ଜାଲ୍ ସାର୍ଟିଫିକେଟ କେଳେଙ୍କାରୀର ଖୋଲିବ ତ ଗୁମର ?

ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।

ଖୋଲିବ ଜାଲ୍ ସାର୍ଟିଫିକେଟ ଗୁମର ?

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟକୁ ନେଇ ତମ୍ବିତୋଫାନ ପରେ ଚେତା ପଶିଛି ରାଜ୍ୟ ସରକାରଙ୍କର । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ନକଲି ସାର୍ଟିଫିକେଟ କେଳେଙ୍କାରୀର କେନ୍ଦ୍ରସ୍ଥଳ କୁହାଯାଉଥିବା ବଲାଙ୍ଗିର ଅଭିମୁଖେ ଯାଇଛି ।

ଏହି ଟିମ୍ ଜିଲ୍ଲାରେ ଓ ରାଜ୍ୟ ଭିତରେ ଚେର ଖୋଜିବ । ତେଣେ ଜାଲ୍ ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ସହ ବିଜେଡି ନେତାଙ୍କ ଲିଙ୍କ ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବାବେଳେ ବିଜେଡି ଏହାର ଜବାବ ରଖିଛି ।

ବଲାଙ୍ଗିର, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ । ପାଞ୍ଚ ପାଞ୍ଚଟି ଜିଲ୍ଲାରେ ନକଲି ସାର୍ଟିଫିକେଟକୁ ନେଇ ହୁଲସ୍ତୁଲ । ବିଜେଡି ନେତାଙ୍କ ଲିଙ୍କ୍ ପରେ ବ୍ୟାକଫୁଟକୁ ଆସିବା ପରେ ରାଜ୍ୟ ସରକାରଙ୍କ ପଶିଲା ଚେତା । ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ଡିଏସପି ଡି.ବି.ଚକ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ମାମଲାର ତଦନ୍ତ କରିବ ।

ଏଥିପାଇଁ କେଳେଙ୍କାରୀର କେନ୍ଦ୍ରସ୍ଥଳ ବଲାଙ୍ଗିର ଯାଇଛି । ବଲାଙ୍ଗିର ପୋଲିସ କବଜାରେ ଥିବା ଏହି କଳାଧନ୍ଧାର ମୁଖ୍ୟ କାର୍ପଟଦାର ମନୋଜ ମିଶ୍ର ଓ ଆଲୋକ ଉଦଗାତା ସହ ୧୯ ଜଣଙ୍କୁ ଧରି ଘାଣ୍ଟିବ କ୍ରାଇମବ୍ରାଞ୍ଚ । ଏପରିକି ଗାଁ ଗାଁରୁ ତଥ୍ୟ ଆଦାୟ କରି ଜାଲ୍ ସାର୍ଟିଫିକେଟ୍ ଦେଉଥିବା ଦଲାଲ ପାଖରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ ।

ସେହିପରି ମାଷ୍ଟର ମାଇଣ୍ଡଠାରୁ ଜବତ ଡାଏରୀର ତଥ୍ୟ ଆଧାରରେ ଜାଲି କାରବାରର ଖିଅ ଖୋଜିବ । ଆଉ କେଉଁ ଜିଲ୍ଲାକୁ ଲମ୍ବିଛି ଏହି ରାକେଟର ଚେର ? କାହା ଛତ୍ରଛାୟାରେ କେଳେଙ୍କାରୀ ଚଳାଉଥିଲା ମନୋଜ ମିଶ୍ର ? ଏସବୁ ଦିଗକୁ ଧରି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ । ନକଲି ସାର୍ଟିଫିକେଟରେ ପୋଷ୍ଟମାଷ୍ଟର ବନିଥିବା ଚାରି ଚାରି ଜଣଙ୍କ ଚେହେରାକୁ ପଦାକୁ ଆଣିଥିଲା ଓଟିଭି । ଯାହାକୁ ନେଇ ରାଜ୍ୟବ୍ୟାପି ହଇଚଇ ସହ ବଲାଙ୍ଗିର ଜିଲ୍ଲାର ସମସ୍ତ ବିଭାଗରେ ଲାଗି ରହିଛି ଛନକା । ଏପରିକି ଜିଲ୍ଲାପାଳ ବି ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରର ବିଜେଡି ସହ ସେହି ଦଳର ଏକାଧିକ ନେତାଙ୍କ ଲିଙ୍କ ସାମ୍ନାକୁ ଆସିଛି । ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଭଳି ବହୁ ନେତାଙ୍କ ସହ ସଂପର୍କ କଥା ସାମ୍ନାକୁ ଆଣି ବର୍ଷିଥିଲେ ବିରୋଧୀ । ବିଧାନସଭାରେ ବି ହୋଇଥିଲା ତମ୍ବିତୋଫାନ ।

ଏହାକୁ ନେଇ ଅକଳରେ ପଡ଼ିବା ପରେ ରାଜ୍ୟ ସରକାର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା । କହିଛନ୍ତି, ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।

ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କିନ୍ତୁ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଥିବାବେଳେ ସମାନ ଅଭିଯୋଗ ଆଣି ଟାର୍ଗେଟ କରିଛି କଂଗ୍ରେସ । ଏହାର ଜବାବ ରଖିଛି ବିଜେଡି।

ସେପଟେ ମନୋଜ ମିଶ୍ର ସହ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କ ଫଟୋକୁ ନେଇ ବଲାଙ୍ଗିର ଜିଲ୍ଲାରେ ବି ଜାରି ରହିଛି ରାଜନୈତିକ ବୟାନବାଜି । ଫଟୋ ପାଇଁ ତୁତୁ ମେମେ ହୋଇଛନ୍ତି କଂଗ୍ରେସ ଓ ବିଜେଡି ।

ଝାରସୁଗୁଡ଼ାରୁ ଭାଗିରଥୀ ସାହୁ, ବଲାଙ୍ଗିରରୁ ମନରଂଜନ ଯୋଷୀ ଏବଂ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି