Advertisment

ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Naba Das Murder Case

Naba Das

ନବ ଦାସଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରେ ଫାୟାରିଂ । କ୍ରାଇମ୍‌ସ୍ପଟ୍‌ରେ ଧରାପଡ଼ିଲା କ୍ରିମିନାଲ୍ । ହତ୍ୟାର ମାତ୍ର କେଇ ଘଣ୍ଟାରେ ଗିରଫ ଗୋପାଳକୃଷ୍ଣ । ଆଉ ତାପରଠୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚର ଚାଲିଛି ଧାଁ ଧପଡ଼ । ବ୍ରଜରାଜନଗରର ଗୁଳିକାଣ୍ଡସ୍ଥଳରୁ ଅଭିଯୁକ୍ତ ଗୋପାଳଙ୍କ ବ୍ରହ୍ମପୁର ସ୍ଥିତ ପୈତୃକ ଘର ଯାଏଁ ତଥ୍ୟ ଆଉ ପ୍ରମାଣ ଯୋଗାଡ଼ ପାଇଁ ଖେଦିଚାଲିଛି କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।

Advertisment

ତେବେ ଗିରଫ ପରେ ଗୋପାଳଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବା ବୋଥ୍ରା ଆଣ୍ଡ କୋ ଆଉ କେଉଁ ଉତ୍ତର ଜାଣିବାକୁ ଚାହୁଁଛନ୍ତି ? ବ୍ରଜରାଜନଗର JMFCଙ୍କ ଅନୁମତି ପରେ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରିବାର ଉଦ୍ଦେଶ୍ୟ ପଛରେ ରହିଛି କି ବଡ଼ ରହସ୍ୟ ? ଯଦି ହଁ, ତେବେ ଗୋପାଳଙ୍କ ଏହି ବୟାନ ସାମ୍ନାକୁ ଆସିବ ତ ? ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି, ବରଂ ଆବଶ୍ୟକସ୍ଥଳେ ଗୋପାଳଙ୍କୁ ଧରି କ୍ରାଇମବ୍ରାଞ୍ଚ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ନବଙ୍କ ହତ୍ୟାକୁ ନେଇ ଚର୍ଚ୍ଚାରେ ନୂଆ ଥୀଓରି, ବିଜୟଙ୍କ ସଙ୍କେତ ୨ ଦିନ ପୂର୍ବରୁ ଗାଁରେ ହୋଇଥିଲା ଯୋଜନା

Advertisment

ତଦନ୍ତର ଚତୁର୍ଥ ଦିନରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳଙ୍କ ବ୍ରହ୍ମପୁରର ବିଏନ୍‌ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଘରକୁ ଯାଇ ପୁଣି ଛାନ୍‌ଭିନ୍ କରିଛି । ଗୋପାଳଙ୍କ ପତ୍ନୀ ଓ ପୁତୁରାଙ୍କୁ ଟିମ୍ ପଚରାଉଚରା କରିଛି । ତେବେ କାଲିଠୁ ଗୋପାଳଙ୍କ ବଡ଼ଭାଇଙ୍କୁ କେଉଁଠିକୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ ? ନବ ଦାସ ହତ୍ୟାକାଣ୍ଡରେ ଗୋପାଳଙ୍କ ବଡ଼ଭାଇଙ୍କ ଲିଙ୍କ କଣ ? ବ୍ରଜରାଜନଗରରେ ମାସକ ତଳେ ହୋଟେଲ୍ ବ୍ୟବସାୟ ଆରମ୍ଭ କରିଥିବା ବଡ଼ଭାଇ ଗୁଳିକାଣ୍ଡ ପୂର୍ବରୁ କାହିଁକି ବନ୍ଦ ରଖିଥିଲେ ହୋଟେଲ୍ ? ନବ ଦାସଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଦୁଇ ଭାଇ ରଚିଥିଲେ କି ଷଡ଼ଯନ୍ତ୍ର ? ଏସବୁ ଦିଗକୁ ଧରି କ୍ରାଇମବ୍ରାଞ୍ଚ ତଥ୍ୟ ଆଦାୟ କରିଥିବା କୁହାଯାଉଛି ।

ଅପରପକ୍ଷେ କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଝାରସୁଗୁଡା ବଡମାଲ ଥାନାକୁ ଫୋରେନସିକ୍ ଟିମ୍ ସହ ଯାଇ ଗୁଳିମାଡ଼ ସମୟରେ ଯେଉଁ ଗାଡ଼ିରେ ବସିଥିଲେ ନବ ଦାସ, ସେହି ଗାଡ଼ି ଏବଂ ଆଉ ଏକ ଗାଡ଼ିରେ ହୋଇଥିବା ଗୁଳିମାଡ଼ର ଯାଞ୍ଚ କରିଛି । ଗୋଟିଏ ଗାଡ଼ିରେ ଲାଗିଛି ରକ୍ତର ଛିଟା, ଆଉ ଏକ ଗାଡ଼ି ଗୁଳିବୀଦ୍ଧ ହୋଇଛି ।

ସେପଟେ ନବ ଦାସ ହତ୍ୟା ମାମଲାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହୋଇଛି ଆକ୍ସନ । କାଲି ଝାରସୁଗୁଡ଼ା ଏସ୍‌ପି ଓ ବ୍ରଜରାଜନଗର ଏସ୍‌ଡିପିଓଙ୍କ ବଦଳି ପରେ ଆଜି ନବ ଦାସଙ୍କ ସହ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ଡ୍ୟୁଟିରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ତାସହ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଏବଂ ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ତେବେ ଆକ୍ସନ ହେଉଛି, କ୍ରାଇମବ୍ରାଞ୍ଚ ବି ତଦନ୍ତ କରୁଛି । କିନ୍ତୁ କାହିଁକି ପୋଲିସ ବର୍ଦ୍ଦିରେ ଥାଇ ନବ ଦାସଙ୍କୁ ଗୁଳି କଲେ ଗୋପାଳ ? ତାର ଉତ୍ତର ଆସିପାରୁନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ଦାୟିିତ୍ୱ ଦିଆଯାଇଛି ହାଇକୋର୍ଟ ର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସଙ୍କୁ । ଜଣେ ହାଇକୋର୍ଟର ସିଟିଂ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତର ତଦାରଖ କରିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

BJD BJP Congress Naba Das Odisha Politics
Advertisment
Advertisment