Advertisment

Odisha Politics: ଖାଲି ହୋଇଯିବ କି BJD ଶିବିର ? BJPରେ ମିଶିବାକୁ ତାଲିକା ଲମ୍ବୁଛି !

ଦେବେନ୍ଦ୍ରଙ୍କ କଣ୍ଟାବାଞ୍ଜି ବାଣ ପରେ ନବୀନଙ୍କ ସ୍ପଷ୍ଟୀକରଣ । ବଢ଼ିଲା ଷଡ଼ଯନ୍ତ୍ର ଥିଓରି ଚର୍ଚ୍ଚା ।

author-image
Satyendu Shekher Mishra
undefined

Odisha Politics

ପଦ୍ମ ଧରିଲେ ସୁନନ୍ଦା। ତାଙ୍କ ପରେ ପୁଣି ଲମ୍ବା ତାଲିକା। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦାଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର, ନୟାଗଡ଼ର ଅନେକ ବ୍ଲକସ୍ତରୀୟ ବିଜେଡି ନେତା। ପୁଣି ରାଜ୍ୟ ସଭାପତି ମନମୋହନ ସାମଲ କହିଲେଣି ଲମ୍ବା ହେଉଛି ଆବେଦନ ତାଲିକା । ବିଚାର ବିମର୍ଶ କରି ମିଶା ହେବ।

Advertisment

ଖାଲି ହୋଇଯିବ କି ବିଜେଡି ଶିବିର ? ବିଜେପି ମୁହାଁ ପଞ୍ଚାୟତ, ବ୍ଲକଠୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତା। ଆଜି ପଦ୍ମ ଧରିଛନ୍ତି ସୁନନ୍ଦା, ଆଗକୁ ଆହୁରି ଲମ୍ବା ତାଲିକା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସୁନନ୍ଦାଙ୍କ ସହ ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଏବଂ ସମର୍ଥକ ସରପଞ୍ଚ ଓ ସମତି ସଭ୍ୟମାନେ ବି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି।

ଖାଲି ସୁନନ୍ଦା ନୁହନ୍ତି, ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମେଗା ମିଶ୍ରଣ ପର୍ବରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ବ୍ଲକ ଓ ପଞ୍ଚାୟତ ସ୍ତରର ଶହଶହ ବିଜେଡି ନେତା ଓ କର୍ମୀ। କଟକ ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଧର୍ମେଶ ନାୟକ, ବାସୁଦେବପୁରର ଯୁବ ବିଜେଡି ନେତା ଅସିତ ଦାସ, ଭାପରୁର ଯୁବ ନେତା ବିଭୂତି ପଟନାୟକ, ବାଲିକୁଦା ଏରସମାର ଅକ୍ଷୟ ଲେଙ୍କା ଭଳି ନେତାମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି।

Advertisment

ମିଶ୍ରଣ ପର୍ବ ପରେ ବଡ଼ ବୟାନ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି। ସ୍ଥାନୀୟ ନେତାଙ୍କ ସହିତ ଆଲୋଚନା ପରେ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହେବ।

ଏପଟେ ବିଜେଡି ଛାଡିବା ବେଳେ ପାଣ୍ଡିଆନଙ୍କୁ ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ରଙ୍କ ଆଟାକ ପରେ ନିଜେ ସାମ୍ନାକୁ ଆସିଛନ୍ତି ନବୀନ। ନବୀନ କଣ୍ଟାବାଞ୍ଝି ହାରିବା ପଛରେ ପାଣ୍ଡିଆନ ଦାୟୀ ବୋଲି ଦେବେନ୍ଦ୍ରଙ୍କ ବୟାନ ପରେ କାଉଣ୍ଟର କରିଛନ୍ତି। ‘X’ ରେ ନବୀନ ଲେଖିଛନ୍ତି କିଛି ହୀନ ଓ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଗୁଜବ ଓ ମିଥ୍ୟା ପ୍ରଚାର କରୁଛନ୍ତି। ଏଭଳି ବିଭ୍ରାନ୍ତକାରୀ ବ୍ୟକ୍ତିମାନେ କିଏ ଓଡ଼ିଶାବାସୀ ବୁଝିଲେଣି।

