/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733125742.jpg)
ପଦ୍ମ ଧରିଲେ ରଘୁପତି
ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି । ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ନେତୃତ୍ବରେ ବିଜେପିରେ ସାମିଲ ହେଲେ ରଘୁପତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପାର୍ଟି ଅଫିସରରେ ସେ ବିଜେପିରେ ସାମିଲ ହୋଇଛନ୍ତି । ରଘୁପତିଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି ମହାନ୍ତି । ଯାହାଫଳରେ ବଡ଼ମ୍ବାରେ ବିଜେଡି ସହ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ରଙ୍କୁ ବଡ଼ ଝଟକା ଲାଗିଛି । କାହିଁକି ନା ରଘୁପତି ଦେବୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ ।
ଅଧିକ ପଢ଼ନ୍ତୁ: କିଏ ହେବେ 'ମହା' ମୁଖ୍ୟମନ୍ତ୍ରୀ ? ଆଜି ସସ୍ପେନ୍ସ ଉପରୁ ହଟିପାରେ ପରଦା
ସୂଚନା ଅନୁସାରେ, ଆଜି ସକାଳେ ବିଜେଡି ଛାଡ଼ିଥିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି । ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି । ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ । ଏକ ପୋଷ୍ଟରେ ରଘୁପତି ଲେଖିଥିଲେ, ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟବୃଦ୍ଧି କରିବାରେ ଦଳରେ ମୋ ସେବାର ଆବଶ୍ୟକତା ନାହିଁ ବୋଲି ଉପଲବ୍ଧି କଲି । ଏଣୁ ଦଳରୁ ଇସ୍ତଫା ଦେଉଛି ।
ସୂଚନା ଅନୁଯାୟୀ, ୯୦ ଦଶକରୁ ବିଜେଡି ଦଖଲରେ ରହିଥିଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ଦେବୀ ମିଶ୍ର ୧୯୯୫ ମସିହାରୁ ଲଗାତର ନିର୍ବାଚିତ ହୋଇ ଆସୁଥିଲେ । କିନ୍ତୁ ଏଥର ଦେବୀଙ୍କ ବିଜୟ ରଥରେ ବ୍ରେକ୍ ଲଗାଇଥିଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳବେହେରା । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ହରାଇ ବିଧାୟକ ହୋଇଥିଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳବେହେରା । ସେ ସ୍ୱାଧିନ ପ୍ରାର୍ଥୀ ହୋଇ ବିଜୟୀ ହେବା ପରେ ବିଜେପିର ସହଯୋଗୀ ବିଧାୟକ ଭାବେ ରହିଛନ୍ତି । ତେବେ ରଘୁପତିଙ୍କ ଯୋଗଦାନ ଫଳରେ ବଡମ୍ବାରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)