• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ତିଆରି କରିଥିଲା ନବ ଦାସଙ୍କ ମଡର୍ ପ୍ଲଟ୍ ? ଗୋପାଳ ଦାସ ନିଜେ ଷଡ଼ଯନ୍ତ୍ର ରଚିଥିଲେ ନା ସେ କେବେଳ ଏକ ମୋହରା ଥିଲେ ? ମର୍ଡର ପ୍ଲାନ୍ ପଛରେ ଆଉ କିଏ ରହିଛି କି ? ଏସବୁ ପ୍ରଶ୍ନ ଉଠୁଥିବା ବେଳେ ହତ୍ୟାକାଣ୍ଡର ୪ ଦିନ ପରେ ବି କ୍ରାଇମ୍‌ବ୍ରାଞ୍ଚ ହାତ ଖାଲି । କେବଳ ଘନଘନ ତଦନ୍ତ ଭିତରେ ସୀମିତି ରହିଛି ତଦନ୍ତକାରୀ ସଂସ୍ଥା ।

ସେପଟେ ଏହି ହାଇପ୍ରୋଫାଇଲ୍ କେସ୍ ଉପରୁ ଏଯାଏଁ ପରଦା ହଟିନଥିବାରୁ ବିରୋଧୀ ଖଡ୍‌ଗ ହସ୍ତ । ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳମାନେ ନୂଆ ନୂଆ ଥିଓରୀ ଚର୍ଚ୍ଚା କରୁଛନ୍ତି । ବିଜେପି ଅଭିଯୋଗ କରିଛି, ନବଙ୍କ ହତ୍ୟା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି । ବିଜେଡି ର ଅନ୍ତର୍ଦ୍ୱନ୍ଦ୍ୱ ପାଇଁ ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା ପ୍ରକାଶ କରିଛି ଦଳ । ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଗୋପାଳ ଦାସଙ୍କୁ ଯେଭଳି ଭାବେ ମାନସିକ ରୋଗୀ ବୋଲି ଦର୍ଶାଗଲା, ସେଥିରୁ ତାଙ୍କୁ ଖସାଇବାକୁ ଉଦ୍ୟମ ହେଉଥିବା ବିଜେପି ଅଭିଯୋଗ କରିଛି ।

ଅଧିକ ପଢ଼ନ୍ତୁ: ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ସେପଟେ କଂଗ୍ରେସ୍ ପୁଣି ଥରେ ଷଡ଼ଯନ୍ତ୍ର ଥିଓରି ସାମ୍ନାକୁ ଆଣି ହତ୍ୟାକାଣ୍ଡ ପଛରେ ଆଉ କିଏ ଅଛନ୍ତି ବୋଲି ପ୍ରଶ୍ନ କରିଛି । ନବ ଦାସ ଜଣେ ବଡ଼ ବ୍ୟବସାୟୀ ଓ ରାଜନେତା ଥିବାରୁ ଉଭୟ ବ୍ୟାବସାୟିକ ଓ ରାଜନୈତିକ ଶତ୍ରୁତା ଦିଗ ଉପରେ ତଦନ୍ତର ଆବଶ୍ୟକତା ରହିଥିବା କଂଗ୍ରେସ କହିଛି । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବଦଳରେ ଏସ୍‌ଆଇଟି ଗଠନ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେଡି ଏସବୁ ଅଭିଯୋଗର ଜବାବ ରଖିଛି ।

ସେପଟେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏହି ମାମଲାରେ ନୂଆ ଅଭିଯୋଗ ଆଣି ହଲଚଲ୍ ସୃଷ୍ଟି କରିଛନ୍ତି । ହତ୍ୟାକାଣ୍ଡର ଦିନେ ଦୁଇ ଦିନ ପୂର୍ବରୁ ଗୋପାଳ ଦାସ ଝାରସୁଗୁଡାଠାରୁ ୨୦-୩୦ କିଲୋମିଟର ଦୂର କେଉଁ ଗାଁକୁ କେଉଁ କାରଣ ପାଇଁ ଯାଇଥିଲେ ? କିଛି ଅବସରପ୍ରାପ୍ତ ଅଫିସର୍ ଓ ନେତାମାନେ ହତ୍ୟାକାଣ୍ଡ ପୂର୍ବରୁ ଝାରସୁଗୁଡ଼ା ଯାଇଥିଲେ କି ? ଏସବୁ ତଦନ୍ତ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ବିଜୟ ପୋଲିସ୍ ଡିଜିଙ୍କୁ ଟାର୍ଗେଟ କରିବା ସହ ନବ ଦାସ ଓ ଗୋପାଳ ଦାସଙ୍କ କଲ୍ ରେକର୍ଡ ଯାଞ୍ଚ ପାଇଁ ଦାବି କରିଛନ୍ତି । 

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ରାଜ୍ୟ ଆଇନଶୃଙ୍ଖଳା ସ୍ଥିତି ଉପରେ ଛିଡା କରିଛି ବିରାଟ ପ୍ରଶ୍ନବାଚୀ ।