• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ରାଜ୍ୟରେ ୨୪ ବର୍ଷ ଧରି ସ୍ଥିର ସରକାର ଗଢ଼ିଥିଲା ବିଜେଡି । କିନ୍ତୁ ଶାସନରୁ ହଟିବାର ଦିନ କେଇଟା ଭିତରେ ଦଳୀୟ ନେତାଙ୍କ ଭିତରେ ଦେଖିବାକୁ ମିଳିଲାଣି ଶୀତଳ ଯୁଦ୍ଧ । କେବଳ ଶୀତଳ ଯୁଦ୍ଧ ନୁହେଁ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି କିଛି ତୁଙ୍ଗ ନେତା ଏବେ ବିଜେପି ମୁହାଁ । ଏମିତିକି ପୂର୍ବରୁ ଡରରେ ପାଟି ଫିଟାଉନଥିବା ନେତା ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି । ରାଜ୍ୟରେ କିଛି ଦିନପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଏହା ପୂର୍ବରୁ ଦଳୀୟ ଫାଟ ଦେଖି ଛାନିଆ ହେଲେଣି ବିଜେଡି ସୁପ୍ରିମୋ ।

ଏହାରି ଭିତରେ ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ପ୍ରବେଶ କରିବା ସମୟରେ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ପଚାରିଥିବା ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚହଳ ପକାଇଛି । ଜଣକ ପରେ ଜଣେ ବିଜେଡି ନେତା ଯେ ବିଜେପି ମୁହାଁ, ଏହାକୁ ଯେମିତି ସ୍ପଷ୍ଟ କରିଦେଇଛନ୍ତି ଖୋଦ୍ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ତା ସହ ବିଜେଡି ନେତା ବିଜେପି ପଳାଉଥିବା ଚିନ୍ତା ଏବେ ଦଳପତିଙ୍କୁ ବେଶ୍ ଘାରିଛି ।

ଅଧିକ ପଢନ୍ତୁ: ଦିଲ୍ଲୀ ବିଜୟ ପରେ ଓଡ଼ିଶା ଫେରିଲେ ବୈଜୟନ୍ତ, ବିମାନ ବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

କାହିଁକି ନା ଏପର୍ଯ୍ୟନ୍ତ ନିର୍ବାଚନ ପୂର୍ବରୁ ଓ ପରେ ୨ ରାଜ୍ୟସଭା ସାଂସଦଙ୍କ ସହ ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଜେଡି ନେତା ବିଜେପି ମୁହାଁ ହୋଇ ସାରିଲେଣି । ତେବେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କେନ୍ଦ୍ର ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ । ସନାଙ୍କୁ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ ଏମିତି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି କାଳେ ସବୁ ବିଜେପି ପଳେଇବେ ବୋଲି ନବୀନ ଭୟଭୀତ ହୋଇଗଲେଣି । ଯେଉଁଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ମୁଁ ଆଗରୁ ବି କହିଥିଲି, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । ଏତେବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ । ତା'ର ଫଳ ଏମିତି ହୋଇଛି ।

ସୂଚନା ଯୋଗ୍ୟ ଯେ, ଆଜି ବିଧାନସଭାରେ ପ୍ରବେଶ ଦ୍ବାରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ । ବିଧାୟକ ଦଳ ବୈଠକକୁ କାହିଁକି ସନାତନ ଆସିନଥିଲେ, ସେ ସମ୍ପର୍କରେ ସିଧା ପ୍ରଶ୍ନ କରିଥିଲେ ନବୀନ । ଅସୁସ୍ଥ ଥିବା କାରଣରୁ ବୈଠକରେ ଯୋଗଦେଇନଥିବା ସମ୍ପର୍କରେ ସନାତନଙ୍କ ସଫେଇ ନବୀନଙ୍କୁ ସନ୍ତୁଷ୍ଟ କରିପାରିନଥିଲା ।

ଅଧିକ ପଢନ୍ତୁ: ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି

OTV is now on Whatsapp

Join and get latest news update delivered to you via whatsapp

Join Now