• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ମାଡ ଖାଇବା ଲୋକ ଥାନାରେ ବସୁଥିଲେ, ମାଡ ଦେବା ଲୋକ ପଦାରେ ବୁଲୁଥିଲେ । ବିଜେଡି ସରକାର ଅମଳରେ ଏମିତି ଚାଲିଥିଲା ଯାଜପୁରରେ ଶାସନ । କେବଳ ସେତିକି ନୁହେଁ ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ଥାନାବାବୁ । ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଖୋଲାକଥା’ରେ ଭାଗ ନେଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । 2019ରେ ବିଜେପି ଛାଡି ବିଜେଡିରେ ଯୋଗଦେଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସୁନନ୍ଦା । ତେବେ 2019ରୁ 2024 ଏହି 5 ବର୍ଷ ତାଙ୍କୁ ବହୁତ କଷ୍ଟ ହୋଇଥିବା ସେ କହିଛନ୍ତି । ନିଜ ମନର କଥାକୁ ସେ ଏବେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି, ଥାନାବାବୁ ତାଙ୍କ କଥା ଶୁଣୁନଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା କାମ ପୋଲିସର କିନ୍ତୁ ଯାଜପୁର ଜିଲ୍ଲାରେ ରାଜନୈତିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲା ପୋଲିସ୍ । ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁନନ୍ଦା ଦାସ । 2024 ନିର୍ବାଚନ ପୂର୍ବରୁ ଏସପି ଫୋନ୍ କରି କହିଥିଲେ ଆଶିଷ ସିଂହ ଓ ଡିଏସ୍ କୁଟ୍ଟେଙ୍କୁ ଦେଖା କରିବାକୁ ।  ସେ ମଧ୍ୟ ଆସି ଦେଖା କରିଥିଲେ । ତେବେ କଥା ହେଲା ପରେ ପୁଣି ତାଙ୍କୁ କୁହାଗଲା, ତୁମ ରିପୋର୍ଟ ଆସିଲେ ଟିକେଟ୍ ଫାଇନାଲ୍ ହେବ । ଏହି ରିପୋର୍ଟ ଥାନାର ଆଇଆଇସିମାନେ ଦେଉଥିଲେ ବୋଲି କହିଛନ୍ତି ସୁନନ୍ଦା । ଯାଜପୁର ସହରରେ ଥିଲା କଣ୍ଟ୍ରୋଲରୁମ୍ । ଯାହା ନିର୍ଦ୍ଦେଶ ଆସୁଥିଲା, ସେହି ଅନୁସାରେ କାମ କରୁଥିଲେ ପୋଲିସ୍ ଓ ଅଧିକାରୀ । ଏମିତି କହି ବିଜେଡି ଶାସନର ପୋଲ୍ ଖୋଲିଛନ୍ତି ସୁନନ୍ଦା । ବିଜେଡିର ଟିକେଟ୍ ଦିଆଯିବାରେ ଏହି ପୋଲିସ୍ ରିପୋର୍ଟ କଥା କୁହାଯାଉଥିଲା । ଟିକେଟ୍ ମିଳିବ କି ମିଳିବନି ତାହା ଏହି ଥାନାବାବୁଙ୍କ ଚରିତ୍ର ରିପୋର୍ଟ ଆଧାରରେ କରାଯାଉଥିଲା । ଏ ତ ନିର୍ବାଚନ ସମୟର କଥା । କିନ୍ତୁ ଅନ୍ୟ ସମୟରେ ପୋଲିସ୍ ଯାହା ଚାହୁଁଥିଲା ତାହା କରୁଥିଲା ।

