• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଂଖ ଶିବିରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ । ଝାରସୁଗୁଡ଼ା ସହରରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର କରିବା ବେଳେ ବିଜେଡି ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ବିଜେପି କର୍ମୀ ଝାରସୁଗୁଡ଼ା ଟାଉନ ଥାନା ଘେରାଉ କରିଥିବା ବେଳେ କେନ୍ଦ୍ରୀୟ ଫୋର୍ସ ମୁତୟନ ଦାବିରେ ଭୁବନେଶ୍ୱରେ CEOଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

ଝାରସୁଗୁଡ଼ା ଭୋଟ୍ ପାଇଁ ଚାଲିଛି ଜୋରଦାର ପ୍ରଚାର। ହାତରେ ଖୁବ୍ କମ୍ ସମୟ ଥିବାରୁ ମୈଦାନରେ ସମସ୍ତ ଶକ୍ତି, ସାମର୍ଥ୍ୟ ଲଗାଇ କ୍ୟାଂପେନରେ ମାତିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ସେପଟେ କିନ୍ତୁ ଆଜି ଝାରସୁଗୁଡ଼ାରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ । ୨୦ ନମ୍ବର ୱାର୍ଡ ମଙ୍ଗଲ ବଜାରଠାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର କରିବା ବେଳେ ବିଜେଡି ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡି କର୍ମୀଙ୍କ ଏଭଳି ଆଚରଣର ପ୍ରତିବାଦ କରିଥିଲା ବିଜେପି। ଟଙ୍କଧରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଝାରସୁଗୁଡା ଟାଉନ ଥାନା ଘେରାଉ କରିଥିଲା ବିଜେପି କର୍ମୀ ।

ଏପଟେ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟରେ ଆଇନର ଶାସନ ଚାଲି ନାହିଁ ଓ ବିଜେଡି ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ କରିଥିଲା ବିଜେପି ପ୍ରତିନିଧି ଦଳ। ତା ସହିତ ଝାରସୁଗୁଡ଼ାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଦଳ ଦାବି କରିଛି । 

ସେପଟେ ଉପନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ଦଳବଦଳ ରାଜନୀତି । ବିଜେପିର ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମଙ୍ଗଳ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ମଙ୍ଗଳ ଅଭିଯୋଗ କରିଛନ୍ତି, ଦୀର୍ଘବର୍ଷ ଧରି ବିଜେପିରେ ରହିବା ପରେ ମଧ୍ୟ ଦଳ ତାଙ୍କୁ ଅବହେଳା କରାଯାଉଥିଲା । ବିଜେପି ରାଜ୍ୟ ସଭାପତି କହିଛନ୍ତି ମଙ୍ଗଳଙ୍କ ଦଳ ଛାଡିବା କୌଣସି ପ୍ରଭାବ ପକାଇବ ନାହିଁ । 

ଝାରସୁଗୁଡା ଭୋଟ୍ ପାଇଁ ଜୋରସୋରରେ ଚାଲିଛି ଜୋଡତୋଡ୍ ରାଜନୀତି। ବିଜେପି ନେତା ତ୍ରିନାଥ ଗୁଆଲ୍ ଘର ବାହୁଡା କରି ବିଜେଡିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଆଦିବାସୀ ନେତା ମହେନ୍ଦ୍ର ନାୟକ ମଧ୍ୟ କଂଗ୍ରେସ ଛାଡି ଶଂଖ ଧରିଛନ୍ତି । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ହେଉଛି, ବିଜେଡି ଦାବି କରୁଛି ଦଳର ସ୍ଥିତି ଏଠାରେ ବେଶ୍ ଦୃଢ଼ ରହିଛି । ତାସତ୍ତ୍ୱେ ବି ଅନ୍ୟ ଦଳର ଜଣକ ପରେ ଜଣେ ନେତାଙ୍କୁ ନିଜ ଶିବିରକୁ ଟାଣିବା ପଛର କାରଣ କଣ ? ରାଜନୈତିକ ସମୀକରଣ ବଦଳୁଛି ନା ଶାସକ ଦଳର ସ୍ଥିତି ଯେତେ ଦର୍ଶାଯାଉଛି ସେତେ ଭଲ ନାହିଁ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

  • Reported by:
  • HARIHARA CHAND , KAPILENDRA PRADHAN , SOUMYA RANJAN SAHOO , Bhagirathi Sahu