Advertisment

India’s Hong Kong: ଭାରତରେ ନିର୍ମାଣ ହେବ ହଂକଂ ଭଳି ସହର, ତଥାପି କେନ୍ଦ୍ର ସରକାରଙ୍କ ଗ୍ରେଟ୍ ନିକୋବର ପ୍ରକଳ୍ପକୁ ବିରୋଧ

ଚୀନର ପିପୁଲ୍ସ ଲିବରେସନ ଆର୍ମି ଏବଂ ନୌସେନା ଏହି ସମଗ୍ର ଅଞ୍ଚଳରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଭାରତକୁ ଆସୁଥିବା ପ୍ରତ୍ୟେକ ସାମୁଦ୍ରିକ ଚେକ ପଏଣ୍ଟରେ ଚୀନ ନିଜର ନୌସେନାଙ୍କ ଉପସ୍ଥିତି ବୃଦ୍ଧି କରିଛି । ମଲାକା ପ୍ରଣାଳୀ, ସୁଣ୍ଡା ଏବଂ ଲାମ୍ବକବେ ଅଞ୍ଚଳରେ ଭାରି ସଂଖ୍ୟାରେ ଚୀନop ସେନା ମୁତୟନ ଅଛନ୍ତି ।

author-image
Pragyan Paramita Behera
nicobar

nicobar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗ୍ରେଟ୍ ନିକୋବର ଦ୍ୱୀପକୁ ଦେଶର ସାମରିକ ଓ ଅର୍ଥନୈତିକ ଗଡ଼ ବନାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ୭୫,୦୦୦ କୋଟି ଟଙ୍କାର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଜରିଆରେ ନିକୋବର ଦ୍ୱୀପପୁଞ୍ଜକୁ ବିଶ୍ୱ ବାଣିଜ୍ୟ, ପରିବହନ ଏବଂ ପର୍ଯ୍ୟଟନର କେନ୍ଦ୍ର ଭାବରେ ବିକଶିତ କରାଯିବ, ଯାହା ଭାରତର ପୂର୍ବ ନୀତି ଅନୁଯାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦେଶର ସ୍ଥିତିକୁ ସୁଦୃଢ଼ କରିବ। କେନ୍ଦ୍ର ସରକାର ପାଞ୍ଚ ବର୍ଷ ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଭାରତର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ଏଠାରେ ବିମାନବନ୍ଦର, ସେନା ପାଇଁ ସଂରକ୍ଷଣ ଏବଂ ବାସସ୍ଥାନ ନିର୍ମାଣ କରାଯାଇଛି । ଗ୍ରେଟ୍ ନିକୋବର ଦ୍ୱୀପରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ଏକ ନୂତନ ଅନ୍ତର୍ଜାତୀୟ ବନ୍ଦର, ଏକ ନୂତନ ବିମାନବନ୍ଦର, ଏକ ଟାଉନସିପ୍, ଏକ ଗ୍ୟାସ୍ ଏବଂ ସୌର-ଆଧାରିତ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ ଆଦିର ଯୋଜନା ସାମିଲ ରହିଛି । ତେବେ ଏହି ପ୍ରକଳ୍ପକୁ ବିରୋଧ କରୁଛି କଂଗ୍ରେସ, ଯାହା ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା ପୁରୁଣା ମାନସିକତାକୁ ଦର୍ଶାଉଛି । 

