/odishatv-khabar/media/post_attachments/uploadimage/library/16_9/16_9_0/Rath_Yatra_1750870000.jpg)
Rath Yatra
ଆତୁର ହେଲାଣି ପ୍ରାଣ, ପୁଣି ହେବ ଭକ୍ତ ଓ ଭଗବାନଙ୍କ ମିଳନ । ଡାହୁକର ହୋ ଭଗତେ ବୋଲିରେ ଗୁଣ୍ଡିଚା ଯାତ୍ରାରେ ଘର୍ଘର ନାଦ କରି ରଥ ଗଡ଼ିବ। ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ଦିନେ । ଏଣେ ସିଂହଦ୍ବାର ଚକଡ଼ାକୁ ଆସିବାକୁ ତରତର ହେଲେଣି ସୁସଜ୍ଜିତ ୩ ରଥ। ଅଣସର ଘରେ ୧୪ ଦିନର ଗୁପ୍ତ ସେବା ପରେ ସୁସ୍ଥ ମହାପ୍ରଭୁ ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ।
ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କାଲି ଗୋଟିଏ ଦିନରେ ପଡ଼ୁଥିବାରୁ ଶ୍ରୀମନ୍ଦିରରେ ତ୍ବରାନ୍ବିତ ହୋଇଛି ନୀତିକାନ୍ତି। ଗୁରୁବାର ସକାଳ ୮ଟାରେ ତାଟି ଫିଟା ନୀତି ପରେ ପରିମାଣିକ ଦର୍ଶନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅପରାହ୍ନରେ ତିନି ବାଡ଼ରୁ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ସମ୍ମୁଖକୁ ଟଣା ହୋଇ ଆସିବେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ।
ଯେହେତୁ ଠାକୁର ଅଣସର ଘରେ ଅଛନ୍ତି, ଶ୍ରୀମୁଖ ଦର୍ଶନ କରିନପାରି ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନି ରଥଙ୍କ ସାନ୍ନିଧ୍ୟରେ ଭାବବିହ୍ବଳ ହେଉଛନ୍ତି ଭକ୍ତ। କିଏ ଦଣ୍ଡବତ ମୁଦ୍ରାରେ ତ କିଏ ଦୁଇ ହାତ ଟେକି ଜଣାଉଛି ଭକ୍ତିପୁତ ନିବେଦନ।
ଅଧିକ ପଢନ୍ତୁ: ବର୍ଷାରେ ଭିଜିବ ରଥଯାତ୍ରା, ଏହି ଦିନ ଯାଏଁଁ ପ୍ରବଳ ଛେଚିବ...
ଏଣେ ରଥରେ ଶେଷ ସ୍ପର୍ଶ ଦେଉଥିବା ରୂପକାର ସେବକଙ୍କ ବିନତି, ପ୍ରଭୁ ଆରବର୍ଷକୁ ବଞ୍ଚେଇ ରଖିଥିଲେ ପୁଣି ଆପଣଙ୍କ ସେବାର ସୁଯୋଗ ମିଳିବ। ଏଣେ ଶୃଙ୍ଖଳିତ ରଥ ଟଣା ପାଇଁ ଆଜି ପୋଲିସ ପକ୍ଷରୁ ହୋଇଛି ମକ୍ ଡ୍ରିଲ। ୩ଟି ଗାଡ଼ିକୁ ୩ ରଥର ଡେମୋ ଆକାରରେ ଟାଣି ନେଇଥିଲେ ସୁରକ୍ଷାକର୍ମୀ। ତାଲିମ ଦେଇଥିଲେ ବରିଷ୍ଠ ଓ ଅନୁଭବି ପୋଲିସ ଅଧିକାରୀ ।
ସ୍ନାନ ପୂର୍ଣ୍ଣମୀ ପରଠୁ ଗହଳି ଚହଳି ନଥିବା ବଡ଼ଦାଣ୍ଡ ହେବ ଲୋକାରଣ୍ୟ। ଚକା ଆଖିରେ ଆଖି ମିଶିବ, ୧୪ଦିନ ଧରି ଅଣସର ଘରେ ଥିବା ଚତୁର୍ଦ୍ଧାମୂରତିଙ୍କର କାଲି ମିଳିବ ଦର୍ଶନ। ଆଜି ବନକଲାଗି ନୀତି ପରେ ଆସନ୍ତାକାଲି ନବଯୌବନ ଦର୍ଶନ ଥିବାରୁ ଆଗେଇ ଚାଲିଛି ନୀତିକାନ୍ତି।
ଏପଟେ ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହେଲେଣି ତିନି ରଥ। କାଲି ସିଂହଦ୍ବାର ଚକଡ଼ାକୁ ବିଜେ କରିବାକୁ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଅପେକ୍ଷା। ଏପଟେ ଆଜି ସୁରୁଖୁରୁରେ ସରିଛି ରଥ ଟଣା ମକ୍ ଡ୍ରିଲ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)