ମଣିଷ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିସାରିଛି । ବିଜ୍ଞାନ ଯୋଗୁଁ ଅନେକ ଅନ୍ଧବିଶ୍ୱାସ ଦୂର ହୋଇଗଲାଣି । ଯୁଗ ବଦଳିଯାଇଛି । କିନ୍ତୁ ଆଜି ବି ବଦଳିନାହିଁ, କିଛି ଲୋକଙ୍କ ମଧ୍ୟଯୁଗୀୟ ମାନସିକତା । ଜାତିପ୍ରଥା କବଳରେ କବଳିତ କିଛି ବ୍ୟକ୍ତି ଓ ସଂପ୍ରଦାୟ । ଏବେବି ଗାଁ ମାନଙ୍କରେ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ଅନେକ ନୀରିହ ଲୋକ । ଏପରି ଏକ ଘଟଣା ଘଟିଛି, ବଲାଙ୍ଗିର ସହର ଉପକଣ୍ଠ ପୁଇଁନ୍ତଲା ଗାଁରେ ।
ପୁଅ ପାଇଁ ଜଣେ ପ୍ରଫେସର ଜାତିରୁ ବାସନ୍ଦ ହୋଇଛନ୍ତି । ଏକାକୀ ଜୀବନ କାଟୁଛନ୍ତି । ପୁଅ ଅନ୍ୟଜାତିରେ ବାହାହେଲା ବୋଲି, ଜାତି ଭାଇ ବାସନ୍ଦ କରିଛନ୍ତି । କିନ୍ତୁ ବାସନ୍ଦକୁ କୁସଂସ୍କାର କହି, ହାର ନମାନି ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରଫେସର । ପୋଲିସ ଓ ପ୍ରଶାସନ କହୁଛି ତଦନ୍ତ କରିବୁ ।
ପୁଅ ଅନ୍ୟ ଜାତିରେ ବାହା ହେଲା ପରେ ବାସନ୍ଦ ଦଣ୍ଡ ଭୋଗୁଛନ୍ତି ପ୍ରଫେସର ବାପା । ଫଳରେ ପରିଣତ ବୟସରେ ଏକାକୀ ଜୀବନ କାଟୁଛନ୍ତି । ଶୁଦ୍ଧିକ୍ରିୟା, ବାହାଘର ଭଳି ସାମାଜିକ କାର୍ଯ୍ୟରେ ସାମିଲ କରୁନାହାନ୍ତି ଜାତିଭାଇ ।
Also Read
ପାଟଣାଗଡ ଜବାହରଲାଲ କଲେଜରୁ ଅଧ୍ୟକ୍ଷ ଭାବରେ ଅବସର ନେଇଥିବା ପ୍ରଫେସର ମନମୋହନ ସାଏଙ୍କୁ ଏଭଳି ବାସନ୍ଦ ଦଣ୍ଡ ଦେଇଛନ୍ତି ଜାତି ଭାଇ । ବେଙ୍ଗାଳୁରୁରେ ଇଂଜିନିୟର ଭାବେ କାମ କରୁଥିବା ପୁଅ ସୌମ୍ୟରଂଜନ ସାଏ ଜଣେ ମରାଠା ଝିଅଙ୍କୁ ବିବାହ କରିଛନ୍ତି । ପୁଅ ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁରେ ରହୁଥିବା ବାପା, ମାଆ ବାସନ୍ଦ ଦଣ୍ଡ ଭୋଗୁଛନ୍ତି ।
ଅଧିକ ପଢ଼ନ୍ତୁ:କାହା ଜମିରେ ହୋଇଛି ବୈକୁଣ୍ଠଧାମ ? ଜିଏ - ବିଡିଏ - ତହସିଲ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ
