Advertisment

History of Cholera: ୨୦୦ ବର୍ଷରେ ବିଶ୍ୱ ଦେଖିଛି ୭ଟି କଲେରା ମହାମାରୀ, ବେଳେବେଳେ ପଦା ହୋଇଯାଉଥିଲା ଗୋଟେ ଗୋଟେ ସହର

ବିଶ୍ୱ ଇତିହାସରେ କଲେରା ଆତଙ୍କମୟ ପରିସ୍ଥିତି ସୃଷ୍ଟି କରୁଥିଲା। ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଂଶ ଓ ଏକବିଂଶ ଶତାବ୍ଦୀରେ ମହାମାରୀର ରୂପ ନେଇ କଲେରା ବର୍ଷ ବର୍ଷ ଧରି ନରସଂହାର ଜାରି ରଖୁଥିଲା। ଆଜି ଆସନ୍ତୁ ଜାଣିବା କଲେରା ମହାମାରୀର ଇତିହାସ।

author-image
Debendra Nath Parida
ଅଦ୍ୟତନ ହୋଇଛି
brief history of cholera pandemic in world

brief history of cholera pandemic in world

ଆଗ କାଳରେ ଯେତେବେଳେ ସ୍ୱାସ୍ଥ୍ୟସେବାରେ ଆମେ ଅନେକ ପଛୁଆ ଥିଲେ ଏବଂ ସାମାଜିକ ଭାବେ ଲୋକମାନେ ଖୁବ୍ ଅଜ୍ଞ ଥିଲେ, ସେତେବେଳେ ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ବେଶୀ ରାଜୁତି କରୁଥିଲା। ଝାଡ଼ାବାନ୍ତିରେ ପଡ଼ିଲେ ଲୋକେ ଔଷଧ ନଖାଇ, ପୂଜାର୍ଚ୍ଚନା କରୁଥିଲେ। ଗାଁ ଗାଉଁଲିରେ ଏହାକୁ ‘ବାଡ଼ି ପଡ଼ିଛି’ ବୋଲି କହୁଥିଲେ। ଲୋକେ କୁହନ୍ତି ‘ବାଡ଼ିବୁଢ଼ୀ’ କାଖରେ ଟୋକେଇ ଧରି ମଣିଷ ଗୋଟାଉଛି। ଏଇ ଭୟରେ ଲୋକମାନେ ତାଟି କବାଟ ଦେଇ ଘରେ ରହୁଥିଲେ। କିନ୍ତୁ ସେମାନେ ଜାଣି ନଥିଲେ ଯେ, ଦୂଷିତ ପାଣି ଓ ଖାଦ୍ୟ ଖାଇ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହିପରି ଭାବେ ଅନେକ ସମୟରେ ଝାଡ଼ାବାନ୍ତି ବ୍ୟାପୀ ଗୋଟେ ଗୋଟେ ଗାଁ ସଫା ହୋଇଯାଉଥିଲା। ଆସନ୍ତୁ ଜାଣିବା ଏହି ରୋଗର ଭୟବହତା ପୃଥିବୀରେ କେବେକେବେ ଦେଖାଦେଇଛି।

Advertisment

କଲେରାର ଇତିହାସ

ଗତ ୨୦୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ସର୍ବମୋଟ ୭ଥର କଲେରା ମହାମାରୀ ଦେଖାଦେଇଛି ବା କଲେରା ରୋଗ ମହାମାରୀର ରୂପ ନେଇଥିଲା। ୧୮୧୬ରୁ ୧୯୨୩ ମସିହା ଭିତରେ ପଛକୁ ପଛ ପ୍ରଥମ ୬ଟି କଲେରା ମହାମାରୀ ସଂଘଟିତ ହୋଇଥିଲା। କୁହାଯାଏ ଯେ, ଏହି ସମୟ ମଧ୍ୟରେ ବିଶ୍ୱ ବାଣିଜ୍ୟ ଏବଂ ଯାତାୟାତ ବା ଯୋଗାଯୋଗ ତୁଳନାତ୍ମକ ଭାବେ ବୃଦ୍ଧି ପାଇଥିଲା। ଯାହା କଲେରୋ ବ୍ୟାପିବାର ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ୧୯୬୧ ମସିହାରେ ଦେଖା ଦେଇଥିବା ସପ୍ତମ କଲେରା ମହାମାରୀ ଏବେବି ଜାରି ରହିଛି। ୧୯୯୧ରୁ ୯୪ ମସିହା ଭିତରେ ଦକ୍ଷିଣ ଆଫ୍ରିକାରେ ଏବଂ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୟେମେନରେ କଲେରା ମହାମାରୀ ବ୍ୟାପିଥିଲା।

