କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଦିନରେ ତିନି ତିନି ଜଣ ସରକାରୀ ବଡ଼ ବାବୁଙ୍କ ଘରୁ ଆଜି ଏମିତି ଆଖି ତରାଟିଲା ଭଲି ସଂପତ୍ତି ଠାବ କରିଛନ୍ତି ଭିଜିଲାନ୍ସ । ଏମାନଙ୍କ ଭିତରେ ଅଛନ୍ତି ଜଣେ ଉପଜିଲ୍ଲାପାଳ, ଜଣେ ପୋଲିସ୍ ହାଉସିଂ କର୍ପୋରେସନର ଡିଜିଏମ୍, ଆଉ ଅନ୍ୟ ଜଣଙ୍କ ଲାଞ୍ଚୁଆ ଡାକ୍ତର ।
ରାଜ୍ୟ ଭିଜିଲାନ୍ସର ଟ୍ରିପଲ ଧମାକା .. ଜାଲରେ ଉପ-ଜିଲ୍ଲାପାଳ, ପୋଲିସ ହାଉସିଂ କର୍ପୋରେସନର ଡିଜିଏମ୍ ଓ ଲାଞ୍ଚୁଆ ଡାକ୍ତର । ଉପ-ଜିଲାପାଳଙ୍କ ମାଳମାଳ ପ୍ଲଟ ଓ ଫ୍ଲାଟ୍ । DGMଙ୍କ ଘରେ ସୁନା-ଟଙ୍କା ଖଣି । ପୋଲିସ ହାଉସିଂ କର୍ପୋରେସନର କୁବେର ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ପାଖକୁ । ଭୁବନେଶ୍ୱର ଆଇଗିଣିଆ ମହାଦେବ ବିହାରର ତିନି ମହଲା ଆଲିସାନ୍ ବଙ୍ଗଳାର ବାହାର ଯେମିତି ଭିତରଠୁ ନେଇ ଟେରାସ୍ ଆହୁରି ସେମିତି ।
ଆଉ ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ବେଳେ ଘର ଭିତରୁ ମିଳିଥିବା ଏ ଅସରନ୍ତି ସୁନା-ଅଳଙ୍କାର ଓ ଟଙ୍କା ମୁଣ୍ଡ ଘୁରେଇ ଦେଲା ଭଳି । ଭଣ୍ଡାର ତ ଆଉ । ପୁରୁଣା ହେଉ ଅବା ନୂଆ, ସବୁ ଡିଜାଇନର ସୁନା ଚୁଡି ଯେମିତି ଏଇଠି । ଆଉ ବ୍ୟାଗ୍ ଭର୍ତ୍ତି ଟଙ୍କା ସହ ସୋଫାରେ ଥୁଆ ହୋଇଥିବା ବଣ୍ଡଲ ବଣ୍ଡଲ ଟଙ୍କା ତ ହୋସ୍ ଉଡ଼େଇଦେଲା ଭଳି ।
Also Read
ଅଧିକ ପଢ଼ନ୍ତୁ:ଇୟେ କେମିତି କା ଆଶ୍ରମ!! ଝିଅଙ୍କ ସହ ସମୟ ବିତାଉଥିଲେ ବାବା, ଟଙ୍କା ନେଇ ଲୋକଙ୍କୁ ଭଣ୍ଡୁଥିଲେ
ଗଣି ଗଣି ଶୀତୁଆ ସକାଳେ ବି ଝାଳ ବୋହିଗଲାଣି ଅଫିସରଙ୍କର । ପୋଲିସ ହାଉସିଂ କର୍ପୋରେସନରେ କୋଠା ଗଢ଼ିବାରେ ଯାହା ସମୟ ଦେଇଥାନ୍ତୁ କି ନଥାନ୍ତୁ ଉପୁରି କିନ୍ତୁ ଏମିତି କମେଇଛନ୍ତି ଯେ, ପ୍ରମାଣ ପୂରା ସାମ୍ନାରେ । ସବୁଠୁ ବଡ଼ କଥା ହେଉଛି ଭିଜିଲାନ୍ସକୁ ଦେଖି ବାବୁ ପଡୋଶୀ ଘର ଛାତକୁ ଫିଙ୍ଗି ଦେଇଥିବା ୧୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ବି ଉଦ୍ଧାର କରିଛନ୍ତି ତଦନ୍ତକାରୀ ଅଧିକାରୀ ।
