/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757756754.jpg)
BJD Faces Exodus
ଗୁରୁବାର ଚରମବାଣୀ ଶୁଣାଇଥିଲେ, ଶୁକ୍ରବାର ଠୋସ୍ ନିଷ୍ପତ୍ତି ନେଇଗଲେ । ବିଜେଡିକୁ ବାଏ ବାଏ କହିଲେ ଆଉ ଜଣେ ପୁରୁଖା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଜେଡି କହୁଛି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛୁ ।ହେଲେ ପ୍ରଫୁଲ୍ଲ କହୁଛନ୍ତି ମୁଁ ଆଗେ ଇସ୍ତଫା ଦେଇଛି । ତେଣେ ପ୍ରଫୁଲ୍ଲଙ୍କର ଏ ଇସ୍ତଫା ଓ ନିଲମ୍ବନର ଗୋଲକ ଧନ୍ଦା ଭିତରେ ବିଜେଡିରେ କିନ୍ତୁ ହୋଇଛି ବଡ଼ ହଲଚଲ୍
ଗୁରୁବାର ପ୍ରଫୁଲ୍ଲ ସାଂଘାତିକ ଅଭିଯୋଗ ଆଣି କହିଥିଲେ, ବିଜେଡି ଠିକରେ ଚାଲୁନି। ଯଦି ଏଭଳି ସ୍ଥିତି ନ ବଦଳେ ଦଳଠୁ ଦୂରେଇ ଯିବେ। ଏମିତିକି ପୂର୍ବରୁ ବି ସେ ଦଳର ତ୍ରୁଟିପୂର୍ଣ୍ଣ ପରିଚାଳନାକୁ ନେଇ ନବୀନ ଓ ପାଣ୍ଡିଆନଙ୍କୁ ବି ଟାର୍ଗେଟ୍ କରିଥିଲେ। ଦଳର ବିପର୍ଯ୍ୟୟ ସମୀକ୍ଷା ବଦଳରେ ପାଣ୍ଡିଆନ୍ କୋଟେରୀ ଗ୍ରୁପ୍ କୁ ପୁଣି ଦାୟିତ୍ବ ମିଳିଥିବାରୁ ଅସନ୍ତୋଷ ଝାଡ଼ିଥିଲେ। ହେଲେ ସେଥିରେ କୌଣସି ପରିବର୍ତ୍ତନ ନଆସିବାରୁ ଗୁରୁବାର ଦଳ ଛାଡ଼ିବାକୁ ଚରମବାଣୀ ଶୁଣାଇଥିଲେ, ଯାହାର କିଛି ଘଣ୍ଟା ପରେ ଶୁକ୍ରବାର ଇସ୍ତଫା ଦେଲେ। ଏଣେ ବିଜେଡି କହୁଛି- ଦଳରେ ଏବେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି। ପ୍ରଫୁଲ୍ଲ ଜଣେ ସୁବିଧାବାଦୀ ନେତା। ଦଳ ତାଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛି।...
ଏପଟେ ପ୍ରଫୁଲ୍ଲଙ୍କ ବିରୋଧରେ ବିଜେଡିର କାର୍ଯ୍ୟାନୁଷ୍ଠାନକୁ ନେଇ ଦଳୀୟ ମହଲରେ ବି ଜୋରଦାର ଚର୍ଚ୍ଚା। ଯେଉଁ ପୁରୁଖା ନେତା ପାର୍ଟିର ପରିଚାଳନାଗତ ତ୍ରୁଟି ଉପରେ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କ ବିରୋଧରେ ଆକ୍ସନ ହେଉଥିବା କୁହାଯାଉଛି। ତେବେ ପ୍ରଫୁଲ୍ଲଙ୍କ ଭଳି ଯେଉଁ ଅନ୍ୟସବୁ ନେତା ଯେମିତିକି ଦେବାଶିଷ ସାମନ୍ତରାୟ, ରାଜା ସ୍ୱାଇଁ, ବଦ୍ରି ପାତ୍ର, ଅଶୋକ ପଣ୍ଡା, ଭୂପିନ୍ଦର ସିଂ ଓ ଅରୁଣ ସାହୁ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ବିଜେଡିରେ ପାଣ୍ଡିଆନ୍ ରାଜକୁ ବିରୋଧ କରିଛନ୍ତି, ସେମାନଙ୍କ ବିରୋଧରେ ବି ଆକ୍ସନ ହେବ କି ବୋଲି ପ୍ରଶ୍ନ ଉଠିଛି।
ଯେହେତୁ ସେମାନଙ୍କୁ ଦଳପତି ଡାକି ଆଲୋଚନା କରୁନାହାନ୍ତି, ତେଣୁ ଆକ୍ସନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେଣେ ରାଜନୀତି ସମୀକ୍ଷକଙ୍କ ମତ- ବିଜେଡି ସରକାରରୁ ଯିବା ପରେ ତାଙ୍କ ଦଳର ନେତା ଆଉ ମୁହଁରେ ତୁଣ୍ଡି ବାନ୍ଧି ବସିପାରୁ ନାହାନ୍ତି। ଅସନ୍ତୁଷ୍ଟଙ୍କୁ ବୁଝାସୁଝା ବଦଳରେ ଆକ୍ସନ- ବିଜେଡ଼ି ପାଇଁ ବୁମେରାଂ ହୋଇପାରେ।...
ତେବେ ବିଜେଡିରେ କେବଳ ବରିଷ୍ଠ ନୁହଁନ୍ତି ଛାତ୍ର- ଯୁବ ଓ ମହିଳାଙ୍କ ଭଳି ସବୁ ଛାମୁଆ ସଂଗଠନରେ ତୀବ୍ର ହେଲାଣି ଅସନ୍ତୋଷ। ଦଳରେ ପଡୁଥିବା ଗୋଟିଏ ପରେ ଗୋଟିଏ ବଡ଼ ଘଳିଆକୁ ମୁଖିଆ ନବୀନ କେମିତି ମ୍ୟାନେଜ କରୁଛନ୍ତି ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)