• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଇଂରାଜୀରେ ଗୋଟିଏ ଶବ୍ଦ ଅଛି – ‘ଲିଗାସୀ’ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଓଡ଼ିଆରେ ଏହାର ଅର୍ଥ ହେଲା ‘ୱଶିୟତ୍‌’ । ପ୍ରଚଳନ ଆଧାରରେ ଏହାକୁ ଆହୁରି ସରଳ ଭାବରେ ପ୍ରକାଶ କଲେ ଏହାର ଅର୍ଥ ହେବ ‘ପରମ୍ପରା’ ବା ବିରାସତ୍ । ଏକ ବ୍ୟକ୍ତି, ଅନୁଷ୍ଠାନ, ସମାଜ ବା ରାଷ୍ଟ୍ର ଦ୍ୱାରା ଅତୀତର ନିର୍ଦ୍ଦିଷ୍ଟ କାଳଖଣ୍ଡରେ ସମ୍ପାଦିତ ହୋଇଥିବା କିଛି ଆଦର୍ଶଗତ କାର୍ଯ୍ୟକୁ ‘ଲିଗାସୀ’ ବୋଲି କୁହାଯାଏ ।

ରାଜନୀତିରେ ‘ଲିଗାସୀ’ର ମହତ୍ତ୍ୱ ବେଶ୍ ଅଧିକ । କାରଣ ଏକ ବ୍ୟକ୍ତି ବା ଦଳକୁ ଏହା ବେଶ୍ ଫାଇଦା ପ୍ରଦାନ କରିଥାଏ । ଓଡ଼ିଆମାନଙ୍କ ଜନମାନସରେ ବିଜୁ ପଟ୍ଟନାୟକ ଅନେକ ଆଦର୍ଶଗତ କାର୍ଯ୍ୟ ସମ୍ପାଦିତ କରି ନିଜର ଏକ ଲିଗାସୀ ସୃଷ୍ଟି କରିଛନ୍ତି । ବିଜୁଙ୍କ ପାଇଁ ଓଡ଼ିଆମାନେ ହେଉଛନ୍ତି ସର୍ବୋପରି । ସେ ନିଜର ଓଡ଼ିଶା ଲୋକମାନଙ୍କୁ ଭଲ ପାଉଥିଲେ ଏବଂ ଠିକ୍ ସେହିପରି ଓଡ଼ିଆମାନେ ତାଙ୍କୁ ମଧ୍ୟ ଭଲ ପାଉଥିଲେ ।

Also Read

ବିଜୁଙ୍କ ଲିଗାସୀକୁ ପାଥେୟ କରି ବିଜୁ ଜନତା ଦଳ ତିଆରି ହେଲା । ଲୋକମାନେ ମଧ୍ୟ ଏହି ଦଳକୁ ଢେର ଭଲପାଇବା ଦେଲେ । ପାଞ୍ଚ ପାଞ୍ଚ ଥର ଏହି ଆଞ୍ଚଳିକ ଦଳକୁ କ୍ଷମତାସୀନ କରାଇଲେ । ହେଲେ ଏହି ୨୪ ବର୍ଷ ଶାସନ ମଧ୍ୟରେ ବିଜୁ ଜନତା ଦଳ ‘ବିଜୁ ଲିଗାସୀ’ ମଧ୍ୟରୁ ବାହାରି ଆଉ ଏକ ଲିଗାସୀ ସୃଷ୍ଟି କରିବାରେ ଲାଗି ପଡ଼ିଲା । ପ୍ରଥମରୁ ବିଜୁଙ୍କ ଫଟୋଚିତ୍ର ଲଗାଇ ଏବଂ ଅନେକ ଯୋଜନାକୁ ବିଜୁଙ୍କ ନାମରେ ନାମିତ କରି ଦଳ ଧିରେ ଧିରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କର ଏକ ଲିଗାସୀ ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ । ‘ନବୀନ ଓଡ଼ିଶା’ର ଏକ ପରମ୍ପରା ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରାଗଲା ।

