• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ ।  ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ  । ସମସ୍ତ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଧିବଦ୍ଧ ଘୋଷଣା ବାକି ରହିଛି । ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍‌ ପୁଣି କାମ ଦେଇଛି । ବିଜେଡି ବାଜି ମାରିନେଇଥିବା ବେଳେ ଆସନ ବଜାୟ ରଖିଛି । ଫଳରେ ଏବେ ସବୁଜ ଶିବିରରେ ଉତ୍ସବର ମାହୋଲ୍ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡି ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଭୋଟର୍ ।

ତିନି ପ୍ରମୁଖ ଦଳ ବିଜେଡି, ବିଜେପିକଂଗ୍ରେସନିଜ ନିଜର ବିଜୟ ନେଇ ଆଶାବାଦୀ ଥିବାବେଳେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ୪୮,୬୧୯ ଭୋଟ୍‌ ମିଳିଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି । ତେବେ ନିର୍ବାଚନ ଜିତିବା ପରେ ଖୁସିରେ ବିଭୋର ହୋଇଯାଇଛନ୍ତି ଦୀପାଳି ।

୨୦୧୯ ନିର୍ବାଚନ ତୁଳନାରେ ଉଭୟ ବିଜେଡି, ବିଜେପି ଭୋଟ୍ ବଢ଼ିଛି । ସାଧାରଣ ନିର୍ବାଚନ ଅପେକ୍ଷା ବିଜେଡିର ଭୋଟ୍ ୮୩୮୩ ବଢ଼ିଛି ।୨୦୧୯ରେ ନବ ଦାସ ପାଇଥିଲେ ୯୮, ୬୨୦ ଭୋଟ୍ ପାଇଥିବା ବେଳେ ଏବେ ତାଙ୍କ ଝିଅ ଦୀପାଳି ପାଇଛନ୍ତି ୧ ଲକ୍ଷ ୭ ହଜାର ୩ ଭୋଟ୍ । ସେହିପରି ୨୦୧୯ ଅପେକ୍ଷା ବିଜେପିର ଭୋଟ୍ ମଧ୍ୟ ୫୪୬୩ ବଢ଼ିଛି । ୨୦୧୯ରେ ବିଜେପି ପ୍ରାର୍ଥୀ ଦୀନେଶ ଜୈନ ପାଇଥିଲେ ୫୨, ୯୨୧ ଭୋଟ୍, ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମିଳିଛି ୫୮, ୩୮୪ ଭୋଟ୍ ।

ଅନ୍ୟପଟେ ୨୦୧୯ ଅପେକ୍ଷା ଏଥର କଂଗ୍ରେସର ୧୪, ୩୫୦ ଭୋଟ୍ କମିଛି । ୨୦୧୯ରେ କଂଗ୍ରେସର ମହେନ୍ଦ୍ର ନାଏକ ପାଇଥିଲେ ୧୮, ୮୨୩ ଭୋଟ୍ । ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପାଇଛନ୍ତି ମାତ୍ର ୪୪୭୩ ଭୋଟ୍ ।

ସୂଚନାଯୋଗ୍ୟ ଗତ ନବ ଦାସ ୨୦୦୯, ୨୦୨୧୪ କଂଗ୍ରେସରୁ ବିଧାୟକ ହୋଇଥିବାବେଳେ ୨୦୧୯ ପୂର୍ବରୁ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହୋଇ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ବି ଥିଲେ । ତାଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ପଦ ଖାଲି ଥିଲା । ଗତ ମାସ ୧୦ ତାରିଖ ଦିନ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ଗଣନା ହୋଇଛି । ମଇଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଯଥା ବିଜେଡ଼ିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ତେଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିଲା । ଆଉ ସବୁ ଆକଳନକୁ ସତ କରି ବିଜେଡି ପୁଣି ଝାରସୁଗୁଡ଼ା ଅକ୍ତିଆର କରିଛି ।