ଅଣନିଃଶ୍ୱାସୀ ହୋଇପଡିଥିଲେ, କଷ୍ଟରେ ଥିଲେ

ସୁନନ୍ଦା ବିଧାୟିକା ଥିଲା ବେଳେ ଯାହା ବି କାର୍ଯ୍ୟକ୍ରମ ବରୀରେ କରୁଥିଲେ ଦଳର ସାଂଗଠନିକ ସଂପାଦକଙ୍କୁ ଜଣାଇ କରୁଥିଲେ ଓ କାର୍ଯ୍ୟକ୍ରମ ପରେ ମଧ୍ୟ ଜଣାଉଥିଲେ । ତା ସତ୍ତ୍ବେ ବି ସେ ଅଣନିଃଶ୍ବାସୀ ହୋଇପଡିଥିଲେ ବୋଲି କହିଛନ୍ତି । ସୁନନ୍ଦା ବିଧାୟିକା ଥିଲା ବେଳେ ଦଳରେ ଅନ୍ୟ ଜଣେ ନେତାଙ୍କୁ ବିଜେଡି ସାମିଲ୍ କରିଥିଲା । ସେହି ନେତା ଜଣକ ତାଙ୍କ ସହ 2019 ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସୁନନ୍ଦାଙ୍କ କହିବା ଅନୁଯାୟୀ, ସେ ଦଳରେ ଯୋଗଦେବା ପରେ ବଢିଥିଲା ସୁନନ୍ଦାଙ୍କ ସମସ୍ୟା । ଥାନାରେ ସୁନନ୍ଦାଙ୍କ କଥାକୁ ପୋଲିସ୍ ଆଉ ସେତେଟା ଗୁରୁତ୍ୱ ଦେଇନଥିଲା । ବରଂ ଦଳରେ ମିଶିଥିବା ଏହି ନୂଆ ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇଥିଲା ପୋଲିସ୍ । ଏପରିକି ସୁନନ୍ଦାଙ୍କ ସମର୍ଥକ ମାଡ ଖାଇଥିଲେ ବି ତାଙ୍କୁ ଥାନାରେ ବସାଯାଉଥିଲା ଓ ମାଡ ଦେଇଥିବା ଅନ୍ୟ ନେତାଙ୍କ ସମର୍ଥକ ବାହାରେ ଆରାମରେ ବୁଲୁଥିଲେ ।  ଯଦି କୌଣିସି ପୋଲିସ୍ ଅଧିକାରୀ କଥା ଶୁଣି ଠିକରେ କାମ କରୁଥିଲେ ତାଙ୍କୁ ଅଚାନକ ବଦଳି କରିଦିଆଯାଉଥିଲା । ଏହାଥିଲା ବରୀର ଅବସ୍ଥା । ଜଣେ ବିଧାୟିକା ଭାବେ କାମ କରିବାର ସୁଯୋଗ ନଦେଇ ଦଳ ସେଠି ଭାଗ ବଣ୍ଟୁଆରା କରିଥିଲା ବୋଲି ସୁନନ୍ଦା ଅଭିଯୋଗ କରିଛନ୍ତି । ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା । କିନ୍ତୁ ନବୀନ ନିବାସ ଡାକି ତାଙ୍କୁ ବୁଝାସୁଝା କରାଯାଇଥିଲା । ଦଳର ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରେ ନିର୍ବାଚନ ଲଢୁଥିବାରୁ ସୁନନ୍ଦାଙ୍କୁ ସେଠି ଦଳର ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ନିର୍ବାଚନ ପରେ ତାଙ୍କୁ ଭଲ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେଡି ।

ଯାଚିକି ଟିକେଟ୍ ଦେଇଥିଲା ବିଜେଡି 

ବିଜେପିରୁ ହିଁ ତାଙ୍କର ରାଜନୈତିକ କ୍ୟାରିୟର୍ ଆରମ୍ଭ ହୋଇଥିଲା । 2007ରେ ସେ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । 2012ରେ ସରପଞ୍ଚ ହୋଇଥିଲେ । 2017ରେ ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷା ହୋଇଥିଲେ । 2019ରେ ବିଜେଡି ତାଙ୍କୁ ବିଧାୟକ ଟିକେଟ୍ ଯାଚିଥିଲା । ବିଜେଡି ନେତା ତାଙ୍କ ସହ ବହୁବାର ଯୋଗାଯୋଗ କରିଥିଲେ । ସେ ବିଜେଡିକୁ ଯିବେ ନଯିବେ, ଏମିତି ଦ୍ୱନ୍ଦ୍ୱରେ ଥିଲେ । ଗୋଟିଏ ମାସ ବି ଦୂରେଇକି ରହିଲେ । ସୁଯୋଗର ସଦୁପଯୋଗ କରିବାକୁ କର୍ମୀ ତଥା ଶୁଭେଚ୍ଛୁମାନେ ପରାମର୍ଶ ଦେଇଥିଲେ । ତା ପରେ ସେ ବିଜେପି ଛାଡି ବିଜେଡିକୁ ଯାଇଥିଲେ । ଟିକେଟ୍ ପାଇ ସେ ନିର୍ବାଚନ ଜିତି ବିଧାନସଭାକୁ ଆସିଥିଲେ । ଏବେ ସେ ବିଜେଡି ଛାଡି ପୁଣି ତାଙ୍କ ପୁରୁଣା ଦଳ ବିଜେପିକୁ ଫେରିଛନ୍ତି । ଖୋଲିଛନ୍ତି ବିଜେଡିର ଗୁମର । ସୁନନ୍ଦାଙ୍କ ବୟାନ ଉପରେ ସଂପୃକ୍ତ ସରକାରୀ ଅଧିକାରୀ କିମ୍ୱା କୌଣସି ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।   

OTV is now on Whatsapp

Join and get latest news update delivered to you via whatsapp

Join Now