• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଝାଡଖଣ୍ଡ ଫଳାଫଳ ଜେଏମଏମ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସପକ୍ଷରେ ଯାଇଛି । ମୋଟ ୮୧ଟି ଆସନ ମଧ୍ୟରୁ ୫୬ଟି ଆସନ ଅକ୍ତିଆର କରିଛି ଏହି ମେଣ୍ଟ । ସରକାର ଗଠନ ଲାଗି ଆବଶ୍ୟକ ୪୨ଟି ଆସନ । ଜେଏମଏମ ୩୪ଟି ଆସନ ଓ କଂଗ୍ରେସ ୧୬ଟି ଆସନ ପାଇଛନ୍ତି । ଏନଡିଏ ୨୫ଟି ଆସନ ପାଇଛି । ତା ମଧ୍ୟରୁ ବିଜେପି ପାଇଛି ୨୧ଟି ଆସନ । ତେଣୁ ଜେଏମଏମ ମେଣ୍ଟ ପୁଣିଥରେ ଶାସନକୁ ଫେରିଛି । ଏ ସବୁ ଭିତରେ ଓଡିଶା ନେତାଙ୍କୁ ନେଇ ବଢିଛି ଚର୍ଚ୍ଚା । ଓଡିଶାର ବରିଷ୍ଠ ନେତାମାନେ ଯାଇ ଜୋରଦାର୍ ପ୍ରଚାର କରିଥିଲେ ବି ତା’ର ସେତେଟା ପ୍ରଭାବ ପଡିନାହିଁ । ରାଜନୈତିକ ସମୀକ୍ଷକମାନେ ଏହି ମତ ଦେଇଛନ୍ତି ।

ଘନଘନ ପ୍ରଚାର କରିଥିଲେ ବିଜେପି ନେତା

ଉଭୟ ବିଜେପି ଓ କଂଗ୍ରେସର ନେତାମାନେ ନିର୍ବାଚନ ବେଳେ ଝାଡଖଣ୍ଡରେ ଡେରା ପକାଇଥିଲେ । ଝାଡଖଣ୍ଡରେ ଦ୍ୱିତୀୟ ରାଜ୍ୟ ଭାଷା ହେଉଛି ଓଡିଆ । ୪ଟି ଜିଲ୍ଲା ବିଶେଷ କରି ୧୮ଟି ନିର୍ବାଚନମଣ୍ଡଳୀରେ ବହୁ ସଂଖ୍ୟାରେ ଓଡିଆ ଅଛନ୍ତି । ତେଣୁ ଓଡିଶାର ବିଜେପି ନେତାମାନେ ଏହି ୪ଟି ଜିଲ୍ଲାରେ ପ୍ରଚାରରେ ଲାଗିଥିଲେ । ଅନେକ ନେତା ସେଠାରେ ରଣନୀତି ତିଆରିରେ ବି ସାମିଲ୍ ଥିଲେ । କେନ୍ଦ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳ ପାଇଁ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଦୁଇ ଥର ଝାଡଖଣ୍ଡ ଗସ୍ତରେ ଯାଇ ବିଜେପିକୁ ଭୋଟ ଦେବାକୁ ଲୋକମାନଙ୍କୁ ନିବେଦନ କରିଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ନବକିଶୋର ମାଝୀ, ମମତା ମହାନ୍ତ ଓ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀଙ୍କୁ ନିର୍ବାଚନରେ ଦଳ ପକ୍ଷରୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଥିଲା । ଓଡିଶାର ଅନେକ ବିଜେପି ସାଂସଦ ଓ ବିଧାୟକ ମଧ୍ୟ ଝାଡଖଣ୍ଡ ଯାଇଥିଲେ । କିନ୍ତୁ ଝାଡଖଣ୍ଡରେ ଓଡିଶା ନେତାଙ୍କ ମନ୍ତ୍ର କାଟୁ କରିନଥିବା କହୁଛନ୍ତି ସମୀକ୍ଷକ। ଆଦିବାସୀଙ୍କ ପାଇଁ ସଂରକ୍ଷିତ ୨୮ଟି ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନରେ ଜିତିଛି ବିଜେପି । 

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡରେ ହେମନ୍ତ ସରକାର; ଆସନ୍ତା ୨୬ରେ ଶପଥ ସମାରୋହ !