ବିଜୁ ପଟ୍ଟନାୟକଙ୍କ ସମୟରେ ‘ମା’କୁ ସମ୍ମାନ ଓ ଗାଁ କୁ କାମ’ ନାମରେ ଏକ ସ୍ଳୋଗାନ ବେଶ୍ ଆଦୃତି ଲାଭ କରିଥିଲା । ଏହାର ଭାବାର୍ଥ ହେଲା ନାରୀ ସୁରକ୍ଷା ଓ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ । ହେଲେ ନବୀନଙ୍କ ଶାସନ କାଳଖଣ୍ଡରେ ଦେଖାଗଲା ନାରୀ ନିର୍ଯାତନା ଆଶାତୀତ ଭାବରେ ବୃଦ୍ଧିପାଇଲା । ଶାସକ ଦଳ ସହିତ ସମ୍ପର୍କ ରଖିଥିବା ଅପରାଧୀମାନେ ଦଣ୍ଡ ପାଇବା ପରିବର୍ତ୍ତେ ସୁରକ୍ଷା ପାଇଲେ । ଗ୍ରାମାଞ୍ଚଳରେ ଅବିଚାରିତ ଭାବେ ମଦର ପ୍ରଚାର ପ୍ରସାର ହେଲା । ଶିକ୍ଷା ବ୍ୟବସ୍ଥା ଭୂଶୁଡ଼ି ପଡ଼ିଲା । ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ମଳିପାରିଲା ନାହିଁ । ଯାହାଫଳରେ ଅବିଭାବକମାନେ ନିଜ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ଅଧିକ ଅର୍ଥ ବ୍ୟୟ କରି ପଢାଇବାକୁ ଉଚିତ ମଣିଲେ । ଏକ ପ୍ରକାର ବାଧ୍ୟ ହେଲେ ବୋଲି ମଧ୍ୟ କୁହାଯାଇପାରିବ ।

ଅଧିକ ପଢ଼ନ୍ତୁ: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?

ଅନୂରୂପ ଭାବେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ପ୍ରକାର ଭୂଶୁଡ଼ି ପଡ଼ିଲା । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପର୍ଯ୍ୟନ୍ତ ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ଘୋର ଅଭାବ ଦେଖାଦେଲା । ଗରିବଗୁରୁବା ଲୋକମାନେ ଖର୍ଚ୍ଚାନ୍ତ ହୋଇ କଟକ ଓ ଭୁବନେଶ୍ୱର ଆସିବାକୁ ବାଧ୍ୟ ହେଲେ ।

୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ଦିନ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ଭୁବନେଶ୍ୱର ଗାନ୍ଧିମାର୍ଗରୁ ସେ ତାଙ୍କ ପ୍ରଥମ ଅଭିଭାଷଣରେ ଲୋକମାନଙ୍କୁ କହିଥିଲେ – ‘ଆପଣମାନେ ଗାଁକୁ ଜଗିଥାଆନ୍ତୁ, ମୁଁ ଭୁବନେଶ୍ୱରକୁ ଜଗିଛି’ । ନବୀନଙ୍କ ପୂର୍ବରୁ ଓଡ଼ିଶାରେ କଂଗ୍ରେସ୍ ଶାସନ ଥିଲା । ଏହି ସମୟରେ ଦୂର୍ନୀତି ଏକ ନୀତିରେ ପରିଣତ ହୋଇସାରିଥିଲା । ବ୍ଲକ୍ ଅଫିସ୍ ଠାରୁ ଆରମ୍ଭ କରି ଥାନା ଓ ସଚିବାଳୟରେ ଦଲାଲ୍‌ମାନଙ୍କ ରାଜ୍ ଚାଲୁଥିଲା । ଏ ନେଇ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ ।

ନବୀନଙ୍କ ଶାସନର ପ୍ରଥମ କେତେ ବର୍ଷ ଠିକ୍ ଚାଲିଲା । ତା’ପରେ ‘ଯଥା ପୂର୍ବଂ ତଥା ପରଂ’ ଅବସ୍ଥା ଦେଖିବାକୁ ମିଳିଲା । ଜାନକୀ ପଟ୍ଟନାୟକଙ୍କ ସରକାର ସମୟରେ ଦୁର୍ନୀତି ହୁଙ୍କା ଭଳି ଉଚ୍ଚ ଦେଖାଦେଉଥିବା ବେଳେ ନବୀନଙ୍କ ସମୟରେ ଚିଟ୍‌ଫଣ୍ଡ୍ ଓ ଖଣି ଦୁର୍ନୀତିର ପାହାଡ ତଥା ଡାଲି, ଜମି ଓ ପାଣି ଦୁର୍ନୀତି ପର୍ବତ ସୁଉଚ୍ଚ ଭାବେ ଲୋକମାନଙ୍କ ଆଗରେ ପ୍ରତିଭାତ ହେଲା । ତାଙ୍କର ମନ୍ତ୍ରୀମାନେ ଖଣିଖାଦାନ ବ୍ୟବସାୟରେ ମାତିଲେ । ଜମି ଠାରୁ ଆରମ୍ଭ କରି ପାଣି ଦୁର୍ନୀତିରେ ସେମାନଙ୍କର ସମ୍ପୃକ୍ତି ଦେଖିବାକୁ ମିଳିଲା । ରାମଚନ୍ଦ୍ର ହାଁସଦାଙ୍କ ଭଳି ମୟୂରଭଂଜର ବିଜେଡ଼ିର ତତ୍କାଳୀନ ସାଂସଦଙ୍କ ଠାରୁ ଆରମ୍ଭ କରି ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ଭଳି ତତ୍କାଳୀନ ବିଧାୟକଙ୍କୁ ଜେଲ୍ ଯିବା ପାଇଁ ପଡ଼ିଲା ।