ବାସନ୍ଦ ବିରୋଧରେ ୮୪ ଘର ଅଘରିଆ ସମାଜର ଜିଲ୍ଳା ସଭାପତିଙ୍କୁ ଦେଖା କରିଥିଲେ ପ୍ରଫେସର ମନମୋହନ । ପୁଅର ଇଚ୍ଛାକୁ ସହମତି ଦେଇଥିବା ବେଆଇନ ନୁହେଁ ବୋଲି ଯୁକ୍ତି କରିଥିଲେ । କିନ୍ତୁ ସଭାପତି କହିଥିଲେ, ଜାତିରେ ମିଶିବା ପାଇଁ ଜୀବିତ ପୁଅର ଶ୍ରାଦ୍ଧ କରି ଆପଣଙ୍କୁ ଲଣ୍ଡା ହେବାକୁ ପଡିବ । ଆର୍ଥିକ ଜରିମାନା ଦେବାକୁ ପଡିବ ।
ହେଲେ ଏଭଳି ସର୍ତ୍ତରେ ରାଜିହେଲେ ନାହିଁ ପ୍ରଫେସର । ଏଭଳି ସ୍ଥିତିରେ ପାଖ ପଡୋଶୀ ବି ବାସନ୍ଦ ଭୟରେ ପ୍ରଫେସର ମନମୋହନ ସାଏଙ୍କ ପରିବାରକୁ କୌଣସି ସାମାଜିକ କାମରେ ଡାକୁନାହାନ୍ତି । ସେପଟେ ଅଘରିଆ ସମାଜର ଜିଲ୍ଲା ସଭାପତି, ନିଜେ ନୋଟିସ ଦେଇଥିଲେ ମଧ୍ୟ, ନିଜେ କିଛି ଜାଣିନଥିବା କହିଛନ୍ତି । ସେପଟେ ସାମାଜିକ ବାସନ୍ଦ ଏକ କୁପ୍ରଥା । ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବଲାଙ୍ଗିର SDPO ।
ପ୍ରଫେସର ମନମୋହନ ସାଏଙ୍କ ପୁଅ ସୌମ୍ୟରଂଜନ ୨୦୨୩ ମସିହାରେ ଜଣେ ମରାଠା ଝିଅଙ୍କୁ ଭଲପାଇ ବାହା ହେଲେ । ଘଟଣା ଜାଣିଲା ପରେ ମନମୋହନ ସାଏଙ୍କୁ ପରୱାନା ପଠାଇଲା ଅଘରିଆ ସମାଜ । ବିଚାର ହେଲା । ଜାତିଭାଇ ନିଷ୍ପତ୍ତି ନେଲେ ମନମୋହନ ସାଏଙ୍କ ପରିବାରକୁ ବାସନ୍ଦ କରିବେ । କିନ୍ତୁ ଜାତିଭାଇଙ୍କୁ ପତ୍ର ଲେଖି ନେହୁରା ହୋଇଥିଲେ ମନମୋହନ ।
ସ୍ପଷ୍ଟ ଭାବରେ ପ୍ରଫେସର ଲେଖିଥିଲେ, ମୋ ପୁଅ ଭାରତୀୟ ସମ୍ବିଧାନ ଅନୁଯାୟୀ ବାହା ହୋଇଛି । ଦେଶର ସମ୍ବିଧାନ ଠାରୁ ଆମ ଜାତିର ସମ୍ବିଧାନ ବଡ ନୁହେଁ । କିନ୍ତୁ ଜାତି ସମ୍ବିଧାନ ବଳରେ ଏବେ ବାସନ୍ଦ ଦଣ୍ଡ ଭୋଗୁଛନ୍ତି ପ୍ରଫେସର ମନମୋହନ ସାଏ । ହେଲେ ପ୍ରଫେସରଙ୍କ ସ୍ପଷ୍ଟ ମତ, ଏହା ଏକ ଘୃଣ୍ୟପ୍ରଥା । ମୁଁ ଜଣେ ଅଧ୍ୟାପକ, ଅନ୍ୟାୟ ବିରୋଧରେ ଆଇନର ଆଶ୍ରୟ ନେବି ।