୩ ଅଫିସର, ପାଣ୍ଡିଆନ, କୁଟ୍ଟେ ଏବଂ ଆଶିଷ ସିଂ ଚକ୍ରାନ୍ତ କରି ନବୀନଙ୍କୁ ହରାଇବା ପାଇଁ କଣ୍ଟାବାଞ୍ଝି ପଠାଇଥିଲେ ବୋଲି ଅଭିଯୋଗ କରିଥିଲେ ଦେବେନ୍ଦ୍ର। କଣ୍ଟାବାଞ୍ଝିରେ ବିଜେଡି ୩ ନମ୍ବରରେ ରହୁଥିଲା, ବିଜେପିର ଲକ୍ଷ୍ମଣ ବାଗଙ୍କ ସପକ୍ଷରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଭୋଟ୍ ଥିଲା, ୨୦୧୯ ନିର୍ବାଚନରେ ଲକ୍ଷ୍ମଣ ବାଗ୍ ମାତ୍ର ୧୨୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ। ସେଭଳି ଏକ ରେଡ୍ ଜୋନ୍ କୁ ନବୀନଙ୍କୁ କାହିଁକି ପଠାଗଲା ତାହା ତଦନ୍ତ ସାପେକ୍ଷ ବୋଲି ଦେବେନ୍ଦ୍ର କହିଥିଲେ।

ବଡ଼ ପ୍ରଶ୍ନ ହେଉଛି, ଦେବେନ୍ଦ୍ରଙ୍କ ଅନ୍ୟ କୌଣସି ଅଭିଯୋଗରେ ନବୀନ ପ୍ରତିକ୍ରିୟା ପ୍ରକାଶ ନକରି କେବଳ କଣ୍ଟାବାଞ୍ଝି କଥାରେ କାହିଁକି ରିଆକ୍ଟ କଲେ? ପୁଣି ପାଣ୍ଡିଆନଙ୍କ ଉପରେ ଆଙ୍ଗୁଳି ଉଠିଲା ବୋଲି ସାମ୍ନାକୁ ଆସିଲେ କି? କାହିଁକି ନିଜେ ପାଣ୍ଡିଆନ ମୁହଁ ନଖୋଲି, ନବୀନ ଦେଲେ ସ୍ପଷ୍ଟୀକରଣ? ଏପଟେ ଦେବେନ୍ଦ୍ରଙ୍କ ଉପରେ ପାଲଟା ଅଭିଯୋଗ ଆଣି ବରୀ ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ କହିଛନ୍ତି କଣ୍ଟାବାଞ୍ଝି ଦାୟିତ୍ୱରେ ରହି ଟଙ୍କା ହେରଫେର କରିଥିଲେ ଦେବେନ୍ଦ୍ର। 

ଏସବୁ ଭିତରେ ସୁନନ୍ଦା ବିଜେପିରେ ମିଶିବା ପରେ ଯାଜପୁର ବିଜେଡି ଗଣିତ ପୁରା ବିଗିଡି ପାରେ ବୋଲି ଚର୍ଚ୍ଚା ହେଉଛି। କାହିଁକି ନା ନିର୍ବାଚନରେ ବିଜେଡିର ସବୁ ବଡ ଚେହେରା ଚିତପଟାଙ୍ଗ ମାରିଥିବା ବେଳେ ନଗଦ ନଗଦ ବିଜେଡିର ହାତ ଛାଡିଛନ୍ତି ବରିଷ୍ଠ ନେତା ଅମର ଶତପଥୀ।

BJD BJP Congress Odisha Politics
Advertisment
Advertisment