Advertisment

ପ୍ରକଳ୍ପକୁ ନେଇ ସୋନିଆଙ୍କ ପ୍ରଶ୍ନ

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଗ୍ରେଟ୍ ନିକୋବର ପ୍ରକଳ୍ପକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗତ କିଛି ଦିନ ପୂର୍ବେ ପ୍ରକାଶିତ ଏକ ଖବର ଅନୁସାରେ ସୋନିଆ ଗାନ୍ଧୀ ଏହାକୁ ଯୋଜନାବଦ୍ଧ ଦୁଃସାହସ ବୋଲି କହିବା ସହ ନିନ୍ଦା କରିଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ଆଦିବାସୀଙ୍କ ଅଧିକାର ଉଲ୍ଲଂଘନ ହେଉଛି ଓ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ, ଆଇନଗତ ଏବଂ ପରିବେଶଗତ ସୁରକ୍ଷାକୁ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଦ୍ୱୀପରେ ରହୁଥିବା ଲୋକମାନେ ପ୍ରକଳ୍ପ ଯୋଗୁଁ ସେମାନଙ୍କର ପୈତୃକ ଗ୍ରାମରୁ ସ୍ଥାୟୀ ଭାବରେ ବିସ୍ଥାପିତ ହେବେ । ଅନ୍ୟପକ୍ଷରେ ଏଥିପାଇଁ ୮୫୦,୦୦୦ ଗଛ କଟାହେବ ବୋଲି ସେ ଅଭିଯୋଗ କରିଛନ୍ତି । 

ଗ୍ରେଟ୍ ନିକୋବରର କାହାଣୀ: ହଂକଂ ପରି ଏକ ସହର

୨୬ ଡିସେମ୍ବର ୨୦୦୪ରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ରିକ୍ଟର ସ୍କେଲରେ ୯.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଏହି ସ୍ଥାନରୁ ଇତିହାସର ସବୁଠାରୁ ବିନାଶକାରୀ ସୁନାମି ଆରମ୍ଭ ହୋଇଥିଲା । ୨୦ ବର୍ଷ ପୂର୍ବେ ଏହି ସୁନାମି ୧୨ଟି ଉପକୂଳବର୍ତ୍ତୀ ଦେଶକୁ ଗ୍ରାସ କରିଥିଲା, ଯେଉଁଥିରେ ଅତି କମରେ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ କେନ୍ଦ୍ର ସରକାର ଏହିଦ୍ୱୀପରେ ଗ୍ରେଟ୍ ନିକୋବର ପ୍ରକଳ୍ପ ନିର୍ମାଣ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଞ୍ଚଳରେ ହଂକଂ ଭଳି ଏକ ସହର ନିର୍ମାଣ କରାଯିବ ବୋଲି କୁହାଯାଉଛି ।

Advertisment

ଗ୍ରେଟ ନିକୋବର ପକଳ୍ପ କ’ଣ ?

ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଏକ ବୃହତ୍ ଭିତ୍ତିଭୂମି ଏବଂ ବିକାଶ ଯୋଜନା ହେଉଛି ଗ୍ରେଟ୍ ନିକୋବର ପ୍ରକଳ୍ପ । ଗ୍ରେଟ୍ ନିକୋବର ଦ୍ୱୀପରେ ବନ୍ଦର, ବିମାନବନ୍ଦର, ବିଦ୍ୟୁତ୍ ଏବଂ ଟାଉନସିପ୍ ସୁବିଧା ନିର୍ମାଣ କରିବା ପାଇଁ କୋଟି କୋଟି ଡଲାର ମୂଲ୍ୟର ଏକ ରଣନୈତିକ ଏବଂ ଭିତ୍ତିଭୂମି ଯୋଜନା କରାଯାଇଛି, ଯାହା ଭାରତର ସାମୁଦ୍ରିକ ସୁରକ୍ଷା ଏବଂ ବାଣିଜ୍ୟକୁ ବୃଦ୍ଧି କରିବ। ଏହି ପ୍ରକଳ୍ପକୁ ୨୦୨୨ ମସିହାରେ ପରିବେଶଗତ ମଞ୍ଜୁରୀ ମିଳିଥିଲା। ନୀତି ଆୟୋଗ ନେତୃତ୍ୱାଧୀନ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସମନ୍ୱିତ ବିକାଶ ନିଗମ (ANIIDCO) ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପର ଲକ୍ଷ୍ୟ ଗ୍ରେଟ୍ ନିକୋବରକୁ ରଣନୈତିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା । 

