/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750600735.jpg)
Flood in Balasore
ସୁବର୍ଣ୍ଣରେଖା ନଦୀର ଉଛୁଳା ପାଣିରେ ଅସ୍ତବ୍ୟସ୍ତ ବାଲେଶ୍ବର ଜିଲ୍ଲାର ୩ ବ୍ଲକ୍ । ଗଲା ୩ ଦିନ ଧରି ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକରେ ଲାଗି ରହିଛି ବନ୍ୟା ସ୍ଥିତି । ଆଜି ବାଲେଶ୍ବର ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ତଳକୁ ଆସିଥିଲେ ବି ବନ୍ୟା ଦୁର୍ଗତଙ୍କ ଉପରୁ କିନ୍ତୁ ବିପଦ ଟଳିନି । ଖାଦ୍ୟ ଓ ପାଣି ବିନା ଜଳବନ୍ଦୀ ହୋଇ ଆଉଟୁ ପାଉଟୁ ଅବସ୍ଥାରେ ଦିନ କାଟୁଛନ୍ତି ହଜାର ହଜାର ଲୋକ । ପ୍ରଶାସନ ଏ ଯାଏଁ ବହୁ ଅଞ୍ଚଳରେ ପହଞ୍ଚି ପାରିନଥିବାରୁ ତାକୁ ନେଇ ବଢ଼ିଛି ଜନ ଅସନ୍ତୋଷ ।
ଘରେ ପାଣି, ବାହାରେ ପାଣି । ଉବୁଟୁବୁ ରାସ୍ତାଘାଟ, ଜଳାର୍ଣ୍ଣବ ଗାଁ ଗଣ୍ଡା । ଆଉ ଏପଟେ ନଦୀର ପ୍ରଳୟଙ୍କାରୀ ରୂପ ଦେଖିଲେ, ବଢିଯାଉଛି ଡର । ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା କରାଳ ରୂପ ନେବା ପରେ ଇଏ ତାର ପରିଣତି । ଆଜିକୁ ୩ ଦିନ ହେଲାଣି, ବାଲେଶ୍ବର ଜିଲ୍ଲାର ୩ ବ୍ଲକ୍ ଭୋଗରାଇ, ବାଲିଆପାଳ ଓ ଜଳେଶ୍ବର ବ୍ଲକରେ ଲାଗି ରହିଛି ବନ୍ୟା ସ୍ଥିତି । ୩ ବ୍ଲକର ୧୦ରୁ ଅଧିକ ପଞ୍ଚାୟତର ୬୦ରୁ ଅଧିକ ଗାଁରେ ରାଜୁତି କରୁଛି ବନ୍ୟାଜଳ । କେଉଁଠି ମୁଖ୍ୟ ରାସ୍ତାରେ ଅଣ୍ଟାଏ ତ, ଆଉ କେଉଁଠି ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଭିତରେ ଯାଆସ କରୁଛନ୍ତି ଲୋକେ ।
ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...
ଘର-ଦ୍ବାର, ରାସ୍ତା-ଘାଟ, ଦୋକାନ ବଜାର ସବୁ କିଛି ବନ୍ୟା ଘେରରେ । ଫଳରେ ଆଜିକୁ ତିନି ଦିନ ହେଲାଣି ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବନ୍ୟା ଦୁର୍ଗତ । ଚୁଲିରେ ପାଣି ପଶି ଥିବାରୁ ରୋଷେଇ ବନ୍ଦ, ଜଳ ଉତ୍ସ ବୁଡି ରହିଥିବାରୁ ପାଣିର ବି ସୁବିଧା ନାହିଁ । ଏଭଳି ସ୍ଥିତିରେ ଭୋକ, ଓପାସରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି ବନ୍ୟା ପ୍ରଭାବିତ ।
ଏପଟେ ଗତକାଲି ଅପେକ୍ଷା ଆଜି ଟିକେ ଶାନ୍ତ ପଡ଼ିଛି ସୁବର୍ଣ୍ଣରେଖା । ଆଜି ଅପରାହ୍ଣ ୩ଟା ସୁଦ୍ଧା ରାଜଘାଟ ନିକଟରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଯାହା ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଆଣିଦେଇଛି ବଡ଼ ଆଶ୍ବସ୍ତି ।
ସେପଟେ ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚିବା ସହ ରିଲିଫ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଏ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର ବାହିନୀ ପହଞ୍ଚି ପାରିନଥିବା ଏବଂ ଲୋକେ ୩ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ଏହାକୁ ନେଇ ପ୍ରଭାବିତଙ୍କ ଭିତରେ ବଢୁଛି ଅସନ୍ତୋଷ ।
ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ ବାଲିଆପାଳ ବ୍ଲକର ୬ଟି ଏବଂ ଭୋଗରାଇ ବ୍ଲକର ୫ଟି ପଞ୍ଚାୟତ ଲୋକେ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି । ସେପଟେ ଗତକାଲି ବନ୍ୟା ପାଣିରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । ଏପଟେ ଚଳିତ ବର୍ଷ ସୁବର୍ଣ୍ଣରେଖାର ପ୍ରଥମ ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ନଷ୍ଟ ହୋଇଛି ବ୍ୟାପକ ଜମିରେ ପନିପରିବା, ତୈଳବୀଜ ଓ ଧାନ ଚାଷ। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।
ଅଧିକ ପଢନ୍ତୁ: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା...
Beaten To Death: ଲୋକଙ୍କ ସାମନାରେ ପିଟି ପିଟି ମାରିଦେଲେ, କେହି ବଞ୍ଚାଇ ପାରିଲେନି

Global Peace Index: ଅନେକ ଦେଶକୁ ପଛରେ ପକାଇଛି ଭାରତ, ପଢନ୍ତୁ ଏହି ତାଲିକା

B-2 Stealth Bomber: ଆମେରିକାର B-2 ବମ୍ୱର କ'ଣ, କାହିଁକି ଏହା ସବୁଠୁ ମାରାତ୍ମକ ?

Rath Yatra 2025: ସୁସ୍ଥ ହେଲେ ମହାପ୍ରଭୁ, ସୁସମ୍ବାଦ ନେଇ ରାଜନଅର ଗଲେ ସେବାୟତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)