• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ-ନୀତୀଶ ଭେଟଘାଟ ପରେ ଆଗାମୀ ଦିନରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ମମତା ବାନାର୍ଜୀ, ନୀତୀଶ କୁମାରଙ୍କ ପରି ଟପ୍ ଲିଡର ଭେଟିବା ପରେ ବି ନବୀନ ନିରବ। ସେଫ୍ ଗେମ୍ ଖେଳିବା ସହିତ ନିଜ କାର୍ଡ ଖୋଲୁନାହାନ୍ତି ନବୀନ । ଯାହାକୁ ନେଇ ତେଜିଛି ରାଜନୀତି । ସମସ୍ତଙ୍କ ସହ ଉତ୍ତମ ସଂପର୍କ ରଖିବା ସହ ସମଦୂରତା ନୀତି ଧରି ନବୀନ ସୁବିଧାବାଦୀ ରାଜନୀତି କରୁଥିବା ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ ।

ନୂଆ ସମୀକରଣ ଆଡେ ମୁହାଁଉଛି କି ବିଜେଡି ? ସମଦୂରତା ନୀତିରେ ହେବ କି ସଂଶୋଧନ ? ବିଭିନ୍ନ ଦଳର ମୁଖିଆଙ୍କୁ ଭେଟି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ନବୀନ ? ସୁବିଧାବାଦୀ ରାଜନୀତି ନା ବିଜେପି ଉପରେ ଚାପ ପକାଇବାକୁ ଷ୍ଟ୍ରାଟେଜି ? ନବୀନ-ନୀତୀଶ ସାକ୍ଷାତ ଆଲୋଚନା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା । ଭୁବନେଶ୍ୱରରେ ଭେଟଘାଟ୍, ହେଲେ ଜାତୀୟ ରାଜନୀତିରେ ହଲଚଲ୍ । ପୂର୍ବରୁ ନବୀନଙ୍କୁ ଭେଟିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ । ତାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଓଡ଼ିଶା ଆସି ନବୀନଙ୍କୁ ଭେଟୁଛନ୍ତି । ଆଗକୁ ଦେଶର ଆଉ କିଛି ଟପ୍ ଲିଡର୍ ମଧ୍ୟ ନବୀନଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଛି। ଜଣକ ପରେ ଜଣେ ଏଭଳି ନେତାଙ୍କୁ ଭେଟି ବଡ଼ ଗେମ୍ ଖେଳିବା ଚକ୍କରରେ ଅଛନ୍ତି କି ନବୀନ ? କୁହାଯାଉଛି ଜାତୀୟ ସ୍ତରରେ ନିଜ ପତିଆରା ଦେଖାଇ ୨୦୨୪ ପାଇଁ ସବୁ ପ୍ରକାର ବାଟ ଖୋଲା ରଖିବାକୁ ଚାହୁଁଛି ବିଜେଡି । ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିଜେଡି ସମଦୂରତା ନୀତିରେ ଆଗକୁ ବଢୁଛି ସତ, ହେଲେ କେନ୍ଦ୍ରର ବିଜେପି ସରକାର ସହିତ ବିଜେଡିର ଭଲ ସଂପର୍କ ଥିବା ଚର୍ଚ୍ଚା ହେଉଛି ।

ସେପଟେ ରାଜ୍ୟରେ ବିଜେପିର ଶକ୍ତି ବଢିବାରେ ଲାଗିଛି । ଆଉ ବିଜେଡି ବିରୋଧରେ ଘନଘନ ଆକ୍ରମଣ କରି ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଅକଳରେ ପକାଉଛି ଦଳ । ତେଣୁ କାଳେ  ବିଜେପି ଓଡ଼ିଶାରେ ଆଗକୁ ବଢ଼ିଯିବ, ଆଉ ବିଜେଡି ଅଡୁଆରେ ପଡ଼ିବ ସେହି ଆଶଙ୍କାରେ ଦଳ ପ୍ରେସର୍ ପଲିଟିକ୍ସ କରୁଥିବା ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ । 

ଗତକାଲି ନୀତୀଶଙ୍କ ସହ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଓ ବିହାର ଜଳସଂପଦ ମନ୍ତ୍ରୀ ସଂଜୟ ଝା ମଧ୍ୟ ଭୁବନେଶ୍ୱର ଆସିଥିଲେ । ନୀତୀଶ, ନବୀନ ନିବାସରେ ନବୀନଙ୍କ ସହ ଲଂଚ କରିଥିଲେ । ହେଲେ ଲଲନ ସିଂ ଓ ସଂଜୟ ଝା ରାଜ୍ୟ ଅତିଥି ଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ନବୀନ ନିବାସରେ ପହଞ୍ଚିଥିଲେ । ଏହାଦ୍ୱାରା ସେମାନଙ୍କୁ ଏକପ୍ରକାର ଅପଦସ୍ଥ କରାଗଲା ବୋଲି ଚର୍ଚ୍ଚା ହେଉଛି । ତେବେ ଏ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

  • Reported by:
  • HARIHARA CHAND , KAPILENDRA PRADHAN , Bijaya Barua