ପ୍ରକଳ୍ପର ପ୍ରମୁଖ ଉପାଦାନ
 

ଆନ୍ତର୍ଜାତୀୟ କଣ୍ଟେନର ଟ୍ରାନ୍ସସିପମେଣ୍ଟ ଟର୍ମିନାଲ ((ICTT): ଗାଲାଥିଆବେ ସ୍ଥିତ ଏହି ଟର୍ମିନାଲ ଭାରତକୁ ୧୬ ନିୟୁତ TEUs କ୍ଷମତା ସହିତ ଏକ ପ୍ରମୁଖ ଟ୍ରାନ୍ସସିପମେଣ୍ଟ ହବ୍ କରିବ। ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନବନ୍ଦର: ୨୦୫୦ ସୁଦ୍ଧା ପ୍ରତି ଘଣ୍ଟାରେ ୪,୦୦୦ ଯାତ୍ରୀ କ୍ଷମତା ସହିତ ଏହି ବିମାନବନ୍ଦର ନିକୋବରକୁ ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହିତ ସଂଯୋଗ କରିବ। ଆଧୁନିକ ଟାଉନସିପ: ୩ରୁ ୪ ଲକ୍ଷ ଲୋକଙ୍କ ପାଇଁ ଆବାସିକ, ବାଣିଜ୍ୟିକ ଏବଂ ସଂସ୍ଥାଗତ ବିକାଶ ପାଇଁ ବିସ୍ତୃତ ଯୋଜନା ହୋଇଛି । ୪୫୦ MVA ଗ୍ୟାସ ଏବଂ ସୌର ଆଧାରିତ ପାୱାର ପ୍ଲାଣ୍ଟ: ସ୍ୱଚ୍ଛ ଶକ୍ତି ପ୍ରଦାନ କରିବା ପାଇଁ ପ୍ଲାଣ୍ଟ ନିର୍ମାଣ କରାଯିବ । 

କେବେ ଆରମ୍ଭ ହୋଇଥିଲା ଗ୍ରେଟ୍ ନିକୋବର ପ୍ରକଳ୍ପ ?

୨୦୨୧ ମସିହାରେ ନରେନ୍ଦ୍ର ମୋଦି ସରକାର ଗ୍ରେଟ୍ ନିକୋବର ଦ୍ୱୀପପୁଞ୍ଜ ପ୍ରକଳ୍ପର ଆରମ୍ଭ କରିଥିଲେ। ଏହି ମେଗା ପ୍ରକଳ୍ପ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ନିର୍ମାଣ କରାଯିବାକୁ ଯୋଜନା ହୋଇଛି । ଏଥିରେ ମାଲବାହୀ ଜାହାଜ ପାଇଁ ଏକ ବନ୍ଦର ସ୍ଥାପନ, ଏକ ଅନ୍ତର୍ଜାତୀୟ ବିମାନବନ୍ଦର, ସ୍ମାର୍ଟ ସିଟି ଏବଂ ଏକ ୪୫୦ ମେଗାୱାଟ୍ ଗ୍ୟାସ୍ ଏବଂ ସୌରଶକ୍ତି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ନୀତି ଆୟୋଗର ଏକ ରିପୋର୍ଟ ଆଧାରରେ ନିର୍ମାଣ କରାଯାଉଛି, ଯାହା ଗ୍ରେଟ୍ ନିକୋବର ଦ୍ୱୀପର ଗୁରୁତ୍ୱକୁ ବିଚାର କରି ରୂପରେଖା ଦିଆଯାଇଛି । ଯେଉଁ ଅଞ୍ଚଳରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି, ତାହା ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ, ମାଲେସିଆର ପୋର୍ଟ କ୍ଲାଙ୍ଗ ଏବଂ ସିଙ୍ଗାପୁରଠାରୁ ସମାନ ଦୂରତାରେ ଅବସ୍ଥିତ ବୋଲି କୁହାଯାଉଛି । 

