ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ବାଚସ୍ପତିଙ୍କ ବଡ଼ ଆକ୍ସନ । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଛାଡ଼ି କଂଗ୍ରେସର ୧୨ MLAଙ୍କୁ ଗୃହରୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଏହି ବିଧାୟକମାନଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ନିଲମ୍ବନ କରାଯାଇଛି । ସେପଟେ ସସପେଣ୍ଡ ସତ୍ତ୍ବେ ଗୃହ ବାହାରକୁ ନଯାଇ ନିଲମ୍ବିତ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ବସି ରହିଥିବା ବେଳେ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ସେପଟେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ତାରା କହିଛନ୍ତି, କଂଗ୍ରେସ୍ ଡରିବାର ପ୍ରଶ୍ନ ଉଠୁନାହିଁ। ତେଣେ ବିଜେପି କହିଛି, ବାରମ୍ବାର ଗୃହରେ ଏଭଳି ଅଚଳାବସ୍ଥା ପରେ ଆଉ କିଛି ବିକଳ୍ପ ନଥିଲା ।
Also Read
ଅଧିକ ପଢ଼ନ୍ତୁ: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ
ବିଧାନସଭାରେ ରୀତିମତ ବିଶୃଙ୍ଖଳା ପାଇଁ ୧୨ କଂଗ୍ରେସ ବିଧାୟକ ନିଲମ୍ବିତ । ୭ଟି କାର୍ଯ୍ୟ ଦିବସ ଯାଏଁ ଗୃହକୁ ଆସିବା ଉପରେ ବାଚସ୍ପତିଙ୍କ କଟକଣା । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ ଅଡ଼ି ବସିଥିବା କଂଗ୍ରେସ ବିଧାୟକ ଗତ ୨୦ ତାରିଖରୁ ବିଧାନସଭାକୁ ଅଚଳ ମୁଦ୍ରାକୁ ନେଇ ଆସିଥିବା ବେଳେ ଆଜି ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ସବୁ ଦିନ ଭଳି ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ଘଣ୍ଟ ଓ ଗିନି ମାଡ଼ ସହ ତୁରୀ ବଜାଇ ତୀବ୍ର ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ ।
ସେହିଭଳି ପଛୁଆ ବର୍ଗ ସଂରକ୍ଷଣ ପ୍ରତିବାଦରେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ଆରମ୍ଭରୁ ବିରୋଧୀଙ୍କ ଏ ବିଶୃଙ୍ଖଳିତ ଆଚରଣ ଲାଗି ବାଚସ୍ପତି ପ୍ରଥମେ ସର୍ବଦଳୀୟ ବୈଠକ ଡାକିବା ସହ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ହେଲେ ଏହା ପରେ ସୁଧୁନଥିଲା ସ୍ଥିତି । ପରେ ପୁଣି ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୪ଟାରେ ପୁଣି ସମାନ ସ୍ଥିତିରୁ ବାରମ୍ବାର ମୁଲତବୀ ହୋଇଥିଲା ଗୃହ । ଆଉ ପରେ ସରକାରୀ ଦଳ ମୁଖ୍ୟ ସଚେତକ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଆଣିବାରୁ ବାଚସ୍ପତି ୧୨ ବିଧାୟକଙ୍କ ବିରୋଧରେ ନେଇଥିଲେ ବଡ଼ ଆକ୍ସନ । ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡ଼ି ଅନ୍ୟ ସମସ୍ତ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ । ଏମାନଙ୍କୁ ୭ ଦିନ ଲାଗି ବିଧାନସଭା ପ୍ରବେଶ ଉପରେ କଟକଣା ଲଗାଇଥିଲେ ବାଚସ୍ପତି। ଏପଟେ ବାଚସ୍ପତିଙ୍କ ଏ ନିର୍ଦ୍ଦେଶ ପରେ ବି ଗୃହରୁ ହଟିନଥିଲେ ନିଲମ୍ବିତ କଂଗ୍ରେସ ବିଧାୟକ। ଯାହାକୁ ନେଇ ଗଣତନ୍ତ୍ରର ପବିତ୍ର ଗୃହରେ ଦେଖାଦେଇଥିଲା ହାଇଡ୍ରାମା ଭଳି ସ୍ଥିତି ।
ଏପଟେ ଆଜି ବିଧାନସଭାରେ ବାଚସ୍ପତିଙ୍କ ଏ ଆକ୍ସନ ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସ କାର୍ଯ୍ୟାନୁଷ୍ଠାନକୁ ଭୟ କରିନି । ଏହା ପରେ କଂଗ୍ରେସର ସ୍ୱର ଆହୁରି ଜୋରଦାର ହେବ। ତାରା କହିଛନ୍ତି ଆସନ୍ତା ୨୭ରେ ହେବାକୁ ଥିବା ବିଧାନସଭା ଘେରାଉକୁ ଭୟ କରି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସେପଟେ ବିଜେଡି କହିଛି, କଂଗ୍ରେସ ଦଳ ଯେଉଁ ଆଚରଣ ଉଚ୍ଚାରଣ କଲା, ତାହା ଆମକୁ ପସନ୍ଦ ନୁହେଁ। କିନ୍ତୁ ସରକାରୀ ଦଳ ଯେଉଁ ଆକ୍ସନ ନେଲେ ତାହା ବି ଗ୍ରହଣୀୟ ନୁହେଁ । ତା ସହିତ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କଂଗ୍ରେସଶାସିତ କର୍ଣ୍ଣାଟକ ବିଧାନସଭାରେ ବିଜେପି ବିଧାୟକମାନଙ୍କୁ ୬ ମାସ ପାଇଁ ସସପେଣ୍ଡ କରାଯିବା ପରେ ଏଠି କାଉଣ୍ଟର ଆକ୍ସନ ନିଆଯାଇଛି । ସେପଟେ ବିଜେପି କହିଛି ତିନି ତିନି ଥର ଆଲୋଚନା ହୋଇଛି। କିନ୍ତୁ ଗୃହ ଚଳାଇ ନଦେବା ନିହାତି ନିନ୍ଦନୀୟ ।
ଅଧିକ ପଢ଼ନ୍ତୁ: ସତ ଖୋଜୁଛି କ୍ରାଇମବ୍ରାଞ୍ଚ; ଏଥର ଗୋପାଳ ପାଳି!
- Reported by:
- JAGDISH DAS , KAPILENDRA PRADHAN , SOUMYA RANJAN SAHOO