• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଅଭିଯୋଗ କରିଛନ୍ତି ଯେ, ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ମହାନଗର ଶାନ୍ତି କମିଟି ଓ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ଅଣଦେଖା କରି ପ୍ଲଟ ଆବଣ୍ଟନରୁ ସମ୍ବର୍ଦ୍ଧିତ ପ୍ରତିଭା ଚୟନ ସବୁଥିରେ ଏକଚାଟିଆ ନିଷ୍ପତ୍ତି ନେଇଛି । ବାଲିଯାତ୍ରାରେ କେତେ ଆୟ ଓ ବ୍ୟୟ ହୋଇଛି, ରାଜ୍ୟ ସରକାର ତାର ସ୍ପେଶାଲ ଅଡିଟ୍ କରନ୍ତୁ । ତେଣେ କଟକ ଜିଲ୍ଲାପାଳ ସ୍ପେଶାଲ ଅଡିଟ୍‌କୁ ସ୍ୱାଗତ କରିଥିବାବେଳେ କହିଛନ୍ତି, ସବୁ କିଛି ସ୍ୱଚ୍ଛତାରେ ହୋଇଛି । ରୋଚକ ହେଉଛି, ସ୍ଥାନୀୟ ବିଜେଡି ନେତା ଦେବାଶିଷ ସାମନ୍ତରାୟ ନିଜ ଦଳର ନେତା ପ୍ରଭାତଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇବା ସହ କହିଛନ୍ତି, କିଛି ଭୁଲ୍ ହୋଇନି ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା ଠିକ୍‌ ନୁହେଁ: ପ୍ରଭାତ ତ୍ରିପାଠୀ

ବାଲିଯାତ୍ରା ଆୟୋଜନରେ ହୋଇଛି ବ୍ୟାପକ ଅନିୟମିତତା । ମଞ୍ଚରେ କିଏ ସମ୍ମାନିତ ହେବେ ? ଉତ୍ସବରେ କେଉଁମାନେ ଅତିଥି ହେବେ ? ସାସ୍କୃତିକ କାର୍ଯ୍ୟକ୍ରମରେ କେଉଁ ଦଳ ଭାଗନେବେ ? ଏସବୁ ଥିରେ ହୋଇଛି ଗୁରୁତର ବିଭ୍ରାଟ । ପ୍ଲଟ ଆବଣ୍ଚନରରେ ବି ହୋଇନି ସ୍ୱଚ୍ଛତା । 

କଟକର ଐତିହାସିକ ବାଲିଯାତ୍ରା ସରିବାର ଠିକ୍ ପରଦିନ ମହାନଗର ପୂଜା କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ ସୃଷ୍ଟି କରିଛି ବିସ୍ଫୋରଣ । ପ୍ରଭାତ ସିଧାସଳଖ ଏଥିପାଇଁ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ କହିଛନ୍ତି । ଏଥର ବାଲିଯାତ୍ରା କିଛି ହାତଗଣତି ପ୍ରଶାସନିକ ଅଫିସରଙ୍କ ନିୟନ୍ତ୍ରଣରେ ଥିଲା । ଜିଲ୍ଲା ପ୍ରଶାସନ ସବୁ ନିଷ୍ପତ୍ତି ଏକଚାଟିଆ ଭାବେ ନେଇଛି, ମନଇଛା କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନକୁ ସମ୍ବର୍ଦ୍ଧିତ କରିଛନ୍ତି ।

ତେଣୁ ରାଜ୍ୟ ସରକାର ବାଲିଯାତ୍ରା ଆୟବ୍ୟୟର ସ୍ପେଶାଲ ଅଡିଟ୍ କରନ୍ତୁ । ଦରକାର ପଡ଼ିଲେ ଆରଟିଆଇ ଆକ୍ଟରେ ଯାତ୍ରା ଆୟବ୍ୟୟ ହିସାବ ମଗାଯିବ ବୋଲି ପ୍ରଭାତ କହିବା ସହ ଆସନ୍ତାବର୍ଷଠାରୁ କଟକ ବାଲିଯାତ୍ରାକୁ ବି ରାଜ୍ୟ ସରକାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରନ୍ତୁ ବୋଲି ଦାବି ରଖିଛନ୍ତି । ଆଜି କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟିର ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ଆଲୋଚନା ହୋଇଥିଲା ।

ଦୁର୍ଗାପୂଜା, କାଳୀପୂଜାରେ ଖୋଜା ପଡ଼ିଲା, ହେଲେ ବାଲିଯାତ୍ରାରେ କାହିଁକି ନୁହେଁ ? କଟକ ମହାନଗର ଶାନ୍ତି କମିଟିର ଏ ବଡ଼ ଅଭିଯୋଗ ସହ ଅନିୟମିତତା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, ଏଥର ବାଲିଯାତ୍ରା ବେଶ୍ ଧୁମ୍‌ଧାମ୍‌ରେ ଆୟୋଜନ ହୋଇଛି । ସବୁ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି । ଯଦି କିଏ ଅଡିଟ୍ ଚାହୁଁଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ । ତେବେ ଯେଉଁମାନଙ୍କର କଟକ ସହର ପାଇଁ ଅବଦାନ ଥାଏ, ସେମାନଙ୍କୁ ବାଲିଯାତ୍ରା ଅବସରରେ ସମ୍ମାନିତ କରାଯାଏ ।

ତେବେ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନାକୁ ବି ନାପସନ୍ଦ କରିଛନ୍ତି ପ୍ରଭାତ ତ୍ରିପାଠୀ । ସେ କହିଛନ୍ତି ପଥୋତ୍ସବକୁ ଯେମିତି ରାଜନୀତି କରଣ କରାଗଲା, ତାହା ଆଦୌ ଠିକ୍ ନୁହେଁ । ଏହା ଓଡ଼ିଶାବାସୀଙ୍କ ଅସ୍ମିତା ପ୍ରତି ପଦାଘାତ । ହେଲେ ତାଙ୍କରି ଦଳର ସ୍ଥାନୀୟ ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି, ଏଥିରେ କିଛି ବଡ଼ ଭୁଲ୍ ନାହିଁ । ତାସହ ବାଲିଯାତ୍ରା ଆୟୋଜନରେ ଅନିୟମିତତା ହୋଇଥିବା ବି ସେ ମନେ କରୁନାହାନ୍ତି ।

ପ୍ରଭାତ-ଚୟନି ବିବାଦ ଭିତରେ ଦେବାଶିଷ ଏଣ୍ଟ୍ରି ମାରିବା ସ୍ଥିତିକୁ ଗୋଳମାଳିଆ କରିଥିବା ବେଳେ ଆଗକୁ କଟକ ବିଜେଡି ରାଜନୀତି ଆହୁରି ଜଟିଳ ହେବାର ଇଙ୍ଗିତ ଦେଉଛି ।

(ରିପୋର୍ଟ- କଟକରୁ ଦେବାଶିଷ ମହାନ୍ତି)