୮୩୬ ଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ ଆଣ୍ଡାମାନ-ନିକୋବର

ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ୮୩୬ ଟି ଛୋଟ ଏବଂ ବଡ ଦ୍ୱୀପପୁଞ୍ଜରେ ଗଠିତ। ଏହା ଦୁଇଟି ଭାଗରେ ବିଭକ୍ତ। ଉତ୍ତରରେ ଆଣ୍ଡାମାନ ଏବଂ ଦକ୍ଷିଣରେ ନିକୋବର ଦ୍ୱୀପପୁଞ୍ଜ। ଗ୍ରେଟ୍ ନିକୋବରରେ ଦୁଇଟି ଜାତୀୟ ଉଦ୍ୟାନ ଏବଂ ଏକ ଜୈବମଣ୍ଡଳ ସଂରକ୍ଷଣ ଅଛି। ଏଠାରେ ଶୋମ୍ପେନ୍, ଓଙ୍ଗେ, ଆଣ୍ଡାମାନୀ ଏବଂ ନିକୋବାରୀ ଜନଜାତି ବାସ କରନ୍ତି। ଏହା ବ୍ୟତୀତ କିଛି ଅଣ-ଆଦିବାସୀ ଜନସଂଖ୍ୟା ମଧ୍ୟ ଏଠାରେ ବାସ କରନ୍ତି। ବର୍ତ୍ତମାନ ଏହି ଦ୍ୱୀପରେ ଆଠ ହଜାର ଲୋକ ରହୁଛନ୍ତି । 

ସାମରିକ ଦିଗରୁ କେତେ ଗୁରୁତ୍ୱ ରଖେ ଗ୍ରେଟ ନିକୋବର ?

ଗ୍ରେଟ୍ ନିକୋବର ପ୍ରକଳ୍ପ ମାଧ୍ୟମରେ ଭାରତ ଏହି ଅଞ୍ଚଳରେ ଅତିରିକ୍ତ ସାମରିକ ବାହିନୀ ସହିତ ଯୁଦ୍ଧଜାହାଜ, ଯୁଦ୍ଧବିମାନ ଏବଂ କ୍ଷେପଣାସ୍ତ୍ର ନିୟୋଜିତ କରିପାରିବ। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଭାରତ ଏହି ଅଞ୍ଚଳରୁ ସମଗ୍ର ଭାରତ ମହାସାଗର ଉପରେ ନଜର ରଖିପାରିବ। ଏହି ଦ୍ୱୀପ ମଲାକା ପ୍ରଣାଳୀର ଅତି ନିକଟରେ ଅବସ୍ଥିତ। ଏହି ଉପସାଗରରୁ ଜାହାଜଗୁଡ଼ିକ ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯିବାଆସିବା କରିପାରିବେ । ପୂର୍ବରୁ ଏଠାରେ ଚୀନ ନିଜର ଉପସ୍ଥିତି ଜାହିର କରିସାରିଛି । ତେଣୁ ସେ ଏହି କ୍ଷେତ୍ରରେ ପ୍ରକଳ୍ପ ଶେଷ ହେବାପରେ ଭାରତ ଏହାର ପାରମ୍ପରିକ ଶତ୍ରୁ ଚୀନର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିପାରିବ। 

ପୂରା ଅଞ୍ଚଳରେ ଚୀନର ଦାଦାଗିରି

ଭାରତ ପାଇଁ ବଙ୍ଗୋପସାଗର ଓ ଭାରତ ସାଗର ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ହେଲେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଏବଂ ନୌସେନା ଏହି ସମଗ୍ର ଅଞ୍ଚଳରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଭାରତକୁ ଆସୁଥିବା ପ୍ରତ୍ୟେକ ସାମୁଦ୍ରିକ ଚେକ ପଏଣ୍ଟରେ ଚୀନ ନିଜର ନୌସେନାଙ୍କ ଉପସ୍ଥିତି ବୃଦ୍ଧି କରିଛି । ମଲାକା ପ୍ରଣାଳୀ, ସୁଣ୍ଡା ଏବଂ ଲାମ୍ବକବେ ଅଞ୍ଚଳରେ ଭାରି ସଂଖ୍ୟାରେ ଚୀନୀ ସେନା ମୁତୟନ ଅଛନ୍ତି । ଏହା ବ୍ୟତୀତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ମାତ୍ର ୫୫ କିଲୋମିଟର ଦୂରରେ ଥିବା ମିଆଁମାରର କୋକୋ ଦ୍ୱୀପରେ ଏକ ସାମରିକ ପ୍ରତିଷ୍ଠାନ ନିର୍ମାଣ କରିଛି ଚୀନ ।

