Advertisment

ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ, କୋଟିଆରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

ଅଦ୍ୟତନ ହୋଇଛି
Utkal Dibasa 2023 Celebration In Kotia

Kotia

Advertisment

ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ । ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ସ୍ବଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉତ୍କଳ ଦିବସ ଗଠନରେ ଅବଦାନ ଅବିସ୍ମରଣୀୟ।

Advertisment

ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇପଡିଛି। ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସହ ଅନ୍ୟ ସମସ୍ତ ପ୍ରାୟ ସହରରେ ଉତ୍କଳ ଦିବସ ପାଳନ ଲାଗି ବ୍ୟାପକ ଆୟୋଜନ ହୋଇଛି । ବରେଣ୍ୟ ବରପୁତ୍ରଙ୍କୁ ଉତ୍କଳ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସେହିପରି ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

ଅଧିକ ପଢ଼ନ୍ତୁ: ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

ସେପଟେ କୋଟିଆରେ ଉତ୍କଳ ଦିବସ ପାଳନ ପାଇଁ ବିଜେପି ଓ ବିଜେଡି ପକ୍ଷରୁ ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ପଂଚାୟତର ଫାଟୁସିନେରୀ ଗସ୍ତ କରି ଲୋକମାନଙ୍କୁ ଭେଟିବେ । ଏହାପରେ କୋଟିଆରେ ଉତ୍କଳ ଦିବସ ପାଳନ କରିବେ । ଏଥିରେ ବିଜେପିର ଛଅ ଜଣ ବିଧାୟକ ସାମିଲ ହେବେ । ସେହିପରି ବିଜେଡି ବି କୋରାପୁଟ ଜିଲ୍ଲାର ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ନେଇ ଶକ୍ତିପ୍ରଦର୍ଶନ କରିବ । ବିଜେଡି କୋଟିଆ ପଞ୍ଚାୟତ ଗଞ୍ଜେଇପଦରରେ ଉତ୍କଳ ଦିବସ ପାଳନ କରିବ । ଏଥିରେ ଜିଳ୍ଲାର ବିଜେଡି ବିଧାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ନବରଂଗପୁର ସାଂସଦ ରମେଶଚନ୍ଦ୍ର ମାଝି ଯୋଗଦେବେ ।

Advertisment

ତେବେ ଆଜି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର ବୋଲି ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଉତ୍କଳ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାବା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ ବୋଲି ଟୁଇଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ହାର୍ଦ୍ଦିକ ଅଭିନନ୍ଦ ଜଣାଇଛନ୍ତି । ଓଡ଼ିଶା ମୋର ଗର୍ବ। ମୋ ଭାଷା, ସଂସ୍କୃତି, ଐତିହ ଓ ପରମ୍ପରା ପାଇଁ ମୁହଁ ଗର୍ବ ଅନୁଭବ କରେ ବୋଲି ଟୁଇଟ କରିଛନ୍ତି ବୈଜୟନ୍ତ ।

Advertisment

Kotia Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