• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋଟିଆରେ ଉତ୍କଳ ଦିବସ ରାଜନୀତି । ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଉତ୍କଳ ଦିବସ ପାଳନ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେପି ଓ ବିଜେଡି। କୋଟିଆ ପଞ୍ଚାୟତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ବିଧାୟକ ଓ ପୂର୍ବତନ ବିଧାୟକ ପ୍ରମୁଖ ଉତ୍କଳ ଦିବସ ପାଳିଥିବା ବେଳେ, ବିଜେଡି ପାଳିଛି ତଳଗଞ୍ଜେଇପଦରରେ । ତେବେ କୋଟିଆ ଗସ୍ତ ଅବସରରେ ସେଠାରେ କିଛି ଆନ୍ଧ୍ର ଅଫିସରଙ୍କୁ ଦେଖି, ଆନ୍ଧ୍ର ଗୋ ବ୍ୟାକ୍ ବୋଲି ନାରା ଦେଇଥିଲେ ଧର୍ମେନ୍ଦ୍ର ।

ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲା ର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ଆଦିବାସୀ ଗାଁ ଫାଟୁସିନେରି ଗସ୍ତ ବେଳେ, ସେଠାରେ ଡେରା ପକାଇଥିବା କିଛି ଆନ୍ଧ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ସେମାନେ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ କେନ୍ଦ୍ରମନ୍ତ୍ରୀ ।

କୋଟିଆରେ ଆନ୍ଧ୍ରର ୨୧ଟି ଗାଁ ରହିଛି ବୋଲି ସେମାନେ କହିବାରୁ, କୋଟିଆ କେବଳ ଓଡ଼ିଶା ର ବୋଲି ରୋକ୍‌ଠୋକ୍ ଶୁଣାଇଥିଲେ ଧର୍ମେନ୍ଦ୍ର । ଏହାପରେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଆୟୋଜିତ ଉତ୍କଳ ଦିବସ ସମାରୋହରେ ୫ ବିଜେପି ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକଙ୍କ ସହ ଯୋଗ ଦେଇଥିଲେ । ଏହି ଅବସରରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରି କୋରାପୁଟ ଜିଲ୍ଲାରେ କୁଇ ଭାଷାରେ ପିଲାଙ୍କ ପାଠପଢ଼ା ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ ସଭାଠୁ ୩ କିଲୋମିଟର ଦୂର ତଳଗଞ୍ଜେଇପଦରରେ ଉତ୍କଳ ଦିବସ ପାଳିଥିଲା ବିଜେଡି । ଯୋଗ ଦେଇଥିଲେ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ି ଓ ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ପ୍ରମୁଖ । ରବି ନନ୍ଦ କୋଟିଆ ବିବାଦର ସମାଧାନ ପାଇଁ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଥିବା ବେଳେ ଜୟପୁରରେ ସାମ୍ବାଦିକ ସମ୍ମିଳନୀ ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।

କୋଟିଆରୁ ସୂର୍ଯ୍ୟନାରାୟଣ ପଣ୍ଡା, ଜଗତଜୀବନ କାଚିମ ଓ ଟି. ଗୌରୀଶଙ୍କରଙ୍କ ରିପୋର୍ଟ, ଓଟିଭି