• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନାକୁ ନାପସନ୍ଦ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ସେ କହିଛନ୍ତି, ଏହା ଠିକ୍ ନୁହେଁ । ବାଲିଯାତ୍ରା ମଞ୍ଚରେ କୌଣସି ରାଜନୈତିକ ଦଳର ପ୍ରଚାର ହେବା ଅନୁଚିତ । ପଥୋତ୍ସବକୁ ଯେପରି ରାଜନୀତିକରଣ କରାଗଲା, ତାହା ଠିକ୍ ନୁହେଁ । ଏହା ଓଡ଼ିଶାବାସୀଙ୍କ ଅସ୍ମିତା ପ୍ରତି ପଦାଘାତ ବୋଲି କହିଛନ୍ତି ପ୍ରଭାତ । ଏଥିପାଇଁ ପରୋକ୍ଷରେ ସେ ଜିଲ୍ଲାପ୍ରଶାସନ ଓ କିଛି ଅଧିକାରୀଙ୍କୁ ଦାୟୀ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ମଞ୍ଚରେ ଛାତ୍ର ନେତାଙ୍କ ନବୀନ ବନ୍ଦନା ଗାନ, ଜିଲ୍ଲାପାଳ କହିଲେ ମୁଁ ଜାଣିନି !

ଜନ ପ୍ରତିନିଧି କିମ୍ବା ସହରର ଶାନ୍ତି କମିଟି ସହିତ ଆଲୋଚନା ନକରି ଏକଚାଟିଆ ନିଷ୍ପତ୍ତି ନେଉଥିବାରୁ ଏବର୍ଷ କଟକ ବାଲିଯାତ୍ରାରେ ବହୁ ବିଭ୍ରାଟ ହୋଇଥିବା କହିଛନ୍ତି ପ୍ରଭାତ । ପ୍ଲଟ ବଣ୍ଟନଠାରୁ ଆରମ୍ଭ କରି ଏହାର ଦାମ୍ ନିର୍ଧାରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦି କ୍ଷେତ୍ରରେ ବିଭ୍ରାଟ ହୋଇଥିବା ସେ କହିଛନ୍ତି । ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ୍ କରିବାକୁ ସେ ଦାବି କରିଛନ୍ତି । ତା ସହିତ କଟକ ଜିଲ୍ଲା ପ୍ରଶାସନ ନୁହେଁ, ବରଂ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲିଯାତ୍ରା ଆୟୋଜନ ହେଉ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ ।

ସୂଚନାଯୋଗ୍ୟ, ଗତ ବୁଧବାର ସକାଳେ କଟକ ବାଲିଯାତ୍ରାରେ ପଥୋତ୍ସବ ବେଳେ ନବୀନ ବନ୍ଦନା ଗାନ କରିଥିଲେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଅବିନାଶ ମହାନ୍ତି । ଗତ ନିର୍ବାଚନ ବେଳେ ପ୍ରଚାର ପାଇଁ ତିଆରି ହୋଇଥିବା ଗୀତ ସେ ଗାଇଥିଲେ । ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।

ସବୁଠାରୁ ବଡ଼ କଥା ହେଲା, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନବୀନ ବନ୍ଦନା ଗାନ କରାଯାଇଥିଲା । ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଉଠିଥିଲା ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସିର ମିଳିତ ଆୟୋଜନରେ ଚାଲିଥିଲା ବାଲିଯାତ୍ରା । ତେବେ ଏଭଳି ବିଭ୍ରାଟ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜ ପ୍ରତିକ୍ରିୟାରେ କହିଥିଲେ, ‘ଗାୟକର ପର୍ସନାଲ ଚଏସ୍ ସେ କ’ଣ ଗୀତ ଗାଇବେ । ଜଣେ ଗାୟକ କଣ ଗାଇବ, ସେଇଟା ତାଙ୍କର ଚଏସ୍ । ଯାହା ସେ ଗାଇବେ, ଗାୟକର ପର୍ସନାଲ ଚଏସ୍ ବୋଲି କୁହାଯିବ । ଗୀତ ଗାଇଥିବା ବ୍ୟକ୍ତି ରାଜନୈତିକ ଦଳର କର୍ମକର୍ତ୍ତା ବୋଲି ତାଙ୍କ ପାଖରେ ଖବର ନଥିଲା’ । ଏନେଇ ଆଗକୁ ଧ୍ୟାନ ଦିଆଯିବ ବୋଲି ମଧ୍ୟ କହିଥିଲେ ଜିଲ୍ଲାପାଳ ।