼ ବ୍ରାଣ୍ଡ ହୋଇ ରହିଛନ୍ତି । ବିଜେଡ଼ିର ବିପୁଳ ଦଳୀୟ ପାଣ୍ଠି ତାଙ୍କର ନିୟନ୍ତ୍ରଣରେ ରହିଛି । ଏହି ପରିସ୍ଥିତିରେ ଦଳରେ ଅନ୍ୟ କୌଣସି ନେତା ତାଙ୍କୁ ଚ୍ୟାଲେଞ୍ଜ ଦେବା ଅବସ୍ଥାରେ ନାହାଁନ୍ତି । ଏହା ଛଡ଼ା ନିର୍ବାଚନ ଆହୁରି ଚାରି ବର୍ଷ ବାକି ଅଛି । ଏହି ପରିସ୍ଥିତରେ ବିଧାୟକମାନେ କରଛଡ଼ା ଦେବା ପ୍ରାୟ ଅସମ୍ଭବ କୁହାଯାଇପାରେ ।
ପରିଶେଷରେ ଏତିକି କୁହାଯାଇପାରେ ଯେ ସୌଭିକ୍‌ଙ୍କ କ୍ଷୋଭୋକ୍ତି ଏକ ସାଧାରଣ ପ୍ରତିକ୍ରିୟା ନୁହେଁ । ବରଂ ଦଳ ଭିତରେ ଯେଉଁଭଳି ଭାବେରେ କିଛି ଲେକଙ୍କର ତତ୍‌କ୍ଷାଣିକ ପୃଷ୍ଠପୋଷକତା ଜନିତ ଉତ୍‌ଥାନ ହେଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଅହଙ୍କାର ଓ ଔଦ୍ଧତ୍ୟ ଯୋଗୁ ଦଳ କ୍ଷତିଗ୍ରସ୍ତ ହେଲା, ତାହା ବିରୋଧରେ ଏହା ଏକ ଚରମ ବିଦ୍ରୋହାତ୍ମକ ବାଣୀ ଥିଲା ।

Naveen Patnaik Odisha Politics BJD Leaders VK Pandian Souvik Biswal
Advertisment
Advertisment