କେରଳର ୱାୟନାଡ ଆସନରେ ଲୋକସଭା ଉପନିର୍ବାଚନ ଜିତିଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ବିଜୟରେ ସେ କେବଳ ସଂସଦକୁ ନିର୍ବାଚିତ ହୋଇନାହାନ୍ତି ନେହରୁ-ଗାନ୍ଧୀ ପରିବାର ପାଇଁ ରଚିଛନ୍ତି ଇତିହାସ । ପ୍ରଥମ ଥର ପାଇଁ ଏହି ପରିବାରରୁ ୩ ଜଣ ମାଆ ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କାଙ୍କୁ ସଂସଦରେ ଦେଖିବାକୁ ମିଳିବ । ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏ ବରେଲି ଓ କେରଳର ୱାୟନାଡ ଆସନରୁ ବିଜୟୀ ହୋଇଥିଲେ । ସେ ରାଏ ବରେଲି ଆସନକୁ ହାତରେ ରଖି ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ ।
ଏହାପରେ ତାଙ୍କ ଭଉଣୀ ପ୍ରିୟଙ୍କା ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ତାଙ୍କ ମାଆ ସୋନିଆ ଗାନ୍ଧୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏହି ଆସନରେ ୩ ଲକ୍ଷ ୬୪ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ଉପନିର୍ବାଚନରେ ପ୍ରିୟଙ୍କା ୪ ଲକ୍ଷ ୧୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ୱାୟନାଡ ଆସନରେ ୪ ଲକ୍ଷ ୩୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ ।
ପ୍ରିୟଙ୍କାଙ୍କ ମାଆ ସୋନିଆ ଗାନ୍ଧୀ ୧୯୯୯ରେ ପ୍ରଥମେ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଆମେଥି ଓ କର୍ଣ୍ଣାଟକର ବେଲାରୀ ଆସନରୁ ନିର୍ବାଚିତ ହୋଇଥିଲେ । ସେ ଆମେଥି ଆସନରୁ ପ୍ରତିନିଧିତ୍ୱ କରି ବେଲାରୀ ଆସନ ଛାଡିଥିଲେ। ପରେ ୨୦୦୪ରେ ଉତ୍ତରପ୍ରଦେଶର ରାଏ ବରେଲି ଆସନକୁ ବାଛିଥିଲେ ସୋନିଆ । ଏହି ଆସନରୁ ସେ ଲଗାତର ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ରେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସୋନିଆ ୨୦୦୪ରେ ଆମେଥି ଆସନରୁ ନଲଢି ପୁଅ ରାହୁଲ ପାଇଁ ପଥ ପରିଷ୍କାର କରିଥିଲେ । ରାହୁଲ ଆମେଥିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୯ ଓ ୨୦୧୪ରେ ମଧ୍ୟ ଆମେଥିରୁ ଲୋକସଭାକୁ ଯାଇଥିଲେ । କିନ୍ତୁ ୨୦୧୯ରେ ଆମେଥିରେ ରାହୁଲ ଗାନ୍ଧୀ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ । କିନ୍ତୁ ୨୦୧୯ରେ ୱାୟନାଡରୁ ବିଜୟ ଲାଭ କରି ଲୋକସଭା ସଦସ୍ୟ ପଦ ବଜାୟ ରଖିବାରେ ସକ୍ଷମ ହୋଇଥିଲେ ।
Also Read
ପ୍ରିୟଙ୍କା ଗାନ୍ଧୀ ଲୋକସଭାକୁ ଯିବା ପରେ ସଂସଦରେ ସେ ଏନଡିଏ ସରକାରଙ୍କୁ ଘେରିବେ । ବିଶେଷ କରି ଦକ୍ଷିଣ ଭାରତର ବିଭିନ୍ନ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇ ସେ କାର୍ଯ୍ୟ କରିବେ ବୋଲି ତାଙ୍କ ସମର୍ଥକମାନେ ମତ ଦେଉଛନ୍ତି । ଗୋଟିଏ ପରିବାରର ୩ ଜଣ ସଂସଦକୁ ନିର୍ବାଚିତ ହେବା ଘଟଣାକୁ ଏନଡିଏ ଓ ବିଜେପି ସାଂସଦମାନେ ପରିବାର ରାଜନୀତି କହି ପାଲଟା ଆକ୍ରମଣ କରିପାରନ୍ତି । କିନ୍ତୁ ପ୍ରିୟଙ୍କା ତାଙ୍କର ଦୃଢ ଲୋକସଂପର୍କ ଓ ନିଜର ଦକ୍ଷତା ଆଧାରରେ ଏହି ନିର୍ବାଚନ ଆଶାତୀତ ଭୋଟ ବ୍ୟବଧାନରେ ଜିତିଥିବା କହୁଛନ୍ତି କଂଗ୍ରେସ ନେତା ।
ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?
ଉତ୍ତର ପ୍ରଦେଶର ରାଏ ବରେଲି ଓ ଆମେଥି ହେଉଛି ନେହରୁ ଗାନ୍ଧୀ ପରିବାରର ଦବଦବା ଥିବା ଆସନ । ରାଏ ବରେଲି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ତାଙ୍କ ସ୍ୱାମୀ ତଥା ସ୍ୱାଧୀନତା ସଂଗ୍ରାମୀ ଫିରୋଜ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏବେ ରାହୁଲ ଗାନ୍ଧୀ ଲୋକସଭାକୁ ଯାଇଛନ୍ତି । ସେହିପରି ଆମେଥି ଆସନରୁ ସଞ୍ଜୟ ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚିତ ହୋଇଥିଲେ । ୨୦୧୯ରେ ରାହୁଲ ପରାଜୟ ବରଣ କରିବା ପରେ ଏହି ଆସନରୁ ଏଥର ନେହରୁ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ହୋଇନାହାନ୍ତି । ତେବେ ୨୦୨୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ୍ ଶର୍ମା ନିର୍ବାଚିତ ହୋଇଛନ୍ତି ।