ଅଜୟ କୁମାରଙ୍କ ପାଇଁ ଯାଇଥିଲେ କଂଗ୍ରେସ ନେତା

କେବଳ ବିଜେପି ନୁହେଁ କଂଗ୍ରେସର ବହୁ ବରିଷ୍ଠ ନେତା ଝାଡଖଣ୍ଡରେ ଦଳବଳ ନେଇ ପ୍ରଚାର କରୁଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ଅଶୋକ ଦାସ ଓ ବରିଷ୍ଠ ନେତା ଅନନ୍ତ ସେଠୀ ପ୍ରମୁଖ ଝାଡଖଣ୍ଡରେ ନିର୍ବାଚନ ପ୍ରଚାର କରୁଥିଲେ । ଏହି ନେତାମାନେ ମୁଖ୍ୟତଃ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନରେ ସାମିଲ୍ ହୋଇଥିଲେ। ଝାଡଖଣ୍ଡରେ କଂଗ୍ରେସ ୩୦ଟି ଆସନରେ ପ୍ରାର୍ଥୀ ଦେଇଥିଲା । ସେଥିମଧ୍ୟରୁ ୧୬ ଜଣ ବିଜୟୀ ହୋଇଛନ୍ତି । ଏହା କଂଗ୍ରେସ ପାଇଁ ଏକ ଆଶ୍ୱସ୍ତିକର କଥା ହୋଇପାରେ । କିନ୍ତୁ ଓଡିଶାର ନେତାମାନେ ଜାମସେଦପୁର ଇଷ୍ଟ ଆସନରେ ଅଧିକ ଫୋକସ୍ କରିଥିଲେ । ଏହି ଆସନରେ ଲଢୁଥିଲେ ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କ ଠାରୁ ପରାସ୍ତ ହୋଇଛନ୍ତି । ତେଣୁ ଏହି ଆସନରେ ଓଡିଶା ନେତାଙ୍କ ଶତଚେଷ୍ଟା ବିଫଳ ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ତେବେ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଜାମସେଦପୁର ଇଷ୍ଟ ଆସନରେ ୧୯୯୦ ମସିହା ପରଠାରୁ ବିଜେପି ଦଖଲରେ ରହିଛି । କେବଳ ୨୦୧୯ରେ ବିଜେପିର ଜଣେ ବିଦ୍ରୋହୀ ପ୍ରାର୍ଥୀ ଜିତିଥିଲେ । ତେଣୁ ବିଜେପି ଗଡ଼ରେ ରିସ୍କ ନେଇ ପ୍ରାର୍ଥୀ ହୋଇଥିଲେ ଅଜୟ କୁମାର । ଏହି ଆସନରେ କଂଗ୍ରେସର ସଂଗଠନ ସେତେଟା ମଜବୁତ୍ ନଥିଲା ବୋଲି ସେ ସ୍ୱୀକାର କରିଛନ୍ତି ।

ବାଜି ମାରିନେଲା ଜେଏମଏମ 

ଝାଡଖଣ୍ଡ ନିର୍ବାଚନରେ ଓଡିଶା ନେତାଙ୍କ ପ୍ରଚାରର ପ୍ରଭାବ ସେତେଟା ପଡିନାହିଁ । କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଝାଡଖଣ୍ଡ ଯାଇଥିଲେ ଓଡିଶାର ଜେଏମଏମ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ । ଜେଏମଏମ ସଫଳତା ହାସଲ କରିଥିଲା ବେଳେ ତାଙ୍କ ଭାଇ ହେମନ୍ତ ସୋରେନ୍ ଓ ଭାଉଜ ତଥା ଓଡିଆ ଝିଅ କଳ୍ପନା ସୋରେନ୍ ବିଜୟୀ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

OTV is now on Whatsapp

Join and get latest news update delivered to you via whatsapp

Join Now