ଏବେ ଆସିବା ଶାସନ ବ୍ୟବସ୍ଥାକୁ । ୨୦୦୧ରେ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ‘ଦୁର୍ନୀତିର ଛାୟା’ ଅଭିଯୋଗରେ ଦଳରୁ ବିଦା କରାଗଲା । ଲୋକେ ଆଶା କରୁଥିଲେ ଯେ, ଏହି ଦୁର୍ନୀତିର ଛାୟା କ’ଣ ନବୀନ ତାହା ଖୁବ୍ ଶୀଘ୍ର ପ୍ରକାଶ କରିବେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଅସମାହିତ ହୋଇରହିଗଲା । କିନ୍ତୁ ଏହା ଗୋଟିଏ ବାର୍ତ୍ତା ଦେଲା ଯେ ନବୀନଙ୍କ ଭାବମୂର୍ତ୍ତି ତିଆରି କରିବା ପାଇଁ ଏକ ରାଜନୈତିକ ଚାଲ୍ ଥିଲା । ଏହାପରେ ନବୀନ ଅନେକ ନେତାଙ୍କୁ ଏହି ଦୁର୍ନୀତି ଅଭିଯୋଗରେ ଦଳରୁ ବାହାର କରିଛନ୍ତି । ହେଲେ କୌଣସି ଗୋଟିଏର ପ୍ରମାଣ ମିଳିପାରିନାହିଁ ।

ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ବିଧାନସଭାର ଭୂମିକା ଅନସ୍ୱୀକାର୍ଯ୍ୟ । ହେଲେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବିଧାନସଭାର ଗରିମାମୟ ପରମ୍ପରାକୁ ଏକ ଆଖିଠାର ମାରିବା ଭଳି ପ୍ରତୀୟମାନ ହେଉଥିଲା । ଅନେକ ସମୟରେ ବିଲ୍‌ଗୁଡିକ ଉପରେ ଆଦୌ ଆଲୋଚନା ହେଉନଥିଲ । ଅଳ୍ପ କିଛି ସମୟ ମଧ୍ୟରେ କମ୍ ବା ବିନା ଆଲୋଚନାରେ ଅନେକ ବିଲ୍ ପାସ୍ ହେଉଥିବା ଦେଖାଯାଉଥିଲା । ଅନେକ ସମୟରେ ନବୀନ ପଟ୍ଟନାୟକ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ । ଯାହାଫଳରେ ବିରୋଧୀମାନେ ଥରେ ପ୍ରତିବାଦ କରି ତାଙ୍କ ଘର ପର୍ଯ୍ୟନ୍ତ ଖୋଜିବା ପାଇଁ ଯାଇଥିଲେ ।

ଅନୂରୂପଭାବେ ରାଜ୍ୟ କ୍ୟାବିନେଟ୍‌ରେ କ’ଣ ଆଲୋଚନା ହେବ, ସେ ନେଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମାନଙ୍କ ପାଖରେ ଖବର ରହୁନଥିଲା । ମନ୍ତ୍ରୀମାନେ ନାମକୁ ମାତ୍ର କ୍ୟାବିନେଟ୍ ଯାଉଥିଲେ । କ୍ୟାବିନେଟ୍‌ରେ ଯେଉଁ ପ୍ରସ୍ତାବଗୁଡ଼ିକ ଆସୁଥିଲା, ତାହା ଉପରେ ସେମାନେ ବିନା ଦ୍ୱିଧାରେ ଦସ୍ତଖତ କରି ଫେରିଆସୁଥିଲେ । ଆହୁରି ସବୁଠାରୁ ବିଡ଼ମ୍ବନାର କଥା ହେଲା କ୍ୟାବିନେଟ୍ ବୈଠକର ବିବରଣୀ ମନ୍ତ୍ରୀମାନେ ନଦେଇ ସଚିବମାନେ ଦେଉଥିଲେ । ସ୍ଥଳ ବିଶେଷରେ ପ୍ରେସ୍‌ନୋଟ୍ ମାଧ୍ୟମରେ ଏହି ବିବରଣୀ ପ୍ରଦାନ କରାଯାଉଥିଲା । ଉପରୋକ୍ତ ଘଟଣାଗୁଡ଼ିକ ଅସାଧାରଣ ଭାବେ ଅଲୋଡ଼ା ପରମ୍ପରା ଥିଲା । ଯାହାକୁ ଉତ୍ତରପିଢ଼ି କେବେ ସମ୍ମାନର ସହିତ ପଢିବା ପାଇଁ ପସନ୍ଦ କରିବ ନାହିଁ ।

