• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଙ୍ଗାନିଜ ଖଣି ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ୬ ତାରିଖରେ କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ଆସିଥିବା ତାଗିଦପୂର୍ଣ୍ଣ ଚିଠି ଦେଖାଇ ବର୍ଷିଛନ୍ତି ଅପରାଜିତା । କହିଛନ୍ତି, ଉଚ୍ଚମାନର ମାଙ୍ଗାନିଜକୁ ନିମ୍ନମାନର ଦେଖାଇ ବ୍ୟାପକ ଅନିୟମିତତା ହୋଇଛି । ଆଭରେଜ ସେଲ ପ୍ରାଇସ ଦେଖାଇ ହାଇଗ୍ରେଡ୍‌କୁ ଲୋଗ୍ରେଡ଼ କରାଯାଉଛି। କେନ୍ଦ୍ର ସରକାରଙ୍କ ଚିଠିରେ ଏସବୁ ଉଲ୍ଲେଖ ରହିଛି। ଏଥିରୁ ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା । ଏହାଦ୍ୱାରା ପାଖାପାଖି ୫ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଅପରାଜିତା ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା  ମିଳିପାରିନାହିଁ ।

ପୂର୍ବରୁ ମଧ୍ୟ ରାଜ୍ୟରେ ଖଣି ଦୁର୍ନୀତିକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା । ସେ କହିଥିଲେ ଖଣି ଦୁର୍ନୀତି କଥାକୁ ମାନିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କଠାରୁ ପାଇଥିବା ଚିଠିକୁ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟ୍ କରି ବର୍ଷିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଥିଲେ ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ସେ ସଂସଦରେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ ।

ଏମିତିକି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରୁ ପାଇଥିବା ଉତ୍ତରକୁ ନିଜେ କେନ୍ଦ୍ର ଖଣିମନ୍ତ୍ରୀ ଚିଠି ଲେଖି ତାଙ୍କୁ ଜଣାଇଥିଲେ । ଯେଉଁଥିରେ ରାଜ୍ୟରେ ବେସରକାରୀ ଖଣି ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବା ରାଜ୍ୟ ସରକାର ମାନିଛନ୍ତି । DMF କୁ ଯେତିକି ଟଙ୍କା ଆସିବା କଥା ସେତିକି ଆସୁନି । ଏମିତିକି ଏହି ଦୁର୍ନୀତିର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଖଣି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ । ହେଳେ କଣ ପଦକ୍ଷେପ ନେଇଛନ୍ତି, ତାହା ବିସ୍ତୃତ ଭାବେ ଜଣାପଡ଼ିନି ବୋଲି କହିଥିଲେ ଅପରାଜିତା ।