ରାଜ୍ୟରେ ୨୪ ବର୍ଷ ଧରି ସ୍ଥିର ସରକାର ଗଢ଼ିଥିଲା ବିଜେଡି । କିନ୍ତୁ ଶାସନରୁ ହଟିବାର ଦିନ କେଇଟା ଭିତରେ ଦଳୀୟ ନେତାଙ୍କ ଭିତରେ ଦେଖିବାକୁ ମିଳିଲାଣି ଶୀତଳ ଯୁଦ୍ଧ । କେବଳ ଶୀତଳ ଯୁଦ୍ଧ ନୁହେଁ କିଛି ଦିନ ତଳେ ଶଙ୍ଖ ଭବନରେ ହାତାହାତି ହୋଇଥିଲେ ମହିଳା ନେତ୍ରୀ । ଏହି ଘଟଣା ରାଜ୍ୟର ପ୍ରମୁଖ ଗଣମାଧ୍ୟମର ହେଡଲାଇନ ପାଲଟିଥିଲା । ଏମିତିକି ପୂର୍ବରୁ ଡରରେ ପାଟି ଫିଟାଉନଥିବା ନେତା ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି ।
ରାଜ୍ୟରେ କିଛି ଦିନପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତହେବ । କିନ୍ତୁ ଏହା ପୂର୍ବରୁ ଦଳୀୟ ଫାଟ ଦେଖି ଛାନିଆ ହେଲେଣି ବିଜେଡି ସୁପ୍ରିମୋ । ପୁଣି ପଦାରେ ପଡ଼ିଛି ବିଜେଡି ଫାଟ । ନେତାଜୀ ଜୟନ୍ତୀ ଉପଲକ୍ଷେ କଟକରେ ବିଜେଡିର ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପରେ ଦଳୀୟ କନ୍ଦଳକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ସୂଚନା ଅନୁସାରେ, ଗତକାଲି ମେୟର ସୁବାସ ସିଂ କର୍ପୋରେଟର ମାନଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିଥିଲେ । ଏହାପରେ ସନ୍ଧ୍ୟା ସମୟରେ ବାହାରିଥିଲା ଆଉ ଏକ କାର୍ଯ୍ୟକ୍ରମ ।
Also Read
ଅଧିକ ପଢ଼ନ୍ତୁ: ସରକାର-ଦଳ ଭିତରେ ଗ୍ୟାପ୍ କମାଇବାକୁ ବିଜେପିର କସରତ, ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କ ଉପସ୍ଥିତିରେ ମାନସମନ୍ଥନ
ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦ୍ବାରା ଆୟୋଜିତ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା । ଏଥିସହ ଜିଲ୍ଲା ବାହାରୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ପୁରୀ ବିଧାୟକ ସୁନୀଲ ମହାନ୍ତି ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ତେବେ ନିମନ୍ତ୍ରଣପତ୍ରରେ ନାଁ ଥିବା ସତ୍ତ୍ବେ ସେଠାରେ ମେୟର ସୁବାସ ସିଂ ଏବଂ ବିଧାୟକ ସୌଭିକ ବିଶ୍ୱାଳଙ୍କ ଦେଖା ମିଳିନଥିଲା । ରାଜନୈତିକ କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ କାର୍ଯ୍ୟକ୍ରମ ପାଇଁ ହୋଇଥିବା ନିମନ୍ତ୍ରଣ କାର୍ଡରେ ପ୍ରଥମେ ସୁବାସ ସିଂଙ୍କ ନାଁ ସାମିଲ ହୋଇନଥିଲା । ଏହା ଜାଣିବା ପରେ ଖପ୍ପା ଥିଲେ ମେୟର ସୁବାସ ସିଂ । ଏହାପରେ ତାଙ୍କ ସମର୍ଥକଙ୍କ ବିରୋଧ ପରେ ପୁଣି ତାଙ୍କ ନାଁ ଯୋଡ଼ି ନୂଆ କାର୍ଡ ଛପାଯାଇଥିଲା । ତେବେ ଏନେଇ ସୌଭିକଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ସୁବାସ ସିଂ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଅନ୍ୟପକ୍ଷରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡକା ଯାଇଥିଲା । ବ୍ୟକ୍ତିଗତ କାରଣ ଯୋଗୁଁ ବୋଧହୁଏ କିଛି ନେତା ଏଥିରେ ଯୋଗ ଦେଇପାରିନାହାନ୍ତି ।