• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Kausik Mohapatra

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ। ପୁଣି ଧରାପଡ଼ିଲା କ୍ୟାମେରା ସଂଯୁକ୍ତ ଚଷମା। ଗଲା ଦିନ ଭିତରେ ଶ୍ରୀମନ୍ଦିର ଭିତରେ ବାହାରେ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଧରାପଡ଼ିଲେଣି ଯୁବକ। ଜୁଲାଇ ୨୯ରେ ଗୁପ୍ତ କ୍ୟାମେରା ଥିବା ଚଷମା ପିନ୍ଧି ବେହରଣ ଦ୍ବାର ଯାଏଁ ପ୍ରବେଶ କରିଥିଲେ ପୁରୀର ଅଭିଜତ କର। ଅଗଷ୍ଟ ୪ରେ ଗୁଜରାଟର ବିପୁଲ ପାଲ ନାମକ ଯୁବକ ଶ୍ରୀମନ୍ଦିର କୀର୍ତ୍ତନ ଚକଡ଼ାରେ ବୁଲୁଥିବା ବେଳେ ତାଙ୍କଠୁ ଜବତ ହୋଇଥିଲା ସ୍ପାଏ କ୍ୟାମେରା ଯୁକ୍ତ ଚଷମା ମୋବାଇଲ୍। ଆଉ ଆଜି ଅଗଷ୍ଟ ୫ରେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ପଶ୍ଚିମବଙ୍ଗର ପୀତିଶ ପାଲ ହିଡେନ୍ ଚଷମା ପିନ୍ଧି ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ତାଙ୍କୁ ଧରିଥିଲେ ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ।

ପ୍ରଶ୍ନ ଉଠୁଛି, କାହିଁକି ଶ୍ରୀମନ୍ଦିର ଭିତରକୁ ସ୍ପାଏ କ୍ୟାମେରା ଧରି ପ୍ରବେଶ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟକ୍ତି ? କୁହାଯାଉଛି, ଶ୍ରୀମନ୍ଦିରକୁ ମୋବାଇଲ କ୍ୟାମେରା ପ୍ରବେଶ ଅନୁମତି ନଥିବାରୁ କଟକଣାଯୁକ୍ତ ଶ୍ରୀମନ୍ଦିରର ଫଟୋ ଭିଡିଓ ନେବାକୁ ଉଦ୍ୟମ କରୁଥାଇ ପାରନ୍ତି କିଛି ୟୁଟୁବର। ଆଉ ଏଥିପାଇଁ ହିଁ ସେମାନେ ଏଭଳି ସ୍ପାଇ କ୍ୟାମେରା ହାଇଟେକ୍ ଗେଜେଟର ବ୍ୟବହାର କରୁଛନ୍ତି। ସେପଟେ ବାରମ୍ବାର ଏଭଳି ଘଟଣା ସମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ଚିନ୍ତାରେ ବରିଷ୍ଠ ସେବାୟତ। ଏଭଳି ତ୍ରୁଟିକୁ ରୋକିବାକୁ ହେଲେ କଡ଼ା ଆଇନ୍ ସାଙ୍ଗକୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଲାଗି ସେମାନେ ଦାବି କରିଛନ୍ତି।


ତେବେ ଏହି ତିନିଟି ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ କେବଳ ଜେରା କରି ମାମଲା ରୁଜୁ ପରେ ଛାଡ଼ି ଦେଇଛି। ଏବେ ପ୍ରଶ୍ନ ଏମାନଙ୍କ ସ୍ପାଏ କ୍ୟାମାରାରୁ ଲିକ୍ ହୋଇନି ଶ୍ରୀମନ୍ଦିର ଭିତରର ଫଟୋ ? ସ୍ପାଏ କ୍ୟାମେରା ଧରି ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଏତିକିରେ ସୀମିତ ନା ଏମାନଙ୍କ ଭଳି ଆହୁରି ଅନେକ ? ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ସେପଟେ ଘଟଣାକୁ ଅତି ଗମ୍ଭୀରତାର ସହ ନେଇ, ସରକାର ବାବଦରେ ଦୃଢ ପଦକ୍ଷେପ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେଉଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

  • Reported by:
  • PRADEEP MAHANTY , MADHUSUDAN MISHRA , SOUMYA RANJAN SAHOO
ଓଟିଭି ବିଜ୍ଞାପନ