ଗ୍ରେଟ୍ ନିକୋବର ପ୍ରକଳ୍ପ ଯୋଗୁଁ ପରିବେଶ ନଷ୍ଟ ଅଭିଯୋଗ

ଏହି ପ୍ରକଳ୍ପ ନିର୍ମାଣ ଯୋଗୁଁ ପ୍ରାୟ ୧୦ ଲକ୍ଷ ଗଛ କଟାଯିବ ବୋଲି କଂଗ୍ରେସ ଓ ପରିବେଶବିତ ମାନେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଏଠାରେ ବାସ କରୁଥିବା ବିଲୁପ୍ତପ୍ରାୟ ଶୋମ୍ପେନ୍ ଏବଂ ନିକୋବାରି ଜନଜାତି ବିପଦର ସମ୍ମୁଖୀନ ହୋଇପାରନ୍ତି । ଶୋମ୍ପେନ୍ ଜନଜାତି ଏବେ ବି ଶିକାର କରି ଜୀବିକା ନିର୍ବାହ କରନ୍ତି। ସେମାନେ ଆଧୁନିକ ଦୁନିଆଠାରୁ ବହୁତ ଦୂରରେ ରହି ଜୀବନ ବିତାଉଛନ୍ତି । ଏପରି ସ୍ଥଳେ ନୂତନ ପ୍ରକଳ୍ପ ଏପରି ଜନଜାତିଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

ଏହି ପ୍ରକଳ୍ପକୁ ଜଙ୍ଗଲ ଅଧିକାର ଆଇନ ୨୦୦୬ର ଖୋଲାଖୋଲି ଉଲ୍ଲଂଘନ କରୁଥିବା କୁହାଯାଉଛି । କାରଣ ଆଇନ ଅନୁସାରେ ଶୋମ୍ପେନ୍ ଜନଜାତି ଏଠାକାର ଜଙ୍ଗଲର ପ୍ରକୃତ ମାଲିକ। ଏହି ଜନଜାତିର ଜନସଂଖ୍ୟା ମାତ୍ର ୩୦୦। ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଦ୍ୱୀପର ପରିବେଶକୁ ବହୁତ କ୍ଷତି ପହଞ୍ଚିପାରେ । ଦ୍ୱୀପର ପ୍ରାକୃତିକ ସୌନ୍ଦର୍ଯ୍ୟ ଭାବରେ ପରିଚିତ ପ୍ରବାଳଗୁଡ଼ିକ ନଷ୍ଟ ହୋଇପାରେ। ଏଠାରେ ବାସ କରୁଥିବା ବିଶେଷ ନିକୋବର ମେଗାପୋଡ୍ ପକ୍ଷୀ ଏବଂ ଚମଡା କଇଁଛଙ୍କ ବିଲୁପ୍ତ ହେବାର ସମ୍ଭାବନା ରହିଛି । ଏହି ପ୍ରକଳ୍ପ ନିର୍ମାଣ ଭୂମିକମ୍ପର ସମ୍ଭାବନାକୁ ବୃଦ୍ଧି କରିପାରେ।

ଅଧିକ ପଢ଼ନ୍ତୁ: ମାତ୍ର ୪ ସେକେଣ୍ଡରେ ପାକିସ୍ତାନକୁ ଧୋଇ ଦେଲେ ମାନବାଧିକାର ଓକିଲ, ଲାଜରେ ମୁହଁ ନାଲି ପଡିଗଲା

Projects Andaman And Nicobar Hong Kong
Advertisment
Related Articles
Advertisment