ଭୁବନେଶ୍ୱର ସମେତ ବ୍ରହ୍ମପୁରର ମୋଟ ୪ଟି ସ୍ଥାନରେ ଏଯାବତ୍ ରେଡ୍ ଜାରିଥିବା ବେଳେ ଏଯାବତ୍ କେଜିଏ ସୁନା, ନଗଦ ୧୩ ଲକ୍ଷ ଟଙ୍କା, ଭୁବନେଶ୍ୱରରେ ୪ଟି ଦାମୀ ପ୍ଲଟ୍, ଦୁଇଟି ଦାମୀ କାର୍, ଦୁଇଟି ବହୁତଳ ପ୍ରାସାଦ ଓ ସ୍ତ୍ରୀ ନାଁରେ ବିକ୍ରି କରିଥିବା କୋଟିଏ ୨୧ ଲକ୍ଷ ଟଙ୍କାର ପ୍ଲଟର ଦଲିଲ୍ ଠାବ କରିଛି ଭିଜିଲାନ୍ସ । ବଡ଼ କଥା ହେଉଛି ଅନିୟମିତତା, ପଦବୀର ଅପବ୍ୟବହାର ଓ ଡ୍ୟୁଟିରେ ଖିଲାପ ପାଇଁ ସୁବାସଙ୍କୁ ୨୦୧୦ରେ ଚାକିରିରୁ ବରଖାସ୍ତ କରାଯାଇଥିଲା ।
ହେଲେ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାକିରି ଫେରି ପାଇଥିଲେ ବି ଅଭ୍ୟାସ କିନ୍ତୁ ଛାଡ଼ି ପାରି ନଥିଲେ ଯେମିତି । ସେହିପରି କାମାକ୍ଷାନଗରର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଆଖିତରଟା ସଂପତ୍ତି ଉପରେ । ଭୁବନେଶ୍ୱର, ଭଦ୍ରକ, ଢେଙ୍କାନାଳ, ମୟୂରଭଞ୍ଜ ଭଳି ୧୦ଟି ସ୍ଥାନରେ ଏକକାଳୀନ ରେଡରୁ ଠାବ ହୋଇଛି ବାବୁଙ୍କର ୧୩ଟି ପ୍ଲଟ୍ ସହ ଭୁବନେଶ୍ୱର ଝାରପଡ଼ା ଘରୁ ୧ ଲକ୍ଷ ୪୮ ହଜାର ନଗଦ ଟଙ୍କା ସହ ୨୫୦ ଗ୍ରାମର ସୁନାଗହଣା ।
ଝାରପଡ଼ାରେ ତିନି ମହଲା ନିର୍ମାଣାଧୀନ କୋଠା ସହ କେବଳ ଭୁବନେଶ୍ୱରରେ ଅଛି ବାବୁଙ୍କର ୫ଟି ଦାମୀ ପ୍ଲଟ୍ । ଅନ୍ୟଜଣେ ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର ଅଶୋକ ଦାସ । ଜଣେ ଗର୍ଭବତୀ ମହିଳାଙ୍କଠୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତରବାବୁଙ୍କୁ ରଙ୍ଗେ ହାତ୍ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ପରେ ତାଙ୍କ ସରକାରୀ କ୍ୱାର୍ଟର୍ସ ସହ ବିଭିନ୍ନ ସ୍ଥାନରେ ରେଡ୍ କରି ଅସତ ଅର୍ଜନର ଖୋଳତାଡ଼ କରୁଛି ଭିଜିଲାନ୍ସ ।