Samir Dey Passes Away: ଚାଲିଗଲେ ସମୀର ଦେ, ଛାଡ଼ି ଦେଇଗଲେ ଅନେକ ସ୍ମୃତି

ଆଉ ନାହାନ୍ତି ସମୀର ଦେ । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ।

Samir Dey Death

ଆଉ ନାହାନ୍ତି ସମୀର ଦେ । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସମୀର ଦେ’ଙ୍କ ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର । ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ ବରିଷ୍ଠ ବିଜେପି ନେତା ସମୀର ଦେ’ । ୧୯୯୫ ମସିହାରେ ପ୍ରଥମେ ଭାରତୀୟ ଜନତା ପାର୍ଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

କଟକ ସିଟି ବିଧାନସଭା ଆସନରୁ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ମସିହା ଓ ୨୦୦୪ରେ ଲଗାତର ଭାବେ ସେ କଟକ ସିଟି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ସେ ରାଜ୍ୟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗର ମନ୍ତ୍ରୀ ଥିଲେ ।

୨୦୦୪ରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗର ମନ୍ତ୍ରୀ ଥିଲେ । ଏହା ସହ ସେ ବିଧାନସଭାର ବିଭିନ୍ନ କମିଟି ଦାୟିତ୍ୱରେ ବି ଥିଲେ । ସେ ଓଡ଼ିଶା ଅଲିମ୍ପିକ୍ସ ଆସିଏସନର ସଭାପତି ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ମଧ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ସମୀର ଦେ’ ଗତ ୧ ତାରିଖରେ ସେ ଅସୁସ୍ଥ ହୋଇପଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଅଧିକ ପଢ଼ନ୍ତୁ: ବାଲି ଯାତ୍ରାରେ ମିଳୁଛନ୍ତି ସ୍ୱାମୀ-ସ୍ତ୍ରୀ !! ଦର ୪୦ ହଜାର ..

ସେବେଠୁ ତାଙ୍କର ଚିକିତ୍ସା ଜାରି ରହିଥିଲା । ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିଲା । ତାଙ୍କର ଆଇସିୟୁରେ ଚିକତ୍ସା କରାଯାଉଥିଲା । ପୂର୍ବରୁ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିବାରୁ ସମସ୍ୟା ଜଟିଳ ରହିଥିଲା । ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ସମୀର ଦେ’ଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ରାଜନେତା ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ସମୀର ଦେ’ଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମଧ୍ୟ କହିଛନ୍ତି । ସେ ମେଡିକାଲରେ ଚିକିତ୍ସିତ ହେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କୁ ଭେଟି ତାଙ୍କ  ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ । ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସମୀର ଦେ, ଆମ ପ୍ରିୟ ଦାଦା ଇହ ଧାମରେ ନାହାନ୍ତି ଶୁଣି ବିଶ୍ୱାସ ହଉନି । ରାମ ଜନ୍ମଭୂମି ଆନ୍ଦୋଳନ ସମୟରୁ କଟକ ସହର ଏବଂ ଆଖପାଖ ଅଞ୍ଚଳରେ ବ୍ୟକ୍ତିଗତ ଭାବରେ ପହଞ୍ଚାଇ ଆମ ଦଳ ପାଇଁ ଏକ ମଡେଲ ଭାବରେ ପ୍ରସ୍ତୁତ କରିଥିଲେ । ୧୯୯୫ ମସିହାରେ ବିଧାନସଭାରେ ପ୍ରବେଶ କରି ଓଡ଼ିଆଙ୍କ ଜନ ଆକାଂକ୍ଷାକୁ ବଡ଼ ରୂପ ଦେଇ ଦଳ ବିକାଶର ଭିତ୍ତି ପ୍ରସ୍ତର ପକାଇ ଥିଲେ ।

୨୦୦୦ ଓ ୨୦୦୪ ରେ ମନ୍ତ୍ରୀ ଭାବରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଥିଲେ । ତାଙ୍କର ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି । ଏହି ଦୁଃଖକୁ ସହ୍ୟ କରିବା ପାଇଁ ତାଙ୍କ ପରିବାରକୁ ମହାପ୍ରଭୁ ଅସୀମ ଶକ୍ତି ଦିଅନ୍ତୁ ବୋଲି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘ ସମୟ ଧରି ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

କଟକ ସହରରୁ ଲଗାତର ତିନି ଥର ନିର୍ବାଚିତ ହୋଇଥିଲେ ସମୀର । ୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ଓ ୨୦୦୪ରେ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ମେଣ୍ଟ ସରକାର ସମୟରେ ମଧ୍ୟ ସେ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୪ରେ ମସିହାରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ ।

ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିବା ବେଳେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା । ସେ ବିଜେପିର ଜଣେ ଟାଣୁଆ ସଂଗଠକ ଥିଲେ । ଛାତ୍ର ଜୀବନରୁ ସେ ବହୁ ସାମାଜିକ ଅନୁଷ୍ଠାନ ଓ ସଂଗଠନ ସହ ଜଡ଼ିତ ଥିଲେ । ରାଜ୍ୟ ବିଜେପିର ଉପସଭାପତି ମଧ୍ୟ ଥିଲେ । ବିଭିନ୍ନ କ୍ରୀଡା ସଂଗଠନର ନେତୃତ୍ୱ ନେଇଥିଲେ । ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ର ସଭାପତି ଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅନ୍ୟ ଜାତିରେ ପୁଅ ବାହା ହେଲା ବୋଲି .. ପ୍ରଫେସରଙ୍କୁ ଜାତିରୁ ବାସନ୍ଦ ଦଣ୍ତ !