ସମୟ ବଦଳିଛି । ଶାସନର ପରିବର୍ତ୍ତନ ସହିତ ଗଣତାନ୍ତ୍ରିକ ବିଧି ଓ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ମୋହନ ମାଝି ସରକାର ଉଦ୍ୟମ ଆରମ୍ଭ କରିଥିବା ଦେଖାଯାଉଛି । ଗତ ବିଧାନସଭାରେ ‘ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ – ୨୦୨୪’ ଉପରେ ଦୁଇ ଦିନ ଧରି ଆଲୋଚନା ହୋଇଥିଲା । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉତ୍କଣ୍ଠାର ସହିତ ଅଂଶଗ୍ରହଣ କରିଥିଲେ । ବିଧାନସଭା ଅଧିବେଶନ ଆଉ ଅଧା ବା ଚଉଠ ଭାବେ ଚଳାଇ ବନ୍ଦ କରିଦିଆଯାଉନାହିଁ । ସେହିପରି କ୍ୟାବିନେଟ୍ ବୈଠକ ପରେ ଅଧିକାଂଶ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ବା ଜଣେ ମନ୍ତ୍ରୀ ପ୍ରେସ୍ ମାଧ୍ୟମରେ ଜନସାଧାରଣଙ୍କୁ ପାରିତ ପ୍ରସ୍ତାବ ଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ।

ଗଣତନ୍ତ୍ରରେ ନେତା ଓ ଜନତାମାନଙ୍କ ମଧ୍ୟରେ ନିଚ୍ଛକ, ନିରନ୍ତର ତଥା ନିଷ୍ଠାପର ତଥା ଆନ୍ତରିକ ସମ୍ପର୍କ ରହିପାରିଲେ, ତାହା ଏକ ଭଲ ପରମ୍ପରା ବା ଲିଗାସୀ ସୃଷ୍ଟି କରିଥାଏ । ସମ୍ପର୍କ ଛଳନାପୂର୍ଣ୍ଣ ହେଲେ, ତାହା ଉଭୟଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରେ । ଶାସିତମାନେ ଶାସକକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହିତ ଉତ୍ପୀଡ଼କ ଭାବେ ବିବେଚିତ କରନ୍ତି ଏବଂ ନିର୍ବାଚନରେ ତା’ର ଏକ ମଧୁର ପ୍ରତିଶୋଧ ନେଇଥାନ୍ତି ।

ବର୍ତ୍ତମାନର ମୋହନ ମାଝୀ ସରକାରଙ୍କ ପ୍ରାରମ୍ଭ ନବୀନଙ୍କ ପ୍ରାରମ୍ଭ ଭଳି ବେଶ୍ ଭଲ ରହିଛି । ଏହି ପ୍ରାରମ୍ଭକୁ ଆଧାର କରି ଆଗାମୀ ଦିନରେ ଆହୁରି ଅଧିକ ସୁନ୍ଦର ଓ ଦକ୍ଷ ଭାବରେ ଶାସନର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ଇତିହାସ ସବୁକିଛି ନିରୀକ୍ଷଣ କରୁଥାଏ । ଯଦି ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କ ଶାସନର କାଳଖଣ୍ଡରେ ନିଷ୍ଠା, ନମ୍ରତା ଓ ସ୍ୱଚ୍ଛ ଶାସନ ଦେଇପାରିବେ, ତେବେ ଇତିହାସରେ ତାଙ୍କର ଏକ ଗୌରବମୟ ଲିଗାସୀ ଲିପିବଦ୍ଧ କରାଇପାରିବେ । ଅନ୍ୟଥା ନବୀନଙ୍କ ଭଲ ପ୍ରାରମ୍ଭ ଯେପରି ପରବର୍ତ୍ତୀ ସମୟରେ ଅନୀତି ଓ ଦୂର୍ନୀତିର କଳାବାଦଲରେ ଢାଙ୍କି ହୋଇଗଲା, ସେମିତି ଢାଙ୍କି ହୋଇ ଅଦୃଶ୍ୟର ଅନ୍ତରାଳକୁ ଚାଲିଯିବ ।

ଅଧିକ ପଢ଼ନ୍ତୁ: ବିଜେଡିରେ ଅବହେଳିତ ବରିଷ୍ଠ, ଶଶୀଭୂଷଣ ଆଣିଲେ ସଙ୍ଗୀନ ଅଭିଯୋଗ

ଓଟିଭି ବିଜ୍ଞାପନ