• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସନ୍ତୁଷ୍ଟ ଅଛନ୍ତି କି ଭର୍ତ୍ତୃହରି ? ଯଦି ଅସନ୍ତୋଷ ଅଛନ୍ତି, ତେବେ କାହା ଉପରେ ? କ୍ଷମତା କେନ୍ଦ୍ର ନା ଅନ୍ୟ କାହା ଉପରେ ? ଦଳରେ ଗୁରୁତ୍ୱ ମିଳୁନଥିବାରୁ ଅନ୍ୟକଥା ଚିନ୍ତା କରୁଛନ୍ତି କି ଭର୍ତ୍ତୃହରି ? ବିଜେଡି ର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ଏମିତି ଚର୍ଚ୍ଚା । କାରଣ ଡିସେମ୍ବର ୨୬ରେ ପୁରୀରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ଭର୍ତ୍ତୃହରି । ଆଜି ଏନେଇ ସାମ୍ବାଦିକ ପ୍ରଶ୍ନ କରିବା ପରେ ନିଜକୁ ରୋକି ପାରିନଥିଲେ ସେ ।

ପୁରା କାର୍ଡ ଖୋଲିନଥିଲେ ମଧ୍ୟ, ସଂକ୍ଷେପରେ ଯାହା ଇଶାରା ଦେଇଛନ୍ତି ତାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିଜ ଅନୁପସ୍ଥିତିର କାରଣ କହିନଥିଲେ ମଧ୍ୟ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ସେ କଥା ପଚାରିଛନ୍ତି କି ବୋଲି ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କରିଥିଲେ । ପିନାକୀ ଅସୁସ୍ଥ ଥିବା କଥା ମଂଚରେ ଘୋଷଣା କରାଯାଇଥିଲା ବୋଲି ସାମ୍ବାଦିକମାନେ କହିବା ପରେ ସେ ଦିନ ପିନାକୀ କେଉଁଠି ଥିଲେ ବୋଲି ଭର୍ତ୍ତୃହରି ପାଲଟା ପ୍ରଶ୍ନ କରିଥିଲେ । ଏହା ସହ ସେ କହିଛନ୍ତି ୪ଟି ବିଷୟରେ ତାଙ୍କର କହିବାର ଅଛି, କିନ୍ତୁ ଆଜି ନୁହେଁ । ୨୦୨୪ରେ ସେ ନିର୍ବାଚନ ଲଢ଼ିବେ କି ନାହିଁ, ପ୍ରଶ୍ନର ଉତ୍ତରରେ କହିଥିଲେ, ତାହା ମଧ୍ୟ ଏକ ପ୍ରସଙ୍ଗ ।

ଅଧିକ ପଢ଼ନ୍ତୁ: ବିଜେପି ଫୋକସ୍‌ରେ MP ସିଟ୍, ସର୍ଭେ କହୁଛି ଜିତିଥିବା ୪ ଆସନରେ ଦଳ ଦୁର୍ବଳ

ଏହାପରେ କେଉଁ ୪ଟି ପ୍ରସଙ୍ଗ ଭର୍ତ୍ତୃହରିଙ୍କୁ ଆନ୍ଦୋଳିତ କରୁଛି, ସେ ସଂପର୍କରେ କେବେ ଓ କାହାକୁ କହିବେ ତାକୁ ନେଇ ପ୍ରକାଶ ପାଇଛି କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଛି ଭର୍ତ୍ତୃହରିଙ୍କୁ ବିଜେଡି ଭିତରେ ଆଗଭଳି ଆଉ ଗୁରୁତ୍ୱ ମିଳୁନାହିଁ । ତେଣୁ ସେ ଆଗକୁ କଣ ପଦକ୍ଷେପ ନେବେ ତାଉପରେ ନଜର ରହିଛି । ସେପଟେ ଭର୍ତ୍ତୃହରିଙ୍କ ମନ୍ତବ୍ୟ ନେଇ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଭର୍ତ୍ତୃହରି ଓ ପିନାକୀ ପ୍ରତିଷ୍ଠା ଦିବସ ସମାରୋହକୁ ନଆସିବା ନେଇ କିଛି ଦ୍ୱନ୍ଦ୍ୱ ନାହିଁ ।

ସେପଟେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଲିଗଡ଼ ତାଲା ଉପଖ୍ୟାନକୁ ନେଇ ବି ଚର୍ଚ୍ଚା । ଆଜି ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ଭାଷଣ ଦେଲାବେଳେ କବିତା ମାଧ୍ୟମରେ କଟାକ୍ଷ କରିଛନ୍ତି ପାଟ୍ଟଶାଣୀ । ସେ କାହାକୁ ଇଙ୍ଗିତ କରୁଛନ୍ତି ସେ କଥା ସ୍ପଷ୍ଟ ହୋଇନାହିଁ । ମଂଚ ତଳେ ବି ପ୍ରତିକ୍ରିୟା ଦେଇ ହାତୀ-ଗଧ ଉପାଖ୍ୟାନ ବଖାଣିଥିଲେ ପାଟ୍ଟଶାଣୀ ।

ବିଜେଡିରେ ଯେ ଅସନ୍ତୋଷର ମିଟର ଚଢ଼ିବାରେ ଲାଗିଛି, ସେ କଥା ଆଉ ଅଛପା ନାହିଁ । ତେଣୁ ନିକଟରେ ବିଜେଡିର ୟଙ୍ଗ ଟିମ୍‌ର ପ୍ରାୟ ୧୨୦ ଜଣଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତ କରଯାଇଛି ।

(ରିପୋର୍ଟ- ହରିହର ଚାନ୍ଦ, ଭୁବନେଶ୍ୱର)