• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବା ସହ ସଭାକୁ ସମ୍ବୋଧିତ କରିଛନ୍ତି । ନଡ୍ଡା ତାଙ୍କ ଉଦବୋଧନରେ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି । ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟ ଓ ଗରିବ ରାଜ୍ୟ ଭାବେ ଏବେ ବି ପରିଚିତ ହେଉଛି । ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ସରକାର ରାସନ ଦେଉଛନ୍ତି ବୋଲି କହିଛନ୍ତି ନଡ୍ଡା ।

ତହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡିକୁ ସିଧା ନିଶାନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି ବୋଲି ନଡ୍ଡା ତାଙ୍କ ଉଦ୍‌ବୋଦନରେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାରେ ଦୁର୍ନୀତି-କମିଶନ ଚାଲିଛି, ସବୁ କିଛିର ତଦନ୍ତ ହେବ ଆଉ ଦୋଷୀକୁ ଜେଲ୍ ପଠାଯିବ’

ଖାଲି ସେତିକି ନୁହେଁ ନଡ୍ଡା ଆହୁରି କହିଛନ୍ତି ଯେ, ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି, ଏହାର ତଦନ୍ତ କରାଯିବ । ତଦନ୍ତ କରାଯାଇ ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ଉଦ୍‌ବୋଧନରେ କହିଛନ୍ତି । ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି । ହେଲେ ଏଠାରେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି । ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ନଡ୍ଡା ।

ସୂଚନା ଥାଉ କି ଭବାନୀପାଟଣାରେ ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ପରେ ନଡ୍ଡାଙ୍କ ଆହୁରି କିଛି କାର୍ଯ୍ୟକ୍ରମ ରହିଛି । ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହା ଜନସଂପର୍କ ସମାବେଶରେ ସାମିଲ ହେବେ ।

ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ । ଅପରାହ୍ନରେ ନଡ୍ଡା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ: ଭବାନୀପାଟଣାରେ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା

  • Reported by:
  • HARIHARA CHAND