• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ଘମାସାନ ହେଉଛି ଲଢ଼େଇ । ଗୋଟିଏ ପଟେ ବିଜେପିର ବିରାଟ ସମାବେଶ, ଆଉ ଅନ୍ୟପଟେ ବିଜେଡି ଯୁବ ଛାତ୍ର ସଂଗଠନକୁ ନେଇ ଚାଲିଛି ମିଟିଂ । ଦଳୀୟ କର୍ମୀଙ୍କ କବଳରେ ରାଜଧାନୀ ରାଜରାସ୍ତା । ଯୁଆଡ଼େ ଦେଖିବ ଖାଲି ଭିଡ଼ ଆଉ ଭିଡ଼ । ଯୁଆଡ଼େ ଦେଖିବ ଖାଲି ନେତା ମାଳ ମାଳ । ଆଉ ରାସ୍ତାକଡ଼ରେ ଛିଡ଼ା ହୋଇଛି ହଜାର ହଜାର ଗାଡ଼ି ।

ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି କ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ବିଜେଡିକୁ ସିଧା ସଳଖ ଟାର୍ଗେଟ୍‌ କରି କହିଛନ୍ତି, ‘ବିଜେପିକୁ ଡରୁଛି ବିଜେଡି । ନହେଲେ ଏମିତି ଜିଦିବାଦରେ କରିନଥାନ୍ତା ମିଟିଂ । ବିଜେପି ବହୁ ଆଗରୁ ଏହି ସମାବେଶ କରିବ ବୋଲିସ ସ୍ଥିର କରିସାରିଥିବା ବେଳେ ଏହାକୁ କାଉଣ୍ଟର କରି ବିଜେଡି ପକ୍ଷରୁ ଆୟୋଜନ ହୋଇଛି ମିଟିଂ ।’

ଖାଲି ସେତିକି ନୁହେଁ, ‘ବିଜେପିର କାର୍ଯ୍ୟକ୍ରମକୁ ଡରୁଛି କି ବିଜେଡି ? ନଡ୍ଡାଙ୍କ ସଭା ଦିନ ହିଁ କାହିଁକି ବିଜେଡିର ସମ୍ମିଳନୀ ? ବିଜେପିକୁ ଏତେ ଭୟ କାହିଁକି ?’ ବିଜେଡିର ସମ୍ମିଳନୀକୁ ନେଇ ଏଭଳି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ତ ବେଙ୍ଗାଲୁରୁରେ ଅଛନ୍ତି କିନ୍ତୁ ଏଠି ବିଜେଡିର କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେନି, ଭିଡିଓ କନଫରେନସିଂରେ ଦେଖିବେ । ଏଭଳି ସ୍ଥିତିରେ କାହିଁକି ବିଜେଡି କାର୍ଯ୍ୟକ୍ରମ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ।

ଜନତା ମଇଦାନରେ ହେଉଥିବା ବିଜେପିର ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୮ ମଣ୍ଡଳରୁ କର୍ମୀ ଆସିଛନ୍ତି । ସେମାନଙ୍କୁ ରାସ୍ତାରେ ଅଟକାଇବାକୁ ପୋଲିସ୍ ପ୍ରଶାସନ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା । ହେଲେ ଏଥିରେ ସଫଳ ହୋଇପାରିଲା ନାହିଁ ବୋଲି ଦୋହରାଇଛନ୍ତି ଅପରାଜିତା । ତେବେ ଭୁବନେଶ୍ୱର ସାଂସଦଙ୍କ ଏଭଳି ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେପି ସରକାରର ସଫଳତା ଉପରେ ଭାଷଣ ଦେଇ କହିଛନ୍ତି ଦିନ ଥିଲା ଭାରତ ନିଜର ସମସ୍ୟା ପାଇଁ ଅନ୍ୟ ଦେଶର ସହାୟତା ନେଉଥିଲା । ହେଲେ ଆଜି ଭାରତ ଅନ୍ୟଦେଶକୁ ସହାୟତାର ହାତ ବଢାଇବା ସ୍ଥିତିରେ ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଜି ଏପରି ସଫଳତା ଆଣି ଦେଇଛି । ଆମ ୪ ପିଢ଼ିର ତପସ୍ୟା, ନେତୃତ୍ୱର ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାଙ୍କର ପରିଶ୍ରମ ଯୋଗୁ ଆଜି ବିଜେପି ଏକ ବିଶ୍ୱସ୍ତରୀୟ ଦଳ ହୋଇପାରିଛି । ଆମେ ଦେଶପ୍ରେମୀ । ଦେଶ ପାଇଁ କାମ କରୁଛୁ । ଆମ ଦଳ ତୃତୀୟ ବା ୨ୟ ମହଲାରେ କାମ କରେନି । ଗ୍ରାଉଣ୍ଡ ଫ୍ଲୋରରେ କାମ କରେ । ଆମ ଦଳ ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।