ପ୍ରଥମ କଲେରା ମହାମାରୀ

ଉଲ୍ଲେଖନୀୟ କଥା କ’ଣ ଜାଣନ୍ତି? ବିଶ୍ୱର ପ୍ରଥମ କଲେରା ମହାମାରୀ ୧୮୧୭ ମସିହାରେ ଭାରତରେ ଦେଖା ଦେଇଥିଲା। ୧୮୧୭ରୁ ୧୮୨୪ ପର୍ଯ୍ୟନ୍ତ ଏହା ବେଙ୍ଗଲ ରାଜ୍ୟର କଲିକତାରେ ଦେଖାଦେବା ପରେ ସାରା ଦେଶକୁ ବ୍ୟାପି ଯାଇଥିଲା। ଏହି ମହାମାରୀରେ ହଜାର ହଜାର ଭାରତୀୟଙ୍କ ସମେତ ଅନେକ ବ୍ରିଟିଶ ସୈନିକ ମଧ୍ୟ ମୃତ୍ୟୁବରଣ କରିଥିଲେ। ଭାରତରୁ ଏହି ରୋଗ ଭାରତ ସହ ବ୍ୟବସାୟ କରୁଥିବା ଦକ୍ଷିଣପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ପୂର୍ବ ଆଫ୍ରିକାକୁ ବ୍ୟାପିଥିଲା। ଚୀନ୍ ଓ ଇଣ୍ଡୋନେସିଆରେ ବେଶୀ ଲୋକଙ୍କର ମୃତ୍ୟୁ ହୋଇଥିଲା। ସାମଗ୍ରିକ ଭାବରେ ପ୍ରଥମ କଲେରାରେ ୧ ଲକ୍ଷ ଲୋକଙ୍କର ପ୍ରାଣ ଯାଇଥିଲା।

Advertisment

ଦ୍ୱିତୀୟ କଲେରା ମହାମାରୀ

୨ୟ କଲେରା ମହାମାରୀ ହୋଇଥିଲା ଉତ୍ତର ଆମେରିକା ଓ ୟୁରୋପରେ। ଏହା ସବୁଠାରୁ ଭୟଙ୍କର ଥିଲା। ଏହା ଆରମ୍ଭ ହୋଇଥିଲା ୧୮୨୬ ମସିହାରେ, ଆଉ ସରିଥିଲା ୧୮୩୭ରେ। ଅର୍ଥାତ ୧୧ ବର୍ଷ ଧରି କଲେରା ରୋଗ ମହାମାରୀର ରୂପ ନେଇ ଉତ୍ତର ଆମେରିକା ଓ ୟୁରୋପରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏଥିରେ ଋଷିଆ ଓ ହଙ୍ଗେରୀରେ ଆନୁମାନିକ ୧ ଲକ୍ଷ ଲୋକ, ଜର୍ମାନୀ ଓ ଇଜିପ୍ଟରେ ୧ ଲକ୍ଷ ୩୦ ହଜାର, ଇଂଲଣ୍ଡରେ ୫୫ ହଜାର, ପ୍ୟାରିସରେ ୨୦ ହଜାର, ଫ୍ରାନ୍ସରେ ୧ ଲକ୍ଷ ଲୋକଙ୍କୁ ପ୍ରାଣ ନେଇଥିଲା। ଏ ସବୁ ଦେଶରେ କଲେରା ବ୍ୟାପିବାର ମୂଳ କାରଣ ହେଲା ବ୍ୟବସାୟ। ବ୍ୟବସାୟ ପାଇଁ ବାହାର ଦେଶକୁ ଯିବା ଓ ସେଠାକାର ବ୍ୟବସାୟୀ ଆସିବା ରୋଗ ବ୍ୟାପୀବାର ମୂଳ କାରଣ ଥିଲା। ସେହିପରି ସୈନିକମାନଙ୍କ ମାଧ୍ୟମରେ ବି ଏହି ମହାମାରୀ ବ୍ୟାପିଥିବା ଜଣାପଡ଼ିଥିଲା।

ତୃତୀୟ କଲେରା ମହାମାରୀ

୩ୟ କଲେରା ମହାମାରୀ ୧୮୪୫ ମସିହାରେ ଆରମ୍ଭ ହୋଇ ୧୮୬୦ ମସିହାରେ ଶେଷ ହୋଇଥିଲା। ଏହା ଉତ୍ତର ଆଫ୍ରିକାରୁ ଆରମ୍ଭ ହୋଇ ଉତ୍ତର ଆମେରିକା ଯାଏ ବ୍ୟାପିଥିଲା। ବିଶେଷକରି ଏହା ବ୍ରାଜିଲରେ ଅଧିକ କ୍ଷତି କରିଥିଲା। ଗବେଷକମାନଙ୍କ ସୂଚନା ଅନୁଯାୟୀ, ଉନଂବିଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଭାରତରେ ଆରମ୍ଭ ହୋଇଥିବା ଭୟଙ୍କର କଲେରା ମହାମାରୀର ଜୀବାଣୁ ହିଁ ସୀମା ଡେଇଁ ବିଦେଶରେ ପହଞ୍ଚି ଯାଇଥିଲା ଓ ତୃତୀୟ କଲେରା ମହାମାରୀକୁ ଜନ୍ମ ଦେଇତିଲା, ଯେଉଁଥିରେ ୧୦ ଲକ୍ଷ ଲୋକଙ୍କର ପ୍ରାଣହାନୀ ହୋଇଥିଲା।

ଚତୁର୍ଥ କଲେରା ମହାମାରୀ

ସେହିପରି ଚତୁର୍ଥ କଲେରା ମହାମାରୀର ଅବଧି ଥିଲା ୧୨ ବର୍ଷ। ଏହା ଆରମ୍ଭ ହୋଇଥିଲା ୧୮୬୩ ମସିହାରେ ଆଉ ସରିଥିଲା ୧୮୭୫ ମସିହାରେ। ଏହା ଭାରତରୁ ଆରମ୍ଭ ହୋଇ ଇଟାଲୀର ନାପଲେସ୍, ସ୍ପେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଯାଏଁ ବ୍ୟାପି ଯାଇଥିଲା।

ପଞ୍ଚମ କଲେରା ମହାମାରୀ

ସେହିପରି ୫ମ କଲେରା ମାହାମାରୀର ଅବଧି ଥିଲା ୧୫ ବର୍ଷ, ଯାହା ଆରମ୍ଭ ହୋଇଥିଲା ୧୮୮୧ ମସିହାରେ, ଆଉ ଶେଷ ହୋଇଥିଲା ୧୮୯୬ରେ। ୫ମ କଲେରା ମହାମାରୀ ଆରମ୍ଭ ହୋଇଥିଲା ଭାରତରେ। ଏଠାରୁ ଏହା ୟୁରୋପ, ଏସିଆ ଏବଂ ଦକ୍ଷିଣ ଆମେରିକାକୁ ବ୍ୟାପି ଯାଇଥିଲା।

ଷଷ୍ଠ କଲେରା ମହାମାରୀ

୬ଷ୍ଠ କଲେରା ମହାମାରୀ ମଧ୍ୟ ଭାରତରେ ହିଁ ଦେଖା ଦେଇଥିଲା, ଯାହାର ଅବଧି ଥିଲା ୨୪ ବର୍ଷ। ୧୮୯୯ ମସିହାରେ ଆରମ୍ଭ ହୋଇଥିବା ଏହି ମହାମାରୀ ୧୯୨୩ ମସିହା ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବା ଏହି କଲେରା ମହାମାରୀ ଭାରତରୁ ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ପୂର୍ବାଞ୍ଚଳ ୟୁରୋପ ଓ ଋଷିଆକୁ ବ୍ୟାପି ଯାଇଥିଲା। ହରିଦ୍ୱାରା କୁମ୍ଭମେଳାରୁ ଏହି ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏହି ମହାମାରୀ ପଞ୍ଜାବ ଓ ଆଫଗାନିସ୍ତାନ ଦେଇ ପର୍ସିଆ ଓ ଦକ୍ଷିଣ ଋଷିଆକୁ ବ୍ୟାପି ଯାଇଥିଲା।

ସପ୍ତମ କଲେରା ମହାମାରୀ

ସପ୍ତମ କଲେରା ମହାମାରୀ ଆରମ୍ଭ ହୋଇଥିଲା ଇଣ୍ଡୋନେସିଆରୁ। ଏହି ଭୁତାଣୁର ନାଁ ଥିଲା ଏଲ୍-ତୋର୍, ଯାହା ଭିବ୍ରିଓ କଲେରା ଭୁତାଣୁର ଏକ ପ୍ରଜାତି। ୧୯୬୩ ମସିହା ବେଳକୁ ଏହା ସେତେବେଳର ପୂର୍ବ ପାକିସ୍ତାନ, ବା ଏବେର ବାଂଲାଦେଶରେ ପହଞ୍ଚି ଯାଇଥିଲା। ଏହାପରେ ୧୯୬୪ରେ ଭାରତ, ୧୯୬୬ରେ ସୋଭିଏତ୍ ଋଷିଆ ବ୍ୟାପି ଯାଇଥିଲା। ଏହାପରେ ୧୯୭୩ ମସିହା ବେଳକୁ ଏହା ଦକ୍ଷିଣ ଆମେରିକାରୁ ଇଟାଲିକୁ ବ୍ୟାପି ଯାଇଥିଲା। ୧୯୭୦ରେ ଜାପାନରେ ମଧ୍ୟ କଲେରା ବ୍ୟାପିଥିଲା। ଏଥିସହିତ ଏହା ୟୁକ୍ରେନର ଓଡେଶା, ଆଜରବାଇଜାନର ରାଜଧାନୀ ବାଙ୍କୁ ଏବଂ ଇଷ୍ଟାନବୁଲ୍ ଓ ଜେରୁଜେଲମର କିଛି ଅଂଚଳରେ କଲେରା ଭୁତାଣୁ ବ୍ୟାପୀ ଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ସୂଚନା ଅନୁସାରେ, ସପ୍ତମ କଲେରା ମହାମାରୀ ଏବେ ମଧ୍ୟ ପୃଥିବୀରେ ଜାରି ରହିଛି। ୨୦୨୨ ମସିହାରେ ସଂଗଠନର ଚିଠା ଅନୁସାରେ ବିଶ୍ୱର ଅନେକ ଦେଶରେ ଏବେବି କଲେରା ମହାମାରୀ ରୂପ ନେଇ ମାଡ଼ି ଚାଲିଛି।

Vibrio Cholerae Cholera Outbreak
Advertisment
Advertisment