ବିଜେଡି ପ୍ରତିଷ୍ଠା ଦିବସକୁ ବି ଛାଡିଲେନି । ଶଙ୍ଖଭବନ ଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ଯାଏଁ । ସବୁଠି ଜଳ ଜଳ ଦିଶିଲା ଗୋଷ୍ଠୀ କନ୍ଦଳର ଚିତ୍ର । ମୁଖିଆ ଏକ ହେବାକୁ ବାର୍ତ୍ତା ଦେଉଛନ୍ତି । ମାତ୍ର ନେତା, କେହି କାହାକୁ ଯେମିତି ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି । ହେଲେ ଦଳ କିନ୍ତୁ ପ୍ରତିଷ୍ଠା ଦିବସରେ କନ୍ଦଳ ଚର୍ଚ୍ଚାକୁ ଖଣ୍ଡନ କରି, ସମସ୍ତଙ୍କୁ ନେଇ ବିଜେଡି ଆଗକୁ ବଢିବ ବୋଲି କହିଛି ।
Also Read
ପ୍ରତିଷ୍ଠା ଦିବସରେ ବି ପଦାରେ ପଡିଲା ବିଜେଡି ଗୋଷ୍ଠୀ କନ୍ଦଳ । ମୁଖିଆଙ୍କ ଆଗରେ ଗୋହି ଖୋଳିଲେ ବରିଷ୍ଠ ନେତା । ତା ପୁଣି ଶଙ୍ଖ ଭବନରେ। ନେତା,କର୍ମୀ, ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ । ପୂର୍ବତନ ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ, କିଛି କୁଚକ୍ରୀ ଗୋଷ୍ଠୀ କାଳେ ବିଜେଡିକୁ ଫମ୍ପା କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ନବୀନ ଶଙ୍ଖ ଭବନ ସଭାମଞ୍ଚରେ ବସିଥିବାବେଳେ ତାଙ୍କ ଆଗରେ ଏଭଳି ଗୁମର ଖୋଲିଛନ୍ତି ଅଶୋକ । ସେପଟେ କୋଣଠେସା ହୋଇଥିବା ବିଜେଡିର ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପରକାର ଏକାଠି ହୋଇ ଶଙ୍ଖ ଭବନ ଆସି କହିଛନ୍ତି ଆମେ ଏକ ଅଛୁ । ଅର୍ଥାତ ବିଦ୍ରୋହର ନିଆଁ ଏବେ ବି କୁହୁଳୁଛି । ଦଳ କିନ୍ତୁ କହିଛି ସମସ୍ତଙ୍କୁ ନେଇ ଦଳ ଆଗକୁ ବଢିବ ।
ଅଧିକ ପଢ଼ନ୍ତୁ: ପ୍ରତିଷ୍ଠା ଦିବସରେ ବିଜେଡି ନେତ୍ରୀ ହାତାହାତି, ଶଙ୍ଖ ଭବନରେ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ
ଶଙ୍ଖ ଭବନର ଏ ଦଳୀୟ କନ୍ଦଳ ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ବି ପ୍ରତିଫଳିତ ହୋଇଛି । ସିମୁଳିଆରେ ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଗତଥର ଦଳରୁ ଏମଏଲଏ ଟିକେଟ୍ ପାଇଥିବା ସୁଭାଷିନୀ ସାହୁଙ୍କ ସ୍ବାମୀ ତଥା ବିଜେଡି ନେତା ଶଶୀ ସାହୁ ନିଜ ସମର୍ଥକଙ୍କୁ ନେଇ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ଶଶୀଙ୍କ କାର୍ଯ୍ୟକ୍ରମ ବ୍ୟାନରରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଫଟୋ ନଥିଲା। କିନ୍ତୁ ଜ୍ୟୋତିଙ୍କ ପିତା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ଫଟୋ ରହିଥିଲା । ସେପଟେ ଜ୍ୟୋତି ଆୟୋଜନ କରିଥିବା ସମାନ୍ତରାଳ ଉତ୍ସବରେ ଶଶୀ କିମ୍ବା ତାଙ୍କ ପତ୍ନୀ ସୁଭାଷିନୀଙ୍କୁ ଦେଖିବାକୁ ମିଳିନଥିଲା ।
ଆଉ ଜଟଣୀର ଉତ୍ତରାୟଣୀ କ୍ଲବରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅନେକ ଆଗଧାଡିର ନେତାଙ୍କୁ ଦେଖିବାକୁ ମିଳିନଥିଲା । ବ୍ଲକ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଉପସଭାପତି, ଅନେକ ସରପଞ୍ଚ ଓ ସମିତି ସଭ୍ୟ ଦେଖିବାକୁ ମିଳିନଥିଲା । ଚର୍ଚ୍ଚା ହେଉଛି ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି। କିନ୍ତୁ ଜିଲ୍ଲା ସଭାପତି ବର୍ଷାକୁ ଆଳ କରିଛନ୍ତି । ୨୪ ବିପର୍ଯ୍ୟୟ ପରେ ପ୍ରଥମଥର ପାଇଁ ବିରୋଧୀ ଦଳ ଭାବେ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜେଡି। କିନ୍ତୁ ଏଠି ବି ଗୋଷ୍ଠୀ କନ୍ଦଳ ଫୁଟି ବାହାରିଥଇବାରୁ ସୁପ୍ରିମୋ ଆଗକୁ ଏ ଚ୍ୟାଲେଞ୍ଜକୁ କେମିତି ମ୍ୟାନେଜ କରୁଛନ୍ତି ତା ଉପରେ ନଜର।
ଅଧିକ ପଢ଼ନ୍ତୁ: ‘ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି’
- Reported by:
- JAGDISH DAS , Niranjan Behera