ପୃଥିବୀରେ ରହିଥିବା ସବୁଠାରୁ ବଡ଼ ସାପ କିଏ ? ଆନାକୋଣ୍ଡା, ନା ବାସୁକି ନା ଟାଇଟାନୋବୋଆ ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ସମୟରେ ପୃଥିବୀରେ ଏପରି ସାପ ଥିଲେ, ଯାହାର ଓଜନ ଏକ ଟନରୁ ଅଧିକ ଥିଲା । ୫୮ରୁ ୬୦ ନିୟୁତ ବର୍ଷ ପୂର୍ବେ ପାଲିଓସିନ୍ ଯୁଗରେ କଲମ୍ବିଆରେ ବାସ କରୁଥିବା ଟାଇଟାନୋବୋଆକୁ ଇତିହାସର ସବୁଠାରୁ ବଡ଼ ସାପ ବୋଲି ବିଶ୍ବାସ କରାଯାଏ । କିନ୍ତୁ ଏବେ ଟାଇଟାନୋବୋଆକୁ ଟକ୍କର ଦେବା ଭଳି ଆଉ ଏକ ବିରାଟକାୟ ସାପର ଅସ୍ତିତ୍ବକୁ ଖୋଜି ପାଇଛନ୍ତି ବିଶେଷଜ୍ଞ ।
ଆମେ କହୁଛୁ ଭାରତର ଗୁଜରାଟରୁ ଆବିଷ୍କୃତ ହୋଇଥିବା ବାସୁକି ଇଣ୍ଡିକସର କଥା । ହଁ, ୨୦୦୫ରେ ଗୁଜରାଟରୁ ମିଳିଥିଲା ବାସୁକି ଇଣ୍ଡିକସର ଜୀବାଷ୍ମ । ବହୁ ବର୍ଷ ପୂର୍ବେ ପୃଥିବୀପୃଷ୍ଠରେ ରାଜ କରୁଥିଲା ଏହି ବିରାଟକାୟ ସାପ । ବୈଜ୍ଞାନିକମାନେ ଗୁଜରାଟର ପାନାଧ୍ରୋ ଲିଗନାଇଟ୍ ଖଣିରେ ୨୭ଟି ବିଶାଳ ମେରୁଦଣ୍ଡୀ ପ୍ରାଣୀର ଜୀବାଷ୍ମ ଆବିଷ୍କାର କରିଥିଲେ ।
ଏହାକୁ ପ୍ରଥମେ କୁମ୍ଭୀର ଭାବେ ବିଚାର କରି ଗବେଷଣା ଆରମ୍ଭ କରିଥିଲେ ବୈଜ୍ଞାନିକ । ପାଖାପାଖି ୯ ବର୍ଷର ଅଧ୍ୟୟନ ପରେ, ଏହି ଅବଶେଷଗୁଡ଼ିକ ଏକ ନୂତନ ପ୍ରଜାତିର ବିଶାଳ ସାପର ବୋଲି ନିଶ୍ଚିତ କରିଥିଲେ ବୈଜ୍ଞାନିକମାନେ । ସେତେବେଳେ ହିନ୍ଦୁ ପୌରାଣିକ କାହାଣୀର ନାମାନୁସାରେ ଏହାର ନାମ ବାସୁକି ଇଣ୍ଡିକସ୍ ରଖାଯାଇଥିଲା ।
Also Read
ଏବେ ଅଧ୍ୟୟନରୁ ଜଣାପଡ଼ିଛି ଏହି ବାସୁକି ଇଣ୍ଡିକସ୍ ପ୍ରାୟ ୧୫ ମିଟର ଲମ୍ବା ଏବଂ ୧ ଟନ୍ ଓଜନ ବିଶିଷ୍ଟ ଥିଲା । ୪୭ ନିୟୁତ ବର୍ଷ ପୁରୁଣା ମଧ୍ୟଇଓସିନ୍ ଯୁଗରେ ଭାରତରେ ଏହାର ଅସ୍ତିତ୍ବ ଥିବା ବିଶ୍ବାସ କରାଯାଏ । ତେବେ ବାସୁକି ଇଣ୍ଡିକସ୍ ଏବଂ ଟାଇଟାନୋବୋଆ ମଧ୍ୟରେ ଆକାର ଓ ଓଜନକୁ ନେଇ ତୀବ୍ର ପ୍ରତିଯୋଗିତା ରହିଛି ।
ଏହି ଦୁଇଟି ସାପ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ସବୁଠାରୁ ବଡ଼ ସାପ ବୋଲି ବିଶ୍ବାସ କରାଯାଏ । ହେଲେ ଟାଇଟାନୋବୋଆ ସବୁଠାରୁ ବଡ଼ ସାପ ବୋଲି ମାନ୍ୟତା ରହିଛି । ଏହାର ଜୀବାଷ୍ମ ୨୦୦୯ ମସିହାରେ କଲମ୍ବିଆର ସେରେଜୋନ୍ କୋଇଲା ଖଣିରୁ ଆବିଷ୍କୃତ ହୋଇଥିଲା । ତେବେ ଏହି ଜୀବାଷ୍ମକୁ ପ୍ରଥମେ କୁମ୍ଭୀରର ବୋଲି ଭାବି ନିଆଯାଇଥିଲା ।
ପରେ ଗବେଷକମାନେ ସ୍ପଷ୍ଟ କରିଥିଲେ, ଏହା ଏକ ବିଶାଳ ସାପ, ଯାହାର ଲମ୍ବ ୧୫ ମିଟର ବା ପ୍ରାୟ ୫୦ ଫୁଟ । ସେହିପରି ଟାଇଟାନୋବୋଆକର ଓଜନ ପ୍ରାୟ ୧.୨୫ ଟନ୍ ଥିଲା ବୋଲି ମତବ୍ୟକ୍ତ କରନ୍ତି ବିଶେଷଜ୍ଞ । ତେବେ ଉଭୟ ଟାଇଟାନୋବୋଆ ଓ ବାସୁକି ଇଣ୍ଡିକସ୍ର ଲମ୍ବ ୧୫ ମିଟର ଥିବା ବେଳେ ଓଜନ କିନ୍ତୁ ଭିନ୍ନ ଭିନ୍ନ ।
ଓଜନ ଏବଂ ଆକାର ଦୃଷ୍ଟିରୁ ଟାଇଟାନୋବୋଆକୁ ସବୁଠାରୁ ବଡ଼ ସାପ ବୋଲି ଗ୍ରହଣ କରାଯାଏ । ଟାଇଟାନୋବୋଆର ମେରୁଦଣ୍ଡ ଯେକୌଣସି ଆଧୁନିକ ସାପ ଅପେକ୍ଷା ମୋଟା । ଟାଇଟାନୋବୋଆ ବୋଇଡେ ପ୍ରଜାତି ବା ପରିବାରର, ଯେଉଁଥିରେ ଆଧୁନିକ ବୋଆ ଏବଂ ଆନାକୋଣ୍ଡା ଭଳି ସାପ ଅନ୍ତର୍ଭୁକ୍ତ । ଏମାନେ ବିଷାକ୍ତ ନୁହନ୍ତି କିନ୍ତୁ ଶିକାରକୁ ଶ୍ୱାସରୁଦ୍ଧ କରି ହତ୍ୟା କରିବାରେ ବେଶ ମାହିର ।