Sushant Behera On BJD: ପରାଜୟ ନେଇ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ; କହିଲେ, ନବୀନଙ୍କ ପାଇଁ...

ସଭାକୁ ମୁଖ୍ୟମନ୍ତ୍ରୀ ସିଧା ଯିବା ବଦଳରେ ତାଙ୍କ ପ୍ରତିନିଧିଙ୍କୁ ପଠାଇଲେ । ପ୍ରତିନିଧି ଯିବାରୁ ବିଜେଡି କର୍ମୀ, ବ୍ୟକ୍ତିବିଶେଷ ଅସନ୍ତୁଷ୍ଟ ଥିଲେ । ସେହି ଅସନ୍ତୋଷ କାରଣ ପାଇଁ ବିଜୁ ଜନତା ଦଳ ହାରିଲା ।

‘ନବୀନଙ୍କ ପାଇଁ ବିଜେଡି ହାରିଲା’ !

ବିଜେଡିର ପରାଜୟ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା । ସଭାପତି ଅଣଦେଖା କରିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ସୁଶାନ୍ତ ବେହେରା । ସେ ଆହୁରି କହିଛନ୍ତି ଯେ, ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହେଉଥିଲା । ଦଳକୁ ମୁଖ୍ୟମନ୍ତ୍ରୀ ଟିକେ ଅଣଦେଖା କଲେ, ସେଥିପାଇଁ ଦଳ ହାରିଲା ବୋଲି ସୁଶାନ୍ତ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ସଭାକୁ ମୁଖ୍ୟମନ୍ତ୍ରୀ ସିଧା ଯିବା ବଦଳରେ ତାଙ୍କ ପ୍ରତିନିଧିଙ୍କୁ ପଠାଇଲେ । ପ୍ରତିନିଧି ଯିବାରୁ ବିଜେଡି କର୍ମୀ, ବ୍ୟକ୍ତିବିଶେଷ ଅସନ୍ତୁଷ୍ଟ ଥିଲେ । ସେହି ଅସନ୍ତୋଷ କାରଣ ପାଇଁ ବିଜୁ ଜନତା ଦଳ ହାରିଲା । ପରିଚାଳନାଗତ ତ୍ରୁଟିରୁ ଦଳ ପରାସ୍ତ ହେଲା ବୋଲି ସୁଶାନ୍ତ ବେହେରା କହିଛନ୍ତି ।

ଅଧିକ ପଢ଼ନ୍ତୁ: ପୋଲିସ୍ ଓ ଅଫିସର୍ ବୁଝୁଥିଲେ ରାଜନୀତି କଥା, ଗୁମର ଖୋଲିଲେ ସୁନନ୍ଦା

ଅମର ଶତପଥୀଙ୍କୁ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ଏଥିପାଇଁ ସେ ଭୁଲ୍ କଥା କହିଥାଇପାରନ୍ତି । କିନ୍ତୁ ସେ ଆମ ସହ ଅଛନ୍ତି । କୌଣସି ଦଳକୁ ଯାଇନାହାଁନ୍ତି । ସେ ବିଜୁ ଜନତା ଦଳ ଜମା ଛାଡ଼ି ନାହାନ୍ତି । ବରିଷ୍ଠ ନେତା ସବୁ ଦଳ ସହ ଅଛନ୍ତି । କିନ୍ତୁ ପରାଜୟ ପରେ କ୍ଷୋଭ ପ୍ରକାଶ କରୁଛନ୍ତି । ସେ କଥା ବେଶି ଦିନ ରହିବନି ବୋଲି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା କହିଛନ୍ତି ।

ତେବେ ଗତ ଅକ୍ଟୋବର ୨୯ରେ ବିଜେଡିରୁ ଇସ୍ତଫା ଦେଇ ବର୍ଷିଥିଲେ ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ । ସିଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇଥିଲେ ସୁନନ୍ଦା । ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ସେ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲେ ବୋଲି କହିଛନ୍ତି ।

ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ମଧ୍ୟ ସେ ବର୍ଷିଥିଲେ । ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି ସେ କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା । ତେବେ ପ୍ରତିଶ୍ରୁତି ଦେଇ ଟିକେଟ କାଟିଦେଇଥିବା ସେ ଅଭିଯୋଗ ଆଣିଥିଲେ ।

ତେବେ ସୁନନ୍ଦାଙ୍କ ପୂର୍ବରୁ ନିର୍ବାଚନ ବିପର୍ଯ୍ୟୟକୁ ନେଇ ମୁହଁ ଖୋଲିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା । କହିଥିଲେ, ଦଳ ହାରିବାର ୪ଟି କାରଣ ଥାଏ । ତାହା ହେଲା ପ୍ରାର୍ଥୀ, ଦଳ ଓ ଦଳପତି, କର୍ମକର୍ତ୍ତା ଓ ପାଣ୍ଠି । ହେଲେ ବିଜେଡି ପାଖରେ ପାଣ୍ଠିର କି ନେତୃତ୍ବର ଅଭାବ ନଥିଲା । ତେଣୁ ପ୍ରଶ୍ନ କ'ଣ ପ୍ରାର୍ଥୀ ଚୟନରେ ଭୁଲ୍ କଲା ଦଳ ? ନା ନିର୍ବାଚନ ସମୟରେ ଦଳ କର୍ମକର୍ତ୍ତାଙ୍କ ଅସନ୍ତୋଷର ଫଳ ଭୋଗିଲା ?

ସେହିପରି ନବୀନ ବାବୁ ଅଧିକ ପ୍ରଚାର ମଇଦାନରେ ରହିଥିଲେ ଦଳ ପାଇଁ ଲାଭ ହୋଇଥାନ୍ତା, ବିଜେଡି ଇସ୍ତାହାର ଅପେକ୍ଷା ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା ବୋଲି କହି ବାଣ ବି ମାରିଥିଲେ ପଦ୍ମନାଭ । ଅନ୍ୟପଟେ ଦଳରେ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ସିଧାସଳଖ କହିଥିଲେ, ଭି.କେ ପାଣ୍ଡିଆନ୍ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ଅଛି । ନବୀନ ପ୍ରଚାର କରିଥିଲେ ରେଜଲ୍ଟ ଭଲ ହୋଇଥାନ୍ତା, ଆମ ସରକାର ଆସିଥାନ୍ତା । ସୂଚନା ଅନୁସାରେ ନିର୍ବାଚନ ବିପର୍ଯ୍ୟୟ ପରଠୁ ବିଷୋଦଗାର କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା । ଦଳରେ ଗୋଷ୍ଠୀ କନ୍ଦଳ ଯେ, ଝଡ଼ ହେଇ ବହିଲାଣି ତାହା ଶଙ୍ଖ ଭବନରୁ ଆରମ୍ଭ କରି ନବୀନ ନିବାସ ଯାଏ ଜଳ ଜଳ ଦିଶିଯାଉଛି ।

ଅଧିକ ପଢ଼ନ୍ତୁ: Odisha Politics: ଖାଲି ହୋଇଯିବ କି BJD ଶିବିର ? BJPରେ ମିଶିବାକୁ ତାଲିକା ଲମ୍